ଅନ୍ଧାର ରହିଛି ବାକି ।
ଅନ୍ଧାର ରହିଛି ବାକି ।
ସ୍ୱପ୍ନ ଦେଖିବାକୁ ଚାହିଁଥିଲି ମୁହିଁ
ବୁଜିବାକୁ ଟିକେ ଆଖି,
ସ୍ୱପ୍ନ ଆସିଗଲା ନିଜ ବାଟେ ଖାଲି
ଅନ୍ଧାର ରହିଲା ବାକି ।।
ଗହନ ଅନ୍ଧାରେ ଯାଇଛି ମୁଁ ହଜି
ପାଉନି ଚାଲିବା ବାଟ,
ଉଆଁସ ଆକାଶେ ନାହିଁ ଜହ୍ନ ତାରା
ଆଗରେ ରାତି ବିରାଟ ।।
ବିଜନ ତ ନାହିଁ ସହର ବଜାର
ତଥାପି ଆଜି ମୁଁ ଏକା,
ଆଖି ବୁଜିଥିଲେ ସଭିଏଁ ଦିଶନ୍ତି
ଖୋଲିଦେଲେ ବିଭୀଷିକା ।।
କଣ୍ଠ ରୁନ୍ଧିହୁଏ କାହାକୁ କହିବି
ଛାତିର ଏ ମୂକ ବ୍ୟଥା,
ହାତ ବଢ଼ାଇଲେ ମିଳେନାହିଁ ଆଉ
ସାନ୍ତ୍ୱନା ଭରା ସେ କଥା ।।
ହସିବାକୁ ଚାହିଁ ଓଠ ଖୋଲିଦେଲେ
ନୟନୁ ବହୁଛି ଲୁହ,
ନିଜ ସାଥେ ନିଜେ ଲଢ଼ିବାକୁ ଯାଇ
ସାଉଁଟୁଛି ଖାଲି କୋହ ।।
କେବେ ପାହିବ ଏ କାଳରାତ୍ରି ଆଉ
କେବେ ବା ଫୁଟିବ ଦିନ,
ଉତ୍ତର ନପାଇ ଶୂନ୍ୟତା ଭିତରେ
ଝୁରିହୁଏ ଏଇ ମନ ।।
