ବସନ୍ତ ଋତୁରେ ପ୍ରିୟା
ବସନ୍ତ ଋତୁରେ ପ୍ରିୟା


ଫୁଲେଇ ସ୍ୱଭାବ ପ୍ରତି ପ୍ରେମିକାର
ଲାଜୁଆ ହସର ଧାରେ
ବସନ୍ତ ଋତୁର ଛୁଆଁରେ କୁହୁକ
ଇଶାରା ପୁଣି ହସରେ
ଅତିକ୍ରମ କରି ଷୋଳ ଟି ବସନ୍ତ
ପ୍ରିୟା ପ୍ରାୟ ସଜବାଜ
ବସନ୍ତର ବାର୍ତ୍ତା ବୁଝିଛି ନିହାତି
ଚଳନ୍ତି ଲାଗେ ସହଜ
ବସନ୍ତ କହୁଛି ପ୍ରିୟା ତ ସୁନ୍ଦରୀ
ସୁନ୍ଦର ତାହାର ହସ
ହଳଦୀ ବସନ୍ତ ସହିତ କୋଇଲି
ପ୍ରିୟା ହସରେ ସନ୍ତୋଷ
ଅଜାଣତେ ପ୍ରିୟା ଗୁଣୁଗୁଣୁ ସ୍ୱରେ
ଯଦି ବା ଗାଉଛି ଗୀତ
କୋଇଲିର କୁହୁ ତାନରେ ତନ୍ମୟ
ପ୍ରେମ ଭାବ ଉଲ୍ଲସିତ
ବସନ୍ତ ବ୍ୟତୀତ ଶୀତ ବର୍ଷାରେ ବି
ପ୍ରିୟା ଲାଗଇ ସତେଜ
ଯୌବନ ନିଆଁରେ ଗ୍ରୀଷ୍ମ ଋତୁ ପ୍ରାୟ
ମଣେ ଆପେ ଅସହଜ
ପ୍ରିୟାର ପରଶ ମଧୁର ଆଭାସ
ହୃଦ ସ୍ପନ୍ଦନେ ଆବେଗ
ମିଠା ଅନୁଭୁତି ଲାଜୁଆ ହସରେ
ପ୍ରତି ମୁହୁର୍ତ୍ତ ସରାଗ
ଯୌବନର ଉଦ୍ଦାମତା ଧାରେ ସ୍ପର୍ଶ
ଅଙ୍ଗେ ଖେଳେ ଶିହରଣ
ସେହି ଶିହରଣେ ଜାଗି ଉଠେ ପ୍ରାଣ
ତନ ମନ ଅବସନ୍ନ
ପ୍ରୀତି-ପୂର୍ଣ୍ଣ କଥା ଅବା ସେ ସାନିଧ୍ୟ
ଆପେ ହୃଦେ ଉଜ୍ଜୀବିତ
ପ୍ରତି ମୁହୂର୍ତ୍ତରେ ମନରେ ଉତ୍କଣ୍ଠା
ମିଳନ ଆଶା ଜୀବିତ
ଅବ୍ୟକ୍ତ ବେଦନା ଜୀବନ ଯାତ୍ରାରେ
ଦିନେ ନୁହଁ ପ୍ରତିଦିନ
ଭୁଲିବାର ଚେଷ୍ଟା ପ୍ରାୟତଃ ବିଫଳ
କୋହ ଭରା ଏଇ ପ୍ରାଣ
ହୃଦୟେ ଜଡ଼ିତ ପ୍ରେମ ଉପହାର
ପ୍ରତି ମୁହୂର୍ତ୍ତେ ମହକେ
ଦିନ ପରେ ରାତି,ରାତି ପରେ ଦିନ
ଭାବନା ମୋ ନ ଅଟକେ।
ରୁଣୁଝୁଣୁ ଶବ୍ଦ ହେଲେ ଆଖ-ପାଖ
ପ୍ରିୟା ପାଉଁଜିର ଭ୍ରମ
ବ୍ୟଥିତ ହୃଦୟ ଭାବନାରେ ମଗ୍ନ
ହେବ କି ମୋ ମତିଭ୍ରମ !
କାହାକୁ କହିବି ମନର ଯନ୍ତ୍ରଣା
କିଏ ବା ଦେବ ସାନ୍ତ୍ଵନା
ଯନ୍ତ୍ରଣା ଭୋଗୁଛି ପ୍ରିୟାର ବିହୁନେ
ବେଳେବେଳେ ଆନମନା
ଅଲଗା ଅଲଗା ରହିବା ଯନ୍ତ୍ରଣା
ପ୍ରତି ମୁହୂର୍ତ୍ତରେ ଜାଗି
ବୁଝି ବି ଅବୁଝା ହେଉଛି ଏ ମନ
ପ୍ରିୟା ଅଙ୍ଗ ସଙ୍ଗ ଲାଗି
ଚଳନ୍ତି ଅବସ୍ଥା ବର୍ଣ୍ଣନା କରିବା
ଏକ ଦୂରୁହ ବ୍ୟାପାର
ଯନ୍ତ୍ରଣାରେ ମୋର ଜର୍ଜରିତ ପ୍ରାଣ
ନାହିଁ କି ତା' ପ୍ରତିକାର !
ଦୂରତା ଜନିତ ବିଚ୍ଛେଦ ଯନ୍ତ୍ରଣା
ସନ୍ତାପିତ ହୁଏ ପ୍ରାଣ
ହୃଦୟ କୋଣରୁ ଝରି ପଡେ ଲୁହ
ପୁଣି ଭର୍ତ୍ତି ଆଖି କୋଣ
ହୃଦୟର ଭାଷା ବୁଝିବା ହିଁ ପ୍ରେମ
ପ୍ରିୟା ମୋ ଅବୁଝା କିଆଁ
ସବୁ ବୁଝି ବୋଧେ ଅଭିନୟ ଧାରେ
ପ୍ରେମ ଜନିତ କିମିଆ
ପ୍ରିୟ ବିନା ବସନ୍ତ ବି ଫିକା ଫିକା
ଫିକା ମିଳନ ଲାଳସା
ପ୍ରେମ ପକ୍ଷୀ ଦୁହେଁ ବଞ୍ଚିବା ମରିବା
ପ୍ରେମର ସେ ପରିଭାଷା