ବସୁଧୈବ କୁଟୁମ୍ବକମ୍
ବସୁଧୈବ କୁଟୁମ୍ବକମ୍
ଯୋଗୀ ମୁନି ଙ୍କର ଦେଶ ମୋ ଭାରତ
ସଂସ୍କୃତି ତାର ମହାନ,
ସବୁ ମାନବଙ୍କୁ ଏହି ବସୁଧାରେ
କରେ କୁଟୁମ୍ବର ଜ୍ଞାନ l
ସାରା ବିଶ୍ୱରେ ସାମ୍ୟର ବାଣୀକୁ
ପ୍ରଚାରପ୍ରସାର କରେ
ବିବେକାନନ୍ଦ ସେ କହିଥିଲେ ଦିନେ
ଯାଇ ଚିକାଗୋ ସହରେ ll
ସାରା ବସୁଧା ଟି କୁଟୁମ୍ବ ସମାନ
ସଭିଏଁ ଭଉଣୀ ଭାଇ,
ଏକା ଆତ୍ମା ସର୍ବ ଘଟେ ବିରାଜିତ
ଭିନ୍ନଭିନ୍ନ କିଛି ନାହିଁ l
ଜାତି ଧର୍ମ ଗୋତ୍ର ଭିନ୍ନ ହୋଇଲେବି
ଏକା ରକ୍ତ ସର୍ବ ଦେହେ,
ଆବଶ୍ୟକ ହେଲେ ସେଇ ରକ୍ତ ଦିନେ
ଜୀବନ ବଞ୍ଚାଇ ଥାଏ l
ଯୁଦ୍ଧ ଘନ ଘଟା ଦିଅରେ ଦୂରେଇ
ଶାନ୍ତି ର ମାର୍ଗ କୁ ଧର,
ସ୍ନେହ ଓ ପ୍ରେମରେ ସଭିଏଁ ରହିଲେ
ଉନ୍ନତି ହେବ ବିଶ୍ୱର l
ଭାରତ ଆମର ବିଶ୍ଵଗୁରୁ ସାଜି
ବିଶ୍ୱରେ ପ୍ରଚରେ ଯାଇ,
ଛାଡି ତୁଚ୍ଛା ଅହଂଭାବ ବଡ଼ିମାକୁ
ଚଳିବାରେ ସାଥ ହୋଇ l
ଶାନ୍ତିସହାବସ୍ଥାନ କରିଲେ ସରବେ
ଭାତୃ ଭାବ ହୃଦେ ବହି,
ପ୍ରାକୃତିକ କଷ୍ଟ ଅବା ଆତଙ୍କରେ
ଯୁଝିବା ହାତ ମିଶାଇ ll
ସାରା ବିଶ୍ୱ ଏକ ପରିବାର ହେଲେ
ହୋଇବ କେତେ ଉନ୍ନତି,
ଶିକ୍ଷା ହେଉଅବା ଗବେଷଣା ହେଉ
ବଢିବ ସର୍ବତ୍ର ଖ୍ୟାତି l
