ବରଷା
ବରଷା
ବରଷା ଋତୁର କାଳେ,
ଗଗନେ ବଉଦ ଖେଳେ ।
ନୃତ୍ଯ କରେ ବର୍ହୀ ଦେଖିଣ ଜଳଦ,
ବିଜୁଳି ଚମକ ଶୁଣି ବଜ୍ରନାଦ ।
ଅମ୍ବରୁ ଝରେ ସଲିଳ,
ସାଥେ ଖସେ ବର୍ଷୋପଳ ।
ଦେଖି ସୃଷ୍ଟି ରୂପ ସ୍ଥିର ସର୍ବ ପ୍ରାଣୀ,
ମିଠା ଗୀତ ବୋଲେ ଯେ ବେଙ୍ଗୁଲୀ ରାଣୀ ।
ହସି ଉଠେ ବସୁନ୍ଧରା,
ବନପ୍ରାଣୀ ଜଳଧାରା ।
ଚେଇଁ ଉଠେ ଜୀବ ପାଇ ସୁଧାଜଳ,
ବିଦ୍ଯୁତ୍ ଶକତି ପାଉ ନାନା ବଳ ।
ଫୁଟଇ ଛତୁ କାନନେ,
ପଙ୍କରେ ପଦ୍ମ ଗୋପନେ ।
ନୀର ରଖେ ପ୍ରାଣ ତା' ସମ କେ' ନାହିଁ,
ଆବର୍ଜନା ସଫା ଭୂ-ପୂତ କରଇ ।
ବର୍ଷା ଶବଦେ ବାଜେରେ,
ଶିତାର ପ୍ରାଣୀ ମନରେ ।
ନାଚେ ପ୍ରାଣୀଚିତ୍ତ କର୍ଣ୍ଣେ ଶୁଣି ନାଦ,
ପ୍ରାଣୀ ଚାଖେ ସଦା ବରଷାର ସ୍ବାଦ ।
ଦେଖାଦିଏ ବିକର୍ତ୍ତନ,
ଥମେ ଯେବେ କଳାଘନ ।
ଇନ୍ଦ୍ରଧନୁ ଶୋଭା ପ୍ରାଣୀ ଦେଖି ତୃପ୍ତ,
ଉଇ ଗଢେ ବସା ତା' କର୍ମେ ସେ ଲିପ୍ତ ।
ସ୍ରଷ୍ଟା ସୃଷ୍ଟିଛି ଜୀବନ,
କର ସରବେ ସ୍ମରଣ ।
ମର୍ତ୍ତ୍ଯବାସୀଙ୍କର ପ୍ରାଣ ରଖେ ଅର୍ଣ୍ଣ,
ଜଳ ସମ କେବେ ହେବ ନାହିଁ ସ୍ବର୍ଣ୍ଣ ।
