STORYMIRROR

sekhar Samal

Fantasy Others

4  

sekhar Samal

Fantasy Others

ବର୍ଷାର ମଧୁର ସ୍ମୃତି

ବର୍ଷାର ମଧୁର ସ୍ମୃତି

1 min
187


ବାଳୁତ କାଳର ବରଷା ଦିନର

     ଅନିର୍ବଚନୀୟ ସ୍ମୃତି

ପହିଲି ମୌସୁମୀ ପରଶେ ଭରମି

     ଅତୀତର ଅନୁଭୂତି।


ଖାତା ବହି ଚିରି ଡଙ୍ଗାଟିଏ କରି

   ଭସାଇବା ସ୍ରୋତ ଧାରେ

ଯାଆରେ ଭାସିଯା କାଗଜ ଡଙ୍ଗା ଯା

    ମିଶିଯାଆ ସାଗରରେ।


ଟାପୁରୁ ଟାପୁରୁ ମେଘ ଆକାଶରୁ

     ବରଷିଲେ ଗଡିଆରେ

ସାଧବ ବୋହୁଟି ନାଲି ପାଟ ପିନ୍ଧି

    ମେଳାକରେ ପଡିଆରେ।


ଗାଆଁ ପୁଷ୍କରିଣୀ ସ୍ଫୀତ ଜଳ ଘେନି

     ବଗ ଜଗି ବସେ ମୀନ

ଗୋଟିଏ ଗୋଡରେ ଧ୍ୟାନମୁଦ୍ରା କରେ

      ତପ ମୂର୍ତ୍ତି ସନ୍ଦିହାନ।


ସାରୁ ପତରରେ କଂକି ଧରିବାରେ

      ମାହାର୍ଗ ସେ ଅନୁଭୂତି

ପୋଖରୀରେ କଇଁ ତୋଳିବାକୁ ଯାଇ

      ନାକ ବୁଡି ଜଳମତି।


ନଦୀ ବଢି ଦୁଇ କୁଳ ଖାଉଥାଇ

     ଭାସିଯାଏ ଘରଦ୍ବାର

ଗାଇ ଲାଂଜ ଧରି ଗୋପାଳ ପହଁରି

     ଯାଏ ନଦୀ ଆରପାର।


ମୁଷଳ ବରଷା ବୁଡାଏ ଭରସା 

     ଘର ବାହୁଡିବା ବେଳେ

ଓଦା ସରସର ଡାକିଆଣେ ଜର

    ଶର୍ଦ୍ଦି କାଶ କେତେବେଳେ।


ବରଷାରେ ଭିଜି ବାଧକି ଅରଜି 

   ବୋଉ କୋଳର ସୋହାଗ

ବାପାଙ୍କର ସ୍ନେହ ହେଲେହେଁ ଦୁରୂହ

    କରନ୍ତି ବହୁ ସରାଗ।


ଭୋଦୁଅ ସକାଳ ଖୁଦୁରୁକୁଣୀର  

    ବାଲୁଙ୍କା ପୂଜଇ ସଖି

ହୁଳହୁଳି ଶବ୍ଦେ ମନେପଡେ ଲବେ

    ତଅପୋଇ ନିରିମାଖୀ।


ସାଧବ ଦୁଲଣୀ ମୁଷା ମାଟି ଘେନି

    ଭାତ ଖୋଜୁଥାଏ ତହିଁ

ସାନ ଭାଉଜର ପାଳି ଅବସର

     ପେଟପୁରା ଅନ୍ନ ଦେଇ।


ବରଷା ସମୟ ସୁମଂଗଳ ମୟ 

    ଧାନ ବିଲ ସବୁଜିମା

ଜହ୍ନି ଫୁଲ ଠୋଠା ସଂଗୀତର ଲଠା

    କିଶୋରୀର ଅରୁଣିମା।


ମାଆ ମାଉସିଏ ହୁଳହୁଳି ଦିଏ

    ବୁଧିବାମନ ଓଷାରେ

ଚିନ୍ତି ବିଦ୍ୟାଦାନ ଗଣେଶ ପୂଜନ

    ପୁଷ୍ପାଞ୍ଜଳି ହରଷରେ।

     

ମନ ପବନରେ କୁହୁକ ଯାନରେ

    ଶୈଶବ ରାଇଜେ ଗଲେ

ଭାଙ୍ଗିବାକୁ ସ୍ୱପ୍ନ ବଳେ ନାହିଁ ମନ

     ମଧୁର ମୁର୍ଛନା ତୋଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy