ବସନ୍ତ ପଞ୍ଚମୀ
ବସନ୍ତ ପଞ୍ଚମୀ
ଶୁକଳ ପଞ୍ଚମୀ ଆଜି ମାଘମାସ ପୂଣ୍ୟ ଅବସର ବାସରେ
ମନ୍ଦ ମନ୍ଦ ଗନ୍ଧବହ ଲହରଇ ପ୍ରକୃତି ଅପୂର୍ବ ଚିତ୍ରରେ
ଧରାକୁ, ବର୍ଣ୍ଣାଳି ବରଣ ବିଭାରେ
ବିଚିତ୍ର ବର୍ଣ୍ଣରେ ସୁସଜ୍ଜିତ କରି ସ୍ଵାଗତେ ବନ୍ଦନା ଛଳରେ, ଧରାକୁ ।
ଶୁଭ୍ର ମଣିମୟ ରତ୍ନ ସିଂହାସନେ ଶ୍ଵେତ ଅରବିନ୍ଦ ଆସନେ
ବ୍ରହ୍ମ ଲୋକୁ ଆସି ମର୍ତ୍ତ୍ୟେ ବୀଣାପାଣି ଶୁଭ୍ର ରାଜହଂସ ସ୍ୟନ୍ଦନେ
ବିଜୟ,ଭୃଙ୍ଗଚୟ ବୀଣା ଵାଦନେ
ବକୁଳ ମଣ୍ଡିତ ଚୁତ ଡାଳେ ପିକ ଗାଉଛି ସଂଗୀତ ପଞ୍ଚମେ,ବିଜୟ ।
ଅଂଶୁମାଳି କର ଯାମିନି ନିକର ଚିରି ଯେହ୍ନେ ହୁଏ ଉଦୟ
ତେମନ୍ତେ ଅଜ୍ଞାନ ତିମିର ବିନାଶି ଆସନ୍ତି ହୋଇଣ ସଦୟ
ବରଦ, ହସ୍ତ ପ୍ରସାରିଣ ଅଭୟ
ପ୍ରଦାନ କରନ୍ତି ଜ୍ଞାନର ଆଲୋକେ ଧରା କରିଣ ପୂଣ୍ୟମୟ,ବରଦ ।