ବୃଦ୍ଧ
ବୃଦ୍ଧ
ଝରିପଡ଼େ ହସ ବୃଦ୍ଧଙ୍କ ମୁହଁରୁ ଯେବେ ଆଶ୍ୱସ୍ତିର ଆଶା,
ଆଶା ବାଡ଼ି ହୁଏ ଆଶାର ମୀନାର ମିଳିଯାଏ ନବ ହସା |୧|
ଯେବେ ମିଳେ ନାହିଁ ସେନେହ ମମତା ପ୍ରିୟ ପୁଅ ଝିଅଠାରୁ ,
ହଜିଯାଏ ଆଶା ତୁଟଇ ଭରସା ବଞ୍ଚିବା ଜୀବନଠାରୁ |୨|
ନଇଁଯାଏ ଅଣ୍ଟା ହୋଇଯାଏ ବଙ୍କା ଦେହ ଭରା ନ ସହଇ,
ଦୁଇ ଆଣ୍ଠୁ ମଝି ମୁଣ୍ଡ ଗୁଞ୍ଜିହୁଏ ଆଖିପତା ନଇଁ ଯାଇ |୩|
ଶ୍ମଶ୍ରୁ ଭରା ମୁହଁ ଲୁହ ଭରା ଆଖି ବେସହରା ବୃଦ୍ଧ ହୁଏ,
ପାନ୍ଥଶାଳା ଅବା ବୃକ୍ଷମୂଳ ତାଙ୍କ ଆଶ୍ରୟ ସ୍ଥଳଟି ହୁଏ |୪|
ବରଷା ଖରାର ମଝିର ମଣିଷ ପେଶାପେଶି ଦେଖାଯାଏ,
ପେଟର ଭୋକକୁ ମୁହଁର ଲାଜ ତ ତହୁଁ ପୁଣି ବଳିଯାଏ |୫|
ଉଚ୍ଚ ପଦଧାରୀ ପୁଅ ବୋହୂମାନେ ବାପା ଯାନ୍ତି ବୃଦ୍ଧାଶ୍ରମ ,
କହିବା କାହାକୁ କପାଳ ଲିଖନ ଭାବି ଭାବି ଯାଏ ଦିନ |୬|
ଏମନ୍ତ ବିଚାର ଦିନୁ ଦିନ ବଢ଼େ ଶିକ୍ଷିତ ସମାଜ ଘରେ ,
ବୃଦ୍ଧବୃଦ୍ଧା ସେବା ଚୂଲିକୁ ଗଲାଣି ଖାଇବା ଗଲାଣି ଦୂରେ |୭|
ତଥାପି ବଞ୍ଚିଛି ମଣିଷ ପଣିଆଁ ସମାଜ ଲୋକଙ୍କ ଘରେ,
ବୃଦ୍ଧ ପିତାମାତା ପୂଜିତ ହୁଅନ୍ତି ଦେବତା ଦେବୀ ରୂପରେ |୮|
ସମାଜ ଦାଣ୍ଡରେ ସର୍ବ ଦେବାଦେବୀ ବୃଦ୍ଧ ବୃଦ୍ଧା ଯେବେ ହେବେ ,
ତାହେଲେ ତିଷ୍ଠିବ ସମାଜ ମନ୍ଦିର ସଂସାର ସଂସ୍କାର ନାବେ |୯|
ଆସ ଭରିଦେବା ହସର ଜୁଆର ସେହି ବୃଦ୍ଧବୃଦ୍ଧା ମୁହେଁ,
ତାଙ୍କରି ହସରେ ଆମେ ବି ହସିବା ହସିବ ସଂସାର ତେବେ |୧୦|