ବର୍ଷା ବସୁମତୀ
ବର୍ଷା ବସୁମତୀ
ବଉଳ ଫୁଲର ମୁଗ୍ଧ ମହକରେ
ହସଇ ଧରଣୀ ରାଣୀ
ଭିଜାଅଙ୍ଗେ ଯାର ପ୍ରୀତିର ମହ୍ଲାର
ଭାବ ବିହ୍ଵଳିତ ଠାଣି
ଅନୁରାଗ ଭରା ପ୍ରୀତି
ବିଦଗ୍ଧ ମନର ଆଶା ଅଭିସାର
ଲୁହରେ ପଖଳା ସ୍ମୃତି ।
ମୈ।ସୁମୀ ପ୍ରେମର
ମୋହ ମହକରେ
ପୁଲକି ଉଠଇ ଦେହ
ପ୍ରାଣ ସୁଧାବିନ୍ଦୁ ଲହଡ଼ି ମାଳାରେ
ଜାଗି ଉଠ ପ୍ରୀତି ମୋହ
ଅମୃତମୟ ସେ ଭାବ
ତୃଷିତ ତନୁରେ ସମ୍ମୋହନ ଭରେ
ପ୍ରୀତି ଭିଜା ଅନୁଭବ ।
ସମୟ ବୁକୁରେ ହଜିଯାଇଥିବା
ମାଟିର ସପନ ଯେତେ
ଭୂମି ଓ ଭୂମାର ମଧୁ ଆକର୍ଷଣ
କି ରହସ୍ୟମୟ ସତେ
ମିଳନ ମଧୁର ଆଶା
ପ୍ରେମ ପ୍ରଣୟ ସପନ ଶୃଙ୍ଗାରେ
ନୈସର୍ଗିକ ପରିଭାଷା ।
ଋତୁଚକ୍ରର ଏ ଅଧିନିୟମରେ
ଧରାରାଣୀ ଫୁଲମତୀ
ଆକାଶ ପୃଥିବୀ ମହା ମିଳନର
ଗହନ ଗୋପନ ପ୍ରୀତି
ମହମହ ବାସେ ଧରା
ଶାଶ୍ଵତ ପ୍ରୀତିର ସମ୍ମୋହନୀ ସୂତ୍ର
ମଉସୁମୀ ବର୍ଷା ଧାରା ।
ମଉଳା ମନର ଭଙ୍ଗା ସପନର
ଅସଜଡା ସୁର ଲିପି
ସପନ ପଖଳା ମୁକୁଳା ହୃଦୟେ
ବୈଶାଖୀ ବେଦନା ମାପି
ପିଆସୀ ହୃଦୟ ତୀରେ
ଆଦ୍ୟ ଆଷାଢ଼ର ଅସୁମାରୀ ମୋହ
ମଉସୁମୀ ବର୍ଷା ନୀରେ ।
ପ୍ରେମେ ପୁଲକିତ ତନୁ ରୋମାଞ୍ଚିତ
ଉଲ୍ଲସିତ ଉନ୍ମାଦନା
ଆକାଶ ପୃଥିବୀ ମିଳନ ରହସ୍ୟ
ଜ୍ଞାନକୁ ଅଗମ୍ୟ ସିନା
ଅନୁପମ ପ୍ରୀତି ଧାରା
ସବୁଜ ସ୍ଵପ୍ନରେ ସୃଜନ ସ୍ଵାକ୍ଷରେ
ପ୍ରାଣ ସଞ୍ଜୀବନୀ ଭରା ।
ପହିଲି ଆଷାଢ଼ ବରଷାରେ ଭିଜି
ଆହାକି ସୁନ୍ଦର ଦିଶେ
ବର୍ଷା ଭିଜା ଏଇ ଧୂସର ଧରଣୀ
ନବ ନୀଳିମାରେ ହସେ
ଏ ଧରା ଐଶ୍ୱର୍ଯ୍ୟ ମୟୀ
ସୃଷ୍ଟି ସର୍ଜନାର ବିଚିତ୍ର ବିଧାନେ
ନିଖିଳର ପ୍ରାଣଦାୟୀ ।
