ବର୍ଷାକାଳ ଉପଗତ
ବର୍ଷାକାଳ ଉପଗତ
କଜଳ ରଙ୍ଗର ସଜଳ ଜଳଦ
ଭାସେ ଆଜି ନଭ ଦେଶେ
ଜଳଦର କୋଳେ ସୌଦାମିନୀ ଖେଳେ
ଆହା କି ସୁନ୍ଦର ଦିଶେ
ଗୁରୁ ଗରଜନ ଶୁଭେ ଘନ ଘନ
ଭୟେ ପ୍ରକମ୍ପିତ ଚିତ୍ତ
ଶୀତଳ ସମୀର ଦିଅଇ ଖବର
ବର୍ଷାକାଳ ଉପଗତ
ବର୍ଷା ଗୋ ତୁମେ ଝରି ଯାଅ ଆଜି
ଟିପି ଟିପି ପଦ ଛନ୍ଦେ
ଆଦ୍ୟ ଆଷାଢରେ ମୋହିନିଅ ମନ
ଭିଜାମାଟିର ସୁଗନ୍ଧେ
ଉତ୍ତପ୍ତ ଏ ଧରା ଶୀତଳ ହୋଇବ
ପରିବେଶ ହେବ ଶାନ୍ତ
ତରୁ ଲତା ବନ ପାଇ ତୁମ ସ୍ପର୍ଶ
ହେବେ ନବ ପଲ୍ଲବିତ
ତୃଷିତ ଚାତକ ଲଭିବ ସନ୍ତୋଷ
ପିଇ ନବ ବର୍ଷା ବାରି
ବିରହିଣୀ ମନ ଦୁଃଖେ ହେବ ପୂର୍ଣ୍ଣ
ପ୍ରୟତମେ ଝୁରି ଝୁରି
ସପ୍ତ ରଙ୍ଗ ନେଇ ଇନ୍ଦ୍ରଧନୁ ଶୋଭା
ଝଟକିବ ନଭ ଦେଶେ
ଦେଖି ମେଘମାଳ ମୟୂର ସକଳ
ନାଚିବେ ହର୍ଷ ଉଲ୍ଲାସେ
କିଆ ଓ କେତକୀ ଫୁଟି ଚହଟିବେ
ମହକାଇ ପରିବେଶ
କେଦାରେ ସବୁଜ ଶସ୍ୟ ଶୋଭା ଦେଖି
ଚାଷୀ ହୋଇବ ହରଷ
ସବୁଜ କଅଁଳ ଘାସ ଗାଲିଚାରେ
ଟାଣି ତା ନାଲି ଓଢଣି
ଧୀରେ ଧୀରେ ଯିବ ସାଧବ ବୋହୂଟି
ଦେଖାଇ ତା ରୂପ ଠାଣି
ବେଙ୍ଗୁଲୀ ରାଣୀଟି ଦେବ ହୁଳହୁଳୀ
ସାରୁବୁଦା ମୂଳେ ବସି
ସ୍ୱାଗତ କରିବ ତୁମ ଆଗମନେ
ଯିବାକୁ ଜଳ ବରଷି
ମୃତ ପ୍ରାୟ ନଦୀ ହୋଇବେ ଜୀବନ୍ତ
ବହିବେ ପ୍ରଖର ବେଗେ
ଜୀବନର ସ୍ୱପ୍ନ ସାକାର କରିବେ
ମିଶି ଜଳଧିର ସଙ୍ଗେ
ଲଙ୍ଘି ଦୁଇ କୂଳ ବହିଯିବ ଜଳ
ଉଜୁଡି ଯିବ ଫସଲ
ଭାସିଯିବ ଘର ପଶୁ ପକ୍ଷୀ ନର
ଦୁଃଖେ ହୋଇ କଲବଲ
ତୁମ ସଙ୍ଗେ ଆସେ ଚିତାଲାଗି ଓଷା
ରାକ୍ଷୀ ଓ ଗହ୍ମା ଝୁଲଣ
ଗହ୍ମା ପୂର୍ଣ୍ଣମୀରେ ଝୁଲଣେ ଝୁଲିବେ
ରାଧିକା ସଙ୍ଗେ ମୋହନ
ଆଗମନେ ତୁମେ ଭରିଦିଅ ଅଙ୍ଗେ
ମୃଦୁ ମନ୍ଦ ଶିହରଣ
ଅପସରି ଯାଅ ଧରା ପୃଷ୍ଠେ ଦେଖି
ଶରତର ଆଗମନ
ବର୍ଷା ଗୋ ତୁମେ ଯଥା ସମୟରେ
ଆସୁଥାଅ ପ୍ରତି ବର୍ଷ
ବର୍ଷି ନବ ବାରି ପ୍ରକୃତି ରାଣୀକୁ
ରଖ ସୁନ୍ଦର ସରସ
