ବୁଣାକାର କହେ
ବୁଣାକାର କହେ
ଯନ୍ତ୍ର ଯନ୍ତ୍ରଣା ଯିଏ ବୁଝିଲା
ସେ ହେଲା ଆଜି ଯନ୍ତ୍ରୀ,
ଯାହାକୁ ଜଣା ମନ୍ତ୍ର ମନ୍ତ୍ରଣା
ସେ ହେଲା ଏଠି ମନ୍ତ୍ରୀ।
ମନ୍ତ୍ରୀ ଯନ୍ତ୍ରୀଙ୍କୁ ମୁଁ ଜଣେ ତନ୍ତ୍ରୀ
କହୁଛି କଥାଟିଏ,
କିଏ ବୁଝିବ ବୁଣାକାରର
ମନର ବ୍ୟଥା ଇଏ।
ଏ ଯନ୍ତ୍ର ଯୁଗ ମନ୍ତ୍ରୀ ଚଳାନ୍ତି
ଯେ ସରକାର ହୋଇ,
ଅସାଧ୍ୟ ଆଜି ସାଧ୍ୟ ହେଉଛି
ବିଜ୍ଞାନ ଦାନ ପାଇଁ।
ମୋ ହସ୍ତତନ୍ତ୍ର କୁଟିର ଶିଳ୍ପ
ଆଜି ହୋଇଛି ଫଟୋ,
ସ୍ମୃତି ଚାରଣେ ପଲ୍ଲୀ ମେଳାରେ
ହେଉଛି ପ୍ରଦର୍ଶିତ।
କୁଟିକି ଖାଅ କାଟିକି ପିନ୍ଧ
କିଏ କହିବ ଆଉ,
ବାପୁଜୀଙ୍କର ଏହି ଆହ୍ଵାନ
ଇତିହାସରେ ରହୁ।
କଳ କୁଟିଲା ଚାଉଳ ହେଲା
କଳ ବୁଣିଲା ଶାଢ଼ୀ,
ତନ୍ତ ବୁଡିଲା ତନ୍ତି ବସିଲା
ମୁଣ୍ଡରେ ହାତ ମାରି।
କୁଟିର ଶିଳ୍ପ ପାଉଛି ଲୋପ
ଯୁଗ ବଦଳି ଯାଏ,
ହସ୍ତତନ୍ତ୍ରର ସ୍ମୃତି ପାଇଁକି
ଦିବସ ମନାଯାଏ।
କୌଳିକ ବୃତ୍ତି କିଏ କରୁଛି
ଚାକିରୀ ହେଲା ବଡ଼,
ନିଜ ସଂସ୍କୃତି ପଛରେ ପଡୁ
ପାଶ୍ଚାତ୍ୟ ପଛେ ପଡ।
ଲେବର କାର୍ଡ ପାଇଁ ପାଗଳ
ଆଜିର ବୁଣାକାର,
ସଙ୍ଗୀତ ଭତ୍ତା ପାଇଁ ବିକଳ
ଆଜିର କଳାକାର।
ନାନା ଯୋଜନା ପରିଚାଳନା
କାଗଜ ପତ୍ରେ ଏଠି,
ହିତାଧିକାରୀ ଛନ୍ଦି ମରୁଛି
ଜାଲରେ ପଡି ନିତି।
କେହି ଦେଇନି ଦେଇ ପାରିନି
ବୁଣାକାରର ମୂଲ,
ଶାଢ଼ୀ,ମସିଣା,ଜାଲ ବୁଣିବା
ବହୁତ ମୁସ୍କିଲ।
ସମ୍ବଲପୁରୀ,ମାଣିଆ ବନ୍ଧି
ଶାଢ଼ୀ ପରି କେ ହେବ,
ହାତ ବୁଣାର ମଜବୁତ କି
କଳ ବୁଣାରେ ଥିବ?
ଗାଆଁ ଗଣ୍ଡାରେ କାଁ ଭାଁ ତ
ଦର୍ଶନ ହସ୍ତତନ୍ତ୍ର,
ଯନ୍ତ୍ର ଯୁଗରେ ନୂଆପିଢୀଙ୍କୁ
ଲାଗୁଛି ଆଚମ୍ବିତ।
ତଥାପି ଜଗା ରଥ ଚଢ଼ିବ
ବଢେଇ ଡକାହେବ,
ଖଣ୍ଡୁଆ ପାଟ ଲୋଡା ହୋଇବ
ସଂସ୍କୃତି ବଞ୍ଚିଥିବ।