STORYMIRROR

Bauribandhu Lenka

Classics

3  

Bauribandhu Lenka

Classics

ବର୍ଷାକାଳ ଉପଗତ

ବର୍ଷାକାଳ ଉପଗତ

1 min
331

କଜଳ ରଙ୍ଗର ସଜଳ ଜଳଦ

ଭାସେ ଆଜି ନଭ ଦେଶେ

ଜଳଦର କୋଳେ ସୌଦାମିନୀ ଖେଳେ

ଆହା କି ସୁନ୍ଦର ଦିଶେ


ଗୁରୁ ଗରଜନ ଶୁଭେ ଘନ ଘନ

ଭୟେ ପ୍ରକମ୍ପିତ ଚିତ୍ତ

ଶୀତଳ ସମୀର ଦିଅଇ ଖବର 

ବର୍ଷାକାଳ ଉପଗତ


ବର୍ଷା ଗୋ ତୁମେ ଝରି ଯାଅ ଆଜି

ଟିପି ଟିପି ପଦ ଛନ୍ଦେ

ଆଦ୍ୟ ଆଷାଢରେ ମୋହିନିଅ ମନ

ଭିଜାମାଟିର ସୁଗନ୍ଧେ


ଉତ୍ତପ୍ତ ଏ ଧରା ଶୀତଳ ହୋଇବ

ପରିବେଶ ହେବ ଶାନ୍ତ

ତରୁ ଲତା ବନ ପାଇ ତୁମ ସ୍ପର୍ଶ

ହେବେ ନବ ପଲ୍ଲବିତ


ତୃଷିତ ଚାତକ ଲଭିବ ସନ୍ତୋଷ

ପିଇ ନବ ବର୍ଷା ବାରି

ବିରହିଣୀ ମନ ଦୁଃଖେ ହେବ ପୂର୍ଣ୍ଣ

ପ୍ରୟତମେ ଝୁରି ଝୁରି


ସପ୍ତ ରଙ୍ଗ ନେଇ ଇନ୍ଦ୍ରଧନୁ ଶୋଭା

ଝଟକିବ ନଭ ଦେଶେ 

ଦେଖି ମେଘମାଳ ମୟୂର ସକଳ

ନାଚିବେ ହର୍ଷ ଉଲ୍ଲାସେ


କିଆ ଓ କେତକୀ ଫୁଟି ଚହଟିବେ

ମହକାଇ ପରିବେଶ

କେଦାରେ ସବୁଜ ଶସ୍ୟ ଶୋଭା ଦେଖି

ଚାଷୀ ହୋଇବ ହରଷ


ସବୁଜ କଅଁଳ ଘାସ ଗାଲିଚାରେ

ଟାଣି ତା ନାଲି ଓଢଣି

ଧୀରେ ଧୀରେ ଯିବ ସାଧବ ବୋହୂଟି

ଦେଖାଇ ତା ରୂପ ଠାଣି


ବେଙ୍ଗୁଲୀ ରାଣୀଟି ଦେବ ହୁଳହୁଳୀ

ସାରୁବୁଦା ମୂଳେ ବସି

ସ୍ୱାଗତ କରିବ ତୁମ ଆଗମନେ

ଯିବାକୁ ଜଳ ବରଷି


ମୃତ ପ୍ରାୟ ନଦୀ ହୋଇବେ ଜୀବନ୍ତ

ବହିବେ ପ୍ରଖର ବେଗେ

ଜୀବନର ସ୍ୱପ୍ନ ସାକାର କରିବେ 

ମିଶି ଜଳଧିର ସଙ୍ଗେ


ଲଙ୍ଘି ଦୁଇ କୂଳ ବହିଯିବ ଜଳ

ଉଜୁଡି ଯିବ ଫସଲ

ଭାସିଯିବ ଘର ପଶୁ ପକ୍ଷୀ ନର

ଦୁଃଖେ ହୋଇ କଲବଲ


ତୁମ ସଙ୍ଗେ ଆସେ ଚିତାଲାଗି ଓଷା

ରାକ୍ଷୀ ଓ ଗହ୍ମା ଝୁଲଣ

ଗହ୍ମା ପୂର୍ଣ୍ଣମୀରେ ଝୁଲଣେ ଝୁଲିବେ

ରାଧିକା ସଙ୍ଗେ ମୋହନ


ଆଗମନେ ତୁମେ ଭରିଦିଅ ଅଙ୍ଗେ

ମୃଦୁ ମନ୍ଦ ଶିହରଣ

ଅପସରି ଯାଅ ଧରା ପୃଷ୍ଠେ ଦେଖି

ଶରତର ଆଗମନ


ବର୍ଷା ଗୋ ତୁମେ ଯଥା ସମୟରେ

ଆସୁଥାଅ ପ୍ରତି ବର୍ଷ

ବର୍ଷି ନବ ବାରି ପ୍ରକୃତି ରାଣୀକୁ

ରଖ ସୁନ୍ଦର ସରସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics