ବୋଉ
ବୋଉ
ଦିନକୁ ଦିନ ପ୍ରତିଦିନ
ପୃଥିବୀ, ସମୟ ସହିତ ତାଳ ଦେଇ
ଆୟୁଷ ସରୁଛି ବୋଉର
କିଏ କିନ୍ତୁ ବୁଝିପାରୁନି ତା ଭିତର ଉଦାସ
ନୀରବତାରୁ ସେ ହୁଏତ ଅଗ୍ରସର ହେଉଛି
ଜଡ଼ମୟ କାଠଗଡ଼ ହେଇଯିବା ଆଗରୁ
ତା ସମୟକୁ ବାଣ୍ଟି କୁଣ୍ଟି କରି ଟିକ ଟିକ
ଦଉଛି ଆଶିଷ ଓ ତା ଆୟୁଷ
ଟୋପେ ଟୋପେ କରି ସମସ୍ତଙ୍କୁ
ବାପାଙ୍କୁ ରୁଗ୍ଣ ମୁକ୍ତ କରିବାକୁ
ଶେଷ ସନ୍ତାନର ଥଇଥାନ ମାଗିବାକୁ
କରୁଛି ହବିଷ, ପାଳୁଛି ଉପାସ
ତା ହାତରେ ବଢିଥିବା ଦୁଧିଆଳି ଗାଇ,
ଛେଳି, ଶୁଆ ପାରା ବଣି ପାଇଁ ତା ବଳକା ଆୟୁଷ
ସେ ଜାଣିଛି ସମୟର ହୋଇଛି ବୟସ
ପୃଥିବୀ ହରାଇଛି ଯୁଦ୍ଧ ସନ୍ତ୍ରାସ ଆତଙ୍କରେ
ତା ଭୂଗୋଳ ସାହିତ୍ୟ ଗଣିତ ସହ ନିଜର
ଭାଗ୍ୟ, ଭବିଷ୍ୟ ଓ ହସ
ତାଙ୍କୁ ବି ଦେବାକୁ ନିଜ ବୟସରୁ କିଛି
ବୋଉ ମୋର କରୁଛି ଏ ବୟସେ ସାହାସ
କେବଳ ଟୋପେ ଲୁହ ଦେଇ ଦେବା ଦେବୀଙ୍କୁ
ଭାବିଛି ଜିଣିଯିବ ଇତିହାସ
ଆସନ୍ତା କାଲି ଦେଖୁ ନଦେଖୁ ଅଛିତ ଭଗବତ ବିଶ୍ୱାସ ।
