ସାନ୍ତ୍ୱନା
ସାନ୍ତ୍ୱନା
ଜଳକା ଟେ ହୋଇଥିବୁ
ବା କରୁଥିବୁ ଚିତ୍କାର,
ଶୁଖି ଯାଇଥିବ ଆଖି
ବା ବହୁଥିବ ଲୁହଧାର ।
ମନେ ମନେ ଭାବି ନିଏ
କେମିତି ଥିବୁ ଏ କ୍ଷଣେ,
ପଚାରି ବୁଝିବା ପାଇଁ
ଶକ୍ତି ମୋର ନାହିଁ ଜାଣେ ।।
କାନ୍ଧ ଟିକେ ଦେବା ପାଇଁ
ପାଖରେ ତ ନାହିଁ ମୁହିଁ,
ନୀରବ ଏ ପ୍ରାର୍ଥନା ବିନା
ଦେବାକୁ ବି କିଛି ନାହିଁ ।
ତୋ ଛାତିର ମୂକ ବ୍ୟଥା
ଜଳୁଅଛି ମୋର ପ୍ରାଣେ,
ପଚାରି ବୁଝିବା ପାଇଁ
ଶକ୍ତି ମୋର ନାହିଁ ଜାଣେ ।।
ଖୋଜୁଥିବୁ ଚାରିଆଡ଼େ
ଅଭୁଲା ସେ ପିଲାଦିନ,
ଶୂନ୍ୟ ଏ ଅଗଣା ଚାହିଁ
ଝୁରୁଥିବ ତୋର ମନ ।
ଚିରିଦେଇ ଗଲା ଛାତି
ନିୟତିର ଏ ଦଂଶନେ,
ପଚାରି ବୁଝିବା ପାଇଁ
ଶକ୍ତି ମୋର ନାହିଁ ଜାଣେ ।।
ଚାହିଁଥିବୁ ବାରମ୍ବାର
ସେଇ ଶୂନ୍ୟ ଦୁଆରକୁ,
ପବନରେ ଖୋଜୁଥିବୁ
ପରିଚିତ ସେ ଡାକକୁ ।
ଅସହାୟ କୋହ ତୋର
ବାଜୁଅଛି ମୋର କାନେ,
ପଚାରି ବୁଝିବା ପାଇଁ
ଶକ୍ତି ମୋର ନାହିଁ ଜାଣେ ।।
ଘରସାରା ଖେଳୁଥିବ
ତା’ର ସେଇ ପାଦଚିହ୍ନ,
କୋହଭରା ଆଖି ଦୁଇ
ଝୁରୁଥିବ ରାତିଦିନ ।
ଜଳୁଥିବୁ ନିଜେ ନିଜେ
ଶୂନ୍ୟତାର ଏ ଦହନେ,
ପଚାରି ବୁଝିବା ପାଇଁ
ଶକ୍ତି ମୋର ନାହିଁ ଜାଣେ ।।
ହସିବାର ସବୁ ବାଟ
ଆଜି ଯେବେ ବନ୍ଦ ହେଲା,
ଭାଗ୍ୟର ନିଷ୍ଠୁର ଖେଳେ
ସବୁ ସ୍ୱପ୍ନ ଭାଙ୍ଗିଗଲା ।
ନିରବରେ ବୁଝିନିଏ
ତୋ ବେଦନା ନିଜ ମନେ,
ପଚାରି ବୁଝିବା ପାଇଁ
ଶକ୍ତି ମୋର ନାହିଁ ଜାଣେ ।।
