ବସନ୍ତ ର ଆଗମନ
ବସନ୍ତ ର ଆଗମନ
ନବ ବାସ ତୁମେ ପରିଧାନ କରି
ବିରାଜ ହେ ଋତୁରାଜ,
ତୁମ ଆଗମନେ ପ୍ରକୃତିରାଣୀ ମୋ
ହୋଇଥାଏ ସଜବାଜ......... ||
କୋକିଳ ର ଗାନ, ହରିନିଏ ମନ
ଆନମନା ହୁଏ ପ୍ରାଣ
ଅବୁଝା ଭାଷା ରେ ସଂଗୀତ ମୂର୍ଚ୍ଛନା
କରନ୍ତି ବିହଗଗଣ........... ||
ନୂତନ ପଲ୍ଲଵ ପଲ୍ଲବିତ ହୁଏ
ପାଇ ତୁମ ପରଶରେ
ଚର୍ମ ର ଶୁଷ୍କତା ଦୂର କରି ଶିରି
ଆସଇ ଯେ ତନୁ ପରେ........ ||
ନାନାଦି କୁସୁମ ପ୍ରସ୍ଫୁଟିତ ହୋଇ
ଚହଟାଇ ଥାନ୍ତି ବାସ
ମାସ ତ ଲାଗଇ ମଧୁମାସ ସମ
ପାଇ ବସନ୍ତ ର ସ୍ପର୍ଶ........ ||
ପ୍ରମତ୍ତ ମଧୁପ ମଧୁ ଆସ୍ୱାଦନେ
ଘୁର୍ଣ୍ଣିତ କୁସୁମ ପାସ
ତରୁଣ ର ମନ ଯେସନେ ଜାଗଇ
ପ୍ରିୟା ର ଶୀତଳ ସ୍ପର୍ଶ....... ||
ଫଲଗୁ ସାଥେ ନେଇ ଫଗୁଣ ଆସଇ
ରଙ୍ଗେଇବ ତନୁ ମନ,
ଆମ୍ବ ବଉଳ ର ଓଢଣୀ ଭିତରେ
ହସିଉଠେ ଆମ୍ର ବନ....... ||
ରାମଙ୍କ ଜନମ ହୁଅଇ ପାଳନ
ଶିବଙ୍କ ଜାଗର ଯାତ,
ବାସନ୍ତୀକ ଦୁର୍ଗା ପୂଜା ର ଆରମ୍ଭ
ମା ସରସ୍ବତୀ ପ୍ରକଟିତ..... ||
ତୁମେ ନେଇ ଆସିଥାଅ
ନୂଆ ନୂଆ ଆଶା
ଏ ସାରା ଜଗତ ବୁଝି ତ ପାରଇ
ମନ୍ଦ ମଳୟ ର ଭାଷା...... ||
