ବୋଉଙ୍କ ସ୍ମୃତିରେ
ବୋଉଙ୍କ ସ୍ମୃତିରେ
ଭାରି ଅବୁଝା ତ ନିରବତା ମୋର,
ହାତ ଠାରି ସଦା ଶୁନ୍ୟତା କୁ ଡାକେ,
ତୁମ ସ୍ମ୍ରୁତି ଟା ବି ଭାରି ଅମାନିଆ,
ରହେ ସିଏ ସଦା ଶୁନ୍ୟତା ର ବୁକେ |।
ତୁମେ ବି ତ କେବେ କିଛି ବୁଝ ନାହିଁ,
ସ୍ମ୍ରୁତି ହାତ ଧରି ଚାଲି ଚାଲି ଆସ,
ମୁଁ ମୋର ହାତ ବଢାଇବା ବେଳେ
ସପନ ସରଈ, ଶୁଣେ ଖାଲି ହସ |।
ହସ ଟା ତ ତୁମ ଖିଲି ଖିଲି, ରୂପ
ଦେଖିଥିଲି କେବେ ଆଜି ମନେ ନାହିଁ,
ଆଜି ଆଉ ଥରେ ଦେଖିବାକୁ ଗଲେ
ଛବି ଯାହା ଦିଶେ, ରୂପ ତୁମ ନାହିଁ |।
ସେଇ ଛବି ସାଥେ କଥା ହୁଏ ସିନା,
ଉତ୍ତର ଦେବାକୁ କାହିଁ କେହି ନାହିଁ,
ଯେଉଁ ପଦ କହି ଡାକୁ ଥିଲି ଦିନେ,
ଆଜି ଡାକ ଦେଲେ କେହି ଶୁଣେ ନାହିଁ ।।
ଡାକ ମୋର ଫେରେ ପ୍ରତିଧ୍ୱନି ହୋଇ,
ଭାଙ୍ଗିଦିଏ ସବୁ ବୁଝା ଅଭିମାନ,
ଜାଣିଛି ଫେରିବ ନାହିଁ ତୁମେ କେବେ,
ତଥାପି ଲୋଡ଼ଇ ତୁମକୁ ଏ ମନ ।।
ବଡ଼ ହୋଇ ଆଜି ବୁଝିଲି ଜୀବନ,
କେତେ ଯେ ଜଟିଳ କେତେ ଯେ ନିଷ୍ଠୁର,
ଲୁହ ଝରିଗଲେ ପୋଛିବାକୁ ଆଉ,
ପଣତ କାନିଟି ନାହିଁ ଯେ ତୁମର ।।
ମୁଣ୍ଡ ଆଉଁସି ଯେ ଗାଉଥିଲ ଗୀତ,
ଭୁଲାଇ ଦେଉଥିଲ ସବୁରି ଦୁଃଖ,
ଏ ସାରା ସଂସାର ଖୋଜିଲେ ବି ଆଉ,
ମିଳିବକି ବୋଉ ସେ ସରଗ ସୁଖ ?
