ବସୁଧୈବ କୁଟୁମ୍ବକମ୍
ବସୁଧୈବ କୁଟୁମ୍ବକମ୍
ପୂତ ଆର୍ଯ୍ୟାବର୍ତ୍ତ ବିଶ୍ବେ ସୁବିଦିତ ,
ଭାରତ ନାମରେ ଖ୍ୟାତ ।
ଜ୍ଞାନଗୁରୁ ରୂପେ ହୋଇ ସମାଦୃତ,
ଜଗତେ ଚିର ବନ୍ଦିତ ।
ନୀତି ଓ ଆଦର୍ଶେ ବିଶ୍ବ ସମୂହକୁ
କରିଅଛ ଆପଣାର ।
ଶ୍ରଦ୍ଧା ଓ ବିଶ୍ବାସେ ଭ୍ରାତୃତ୍ବ ବନ୍ଧନେ
ସର୍ବତ୍ର ହୋଇଛି ସାର ।
ପୁରୁବଂଶ ରାଜା ଦୁଷ୍ୟନ୍ତଙ୍କ ପୁତ୍ର
ଅଟଇ ନାମ ଭରତ ।
ଭରତଙ୍କ ନାମେ ନାମିତ ଏ ଦେଶ,
ଏହି ମୋ ପ୍ରିୟ ଭାରତ । ।
ସକଳ ଜ୍ଞାନର ମହାର୍ଣ୍ଣବ ଏହା
ସର୍ବଶାସ୍ତ୍ରେ ପରପୂର୍ଣ୍ଣ ।
ଯୋଗୀ, ଋଷି, ମୁନି, ମହାକବି ଆଦି
ସର୍ବେ ତାହାର ସନ୍ତାନ ।
ଭୌଗୋଳିକ ସ୍ଥିତି ଅତୀବ ଉତ୍କୃଷ୍ଟ
ପ୍ରକୃତି ବିଭା ମଣ୍ଡିତ l
ନାତି ଶୀତ-ଉଷ୍ଣ ଅଟେ ଜଳବାୟୁ
ସଭିଙ୍କୁ କରେ ଆକୃଷ୍ଟ ।
କିରୀଟ ସଦୃଶ ମଣ୍ଡିତ ମସ୍ତକ
ହିମଗିରି ଶୋଭାବନ ।
ମହାସିନ୍ଧୁ ଯେହ୍ନେ ପଦସରୋଜକୁ
କରୁଥାଏ ପ୍ରକ୍ଷାଳନ ।
ଭାରତର ପ୍ରାଚୀ ଦିଗେ ଅବସ୍ଥିତ।
ଶ୍ରୀ କ୍ଷେତ୍ର ବୈକୁଣ୍ଠଧାମ ।
ପ୍ରତିଚୀ ସୌରାଷ୍ଟ୍ରେ ସୋମନାଥ ପୁଣି
ଦ୍ବାରିକାନାଥଙ୍କ ଧାମ ।
ଉତ୍ତରାଖଣ୍ଡରେ ବଦ୍ରି ଓ କେଦାର
ଜାହ୍ନବୀ ଯେ ପୁଣ୍ଯତୋୟା ।
ପରମପାବନୀ ପତିତପାବନୀ
ଦିଏ ସଭିଙ୍କୁ ଅଭୟା ।
ତିରୁପତି–ରାମେଶ୍ବର ମହାଦେବ
ଦକ୍ଷିଣେ କନ୍ୟାକୁମାରୀ
ଏ ଆର୍ଯ୍ୟ ଭୂମିର ଶ୍ରେଷ୍ଠ ପରିଚୟ
ଏ ସର୍ବେ ଗୌରବ ଶିରୀ ।
କାଶ୍ମୀର ଅଟଇ ଭାରତ ଭୁସ୍ବର୍ଗ
ଦେବଭୂମି ହମାଳୟ ।
ଦଣ୍ଡାୟମାନ ସେ ପ୍ରହରୀ ରୂପରେ
ଦେଇ ବୀର ପରିଚୟ ।
ବୈଦିକ ଜ୍ଞାନରେ ହୋଇ ସମୁଜ୍ଜ୍ବଳ
ରଖି ନିଜ ସ୍ଵତନ୍ତ୍ରତା ।
ସୁମହତ ଶିକ୍ଷା ଦେଇ ଜଗତକୁ
ବିଶ୍ବେ ହେଲା ଦିବ୍ଯଦ୍ରଷ୍ଟା ।
ଲୋକମାତା ରୂପେ ହୁଅନ୍ତି ପୂଜିତା
ପାବନୀ ସରିତ କୁଳ ।
ଶସ୍ଯ-ଶ୍ୟାମଳା କରି ଭୁଖଣ୍ଡକୁ
ଦିଅନ୍ତି ଅମୃତ ଜଳ ।
ଗଙ୍ଗା-ଗୋଦାବରୀ ଓ କୃଷ୍ଣା-କାବେରୀ
ବ୍ରହ୍ମପୁତ୍ର/ମହାନଦୀ ।
ଜୀବଜଗତର କଲ୍ଯାଣ ନିମନ୍ତେ
ହୋଇ ସଦା ଦୃଢ଼ବ୍ରତୀ ।
ମହର୍ଷି ବାଲ୍ମୀକି ରଚୀ ଗମାୟଣ
ହୋଇଲେ ବଶ୍ବ ବୀଖ୍ୟାତ ।
ବ୍ୟାସଦେବ ମୁନି ରଖିଲେ ସୁଯଶ
ରଚିଣ ମହାଭାରତ ।
ବିକ୍ରମାଦିତ୍ୟଙ୍କ ରାଜ ପରିଷଦେ
ଥିଲେ ଜ୍ଞାନୀ ନବରତ୍ନ ।
ମହାଗ୍ରନ୍ଥ ସହ ନୀତି ଓ ଆଦର୍ଶ
ଦେଲେ ଉପଦେଶ ଜ୍ଞାନ ।
କାଳିଦାସ-ମାଘ-ଦଣ୍ଡୀ-ଭବଭୂତି
ଶ୍ରୀହର୍ଷ ଆଦି ପଣ୍ଡିତ ।
ସ୍ବକୀୟ ଜ୍ଞାନରେ ବିଶ୍ବ ସମୂହକୁ
କରିଥିଲେ ଉଦ୍ଭାସିତ ।
ଶ୍ରୀରାମ ଓ କୃଷ୍ଣ ବୁଦ୍ଧଦେବ ଗୁରୁ-
ଗୋବିନ୍ଦ ଓ ଆକବର ।
ବିଶ୍ବବାସୀଙ୍କର ମଙ୍ଗଳ ବିଧାନ
କରୁଥିଲେ ନିରନ୍ତର ।
ଗୋସ୍ୱାମୀ ତୁଳସୀ ଦାସ ଓ କବୀର
ନାନକ ଓ ସୁର ଦାସ ।
ଦୋହା-ଚୌପାଇରେ ସୁଧାମୟ ବାଣୀ
ଲେଖିଲେ ଗ୍ରନ୍ଥ ମାନସ ।
ଚାଣକ୍ୟ-ବିଦୁର-ମନୁ-ଭର୍ତ୍ତୃହରି
ପତଞ୍ଜଳି ଓ ପାଣିନି ।
ନୀତି ଓ ବୈରଗ୍ୟ-ଧର୍ମଶାସ୍ତ୍ର ଆଦି
ଯୋଗ - ବ୍ୟାକରଣ ପୁଣି ।
ବିଶ୍ବନାଥଙ୍କର ସାହିତ୍ୟ ଦର୍ପଣ
ଶ୍ରୀ ଜୟ ଗୀତଗୋବିନ୍ଦ
ଭଞ୍ଜ-ରାଧାନାଥ-ଗଙ୍ଗାଧରଙ୍କର
କୃତି ଯେ ବିଶ୍ବ ବଖ୍ୟାତ ।
ଶାନ୍ତି-ମୈତ୍ରୀ-ସ୍ନେହ-ସଦ୍ଭବର ବାର୍ତ୍ତା
ବିଶ୍ବେ କରି ପ୍ରତିଷ୍ଠିତ ।
ସାରା ବସୁଧାକୁ ଏକତା ସୂତ୍ରରେ
ବାନ୍ଧିଛି ଦେଶ ଭାରତ । ।
ବିଶ୍ବଧର୍ମ ସମ୍ମିଳନୀ ଚିକାଗୋରେ
ସ୍ବାମୀଜୀ ବିବେକାନନ୍ଦ ।
ଶ୍ରେଷ୍ଠ ବାଗ୍ମୀ ରୂପେ ବକ୍ତବ୍ୟ ରଖିଣ
କଲେ ସଭିଙ୍କୁ ଚକିତ ।
“ବସୁଧୈବ କୁଟୁମ୍ବକମ୍” ବିଷୟରେ
ଦେଇ ଦିବ୍ୟ ସମ୍ଭାଷଣ ।
ବିଶ୍ବର ଶ୍ରେଷ୍ଠ ମାନବ ରୂପରେ
ହୋଇଲେ ଗୁରୁ ମହାନ ।
ସତ୍ୟ-ଅହିଂସାର ମହାନ ପୂଜକ
ଥିଲେ ଜାତିର ଜନକ ।
ସତ୍ୟାଗ୍ରହ କରି ଅହିଂସା ନୀତିରେ
ଦେଶକୁ କରିଲେ ମୁକ୍ତ ।
ସେବା-ମମତାର ପ୍ରତିମୂର୍ତ୍ତୀ ସାଜି
ପୂଜ୍ଯା ମଦର ଟେରେସା ।
ଆଜୀବନ ସେବା କରି ମାନବଙ୍କ
ବିଶ୍ବେ ଲଭିଲେ ପ୍ରଶଂସା ।
ମୃତ୍ୟୁ ପରବର୍ତ୍ତୀ ଅଷ୍ଟାଦଶ ବର୍ଷେ
ପାଇଲେ ସନ୍ଥ ମାନ୍ୟତା ।
ଅମର ଆତ୍ମାର ଶ୍ରେଷ୍ଠ ମହୀୟସୀ
ସେବା ବଳେ ହେଲେ ଖ୍ୟାତା ।
ବିଶ୍ବକବି ରୂପେ ରବୀନ୍ଦ୍ର ଠାକୁର
ରଚିଲେ ଅମର ଗ୍ରନ୍ଥ ।
ବିଶ୍ବ ସମୂହର କରି ଗୁଣ ଗାନ
ହୋଇଲେ ଚିର ବିଖ୍ୟାତ ।
ବୀର ପ୍ରସବିନୀ ମୋ ଭାରତମାତା
ଅଟେ ବୀରଭୋଗ୍ଯା ଦେଶ ।
ବୀର ଖୁଦୀରାମ-ଶହୀଦଭଗତ
ରଖିଲେ ମାତାର ଯଶ ।
ଵୀରବିପ୍ଳବୀ ଅମର ନେତାଜୀ
ଥିଲେ ଶତ୍ରୁଙ୍କ ଶମନ ।
ରାଷ୍ଟ୍ର ପାଇଁ ସେ ଚରମପନ୍ଥୀ ସାଜି
ଦେଶ କରିଲେ ସ୍ବାଧୀନ ।
ଲୌହମାନବ ଯେ ସର୍ଦ୍ଦାର ପଟେଲ
ଥିଲେ ସେ ଶକ୍ତି ପୁରୁଷ ।
ଅଖଣ୍ଡ ଭାରତ ସ୍ଥାପନ ପାଇଁ କି
ଦେଖାଇଥିଲେ ପୌରୁଷ ।
ଉତ୍କଳ ମାତାର ବୀରପୁତ୍ର ଥିଲେ
ରାଜଗୁରୁ ଓ ସୁରେନ୍ଦ୍ର ।
ଦେଶପାଇଁ ଦେଲେ ଆତ୍ମବଳିଦାନ
ହୋଇଗଲେ ଯେ ଅମର ।
ଭାରତ ଅଟଇ ଗଣତନ୍ତ୍ର ରାଷ୍ଟ୍ର
ସାର୍ବଭୌମତ୍ବର ପ୍ରତୀକ ।
ଧର୍ମନିରପେକ୍ଷ ଓ ଜନମଙ୍ଗଳ
ବିଶ୍ବର ଶ୍ରେଷ୍ଠ ଦ୍ୟୋତକ ।
ଜାତି-ଧର୍ମ-ସମ୍ପ୍ରଦାୟ ନର୍ବିଶେଷେ
ଭିନ୍ନତା ମଧ୍ଯେ ଏକତା ।
ସର୍ବଧର୍ମ ସମନ୍ବୟର ମିଳନ
ହୋଇଛି ଏଠି ପ୍ରତିଷ୍ଠା ।
ଦୟା ଓ ଉଦାର-ମହତପଣରେ
ସଭିଙ୍କୁ କରି ଆପଣା ।
ଜଗତେ ବିରଳ ଏତାଦୃଶ ରାଷ୍ଟ୍ର
ହୋଇଛି ସେ ଉଚ୍ଚମନା ।
ଶତ୍ରୁ - ମିତ୍ରଙ୍କର ଏକତ୍ରାବସ୍ଥାନ
ଶରଣାର୍ଥୀଙ୍କ ରକ୍ଷକ
ନାହିଁ ଏହି ଦେଶେ ଭେଦାଭେଦ ଭାବ
ଅଟନ୍ତି ସର୍ବେ ନିର୍ଭୀକ ।
ଯାହା ନାହିଁ ଏହି ଭାରତ ବର୍ଷରେ
ତାହା ନାହିଁ ଏ ଜଗତେ ।
ଜ୍ଞାନ ବିଜ୍ଞାନର ଅମୃତଧାରକୁ
ବିତରିଛି ଶୁଦ୍ଧ ଚିତ୍ତେ ।
ଯାବତଚନ୍ଦ୍ରାର୍କ ଭାରତ ବିଶ୍ବରେ
ଆଣିଦେଉ ସଦ୍ଭାବନା ।
ସାରା ବସୁଧାର ହିତୈଷୀ ଭାବରେ
କରୁ ହିଁ ଶୁଭକାମନା ।
ଦେବଦୂତ ସମ ଶାନ୍ତିର ବାରତା
କରିଥାଉ ବିତରଣ ।
ବିଶ୍ବ ସମୂହର କଲ୍ୟାଣ ମନାସି,
ଭାରତ ହେଉ ମହାନ ।