ବସନ୍ତ ବିରହ
ବସନ୍ତ ବିରହ
ନବ ପଲ୍ଲବ ପୁଲକେ ପୁଲକିତ
ଋତୁରାଜ କୁଞ୍ଜ କୁଞ୍ଜ ବିରାଜିତ
ଅର୍ଦ୍ଧ ଉନ୍ମୁକ ଅଧର ମୁଗ୍ଧ ମୁଖୀ
ବିଲୋକେ ବାଳା ବିଥିକା ବିମୋହିତ।
ଅଙ୍ଗ ଶାଖ ପତ୍ର ବାସ ସଙ୍ଗହୀନା
ଲଜ୍ୟାସିକ୍ତା ରିକ୍ତ ଅଙ୍ଗା ବନାଙ୍ଗନା
ନବ ପଲ୍ଲବ କରେ ଆଚ୍ଛାଦ ଆଶା
ଆସକ୍ତ ରସିକ ନିରାଶ ଲଳନା ।
ପଳାଶ ଅଧରା ରସ ସ୍ୱାଦ ସୁଧା
ବିମୋହିତ ମଧୁ ଲୁବ୍ଧ ଷଡ଼ପଦା
ଆତୁର ଅଧର ପ୍ରୀତି ପୟ ପାନେ
ପ୍ରୀତି କ୍ରୀଡ଼ା ପୀଡ଼ା ପ୍ରାପ୍ତ ତୃପ୍ତି ସୁଧା ।
କ୍ଷୀଣ କଟୀ ଶାଖ ପୃଥୁଳ ଗୁଚ୍ଛିକା
କାମକୁମ୍ଭ ଦମ୍ଭୀ କିଶୋରୀ କନ୍ୟିକା
ଦୋଳିତ ମତ୍ତ ମରୂତ ଛନ୍ଦେ ମନ୍ଦେ
ସ୍ଖଳିତ ବସନା ରସିକା ନାୟିକା ।
ଆମ୍ର ଅଶୋକ ବକୁଳ ଜାମ୍ବରୋଳ
ଲିମ୍ବ କରଞ୍ଜ କମଳା କି ତମାଳ
ଜାମ୍ବ କପିତ୍ଥ ପୁଷ୍ପ ମାଦକ ଗନ୍ଧେ
ପ୍ରତି ଅଙ୍ଗେ ପ୍ରୀତି ପରାଗ ପ୍ରବଳ।
ରାଗ ସରାଗ ରେ ଜରଜର ଦେହ
ମାର ମାରେ ତୀର ମରେ ନାହିଁ ମୋହ
କି'ବା କହିବି କା ପାଶେ କେଉଁ କଥା
ବ୍ୟଥା ବିରହ ବା ବସନ୍ତର ଦାହ ।