ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
ବୋଇତ ବନ୍ଦାଣ ଦିଏ ବାରତା
କହେ ଉତ୍କଳର ବାଣିଜ୍ୟ ଗାଥା ।
ଆମ ଏ ଉତ୍କଳ ଆମରି ସଂସ୍କୃତି
ଇତିହାସ ତାର କହୁଛି କଥା ।
ସାଧବପୁଅଙ୍କ ବାଣିଜ୍ୟ ଗାଥା ।
କାର୍ତ୍ତିକ ମାସରେ ଦରିଆ ବୁକୁରେ
ବୋଇତେ ସାଧବେ ଯାନ୍ତି
ଜାଭା,ସୁମିତ୍ରା, ସିଂହଳ , ବୋର୍ଣ୍ଣିଓ
ଦ୍ବୀପେ ବାଣିଜ୍ୟ କରନ୍ତି ।
ଦେଶ ଦେଶାନ୍ତରୁ ଧନ ଦଉଲତ
ବୋହି ଆଣିଥାନ୍ତି ଉତ୍କଳ ଦେଶେ ତ
ସୁନା, ରୂପା ,ହୀରା, ଲୀଳା, ମୋତି ଆଦି
କେତେ ମାଣିକ୍ୟ, ମୁକୁତା ।
ବୋଇତ ବନ୍ଦାଣ ଦିଏ ବାରତା ।
ମନ ଫୁଲାଣିଆ ଗୀତ ଗାଉଥାନ୍ତି
ବୋଇତ ଭାସେ ସାଗରେ
ମିଳି ମିଶି ସର୍ବେ ବାଣିଜ୍ୟ କରନ୍ତି
ହସ ଖେଳଇ ଓଠରେ ।
ଝଡ ତୋଫାନକୁ ନାହିଁ ଖାତିରି
ଆଣିଥାନ୍ତି ଧନ ବୋଇତେ ଭରି
ଏକତା ଡୋରରେ ଛନ୍ତି ହେଇଥାନ୍ତି
ଝରୁଥାଏ କେତେ ସ୍ନେହ ମମତା ।
ବୋଇତ ବନ୍ଦାଣ ଦିଏ ବାରତା ।
ବାଣିଜ୍ୟକୁ ସାରି ଫେରି ଆସିଥାନ୍ତି
ସିଏ ଆଷାଢ ମାସରେ
ଦରିଆ କୂଳରେ ବୋଇତ ଲାଗିଲେ
ଆନନ୍ଦ ଖେଳେ ମନରେ ।
ଶୁଭ ନାରୀକେଳ ହୁଳହୁଳୀ ଦେଇ
ବୋଇତ ବନ୍ଦାନ୍ତି ଦୀପକୁ ଜଳାଇ
ସାଧବ ବୋହୂଏ ମାଆ ମଙ୍ଗଳାଙ୍କ
ପୟରେ ହୋନ୍ତି ଆଶ୍ରିତା ।
ବୋଇତ ବନ୍ଦାଣ ଦିଏ ବାରତା ।
ବୋଇତ ବନ୍ଦାଣ ଦେଉଛି ବାରତା
ଶୁଭ ଅନୁକୂଳ ନୀତି
ବିଧି ବିଧାନର ଆମ ପରମ୍ପରା
ପର୍ବ ପର୍ବାଣୀ ପଦ୍ଧତି
ଆମରି ଐତିହ୍ୟ ଆମ ସଂସ୍କୃତି
ଭରି ଦିଏ ମନେ ଅନେକ ସ୍ମତି
ମହା ପଞ୍ଚୁକର ରାସ ପୂର୍ଣ୍ଣିମାରେ
ଗାଉଛି ତାହାର ବିଜୟ ଗାଥା ।
ବୋଇତ ବନ୍ଦାଣ ଦିଏ ବାରତା ।
ଆ କା ମା ବୈ ପାନ ଗୁଆ
ଡଙ୍ଗାର ଦେହରେ ଥୋଇ
ମାସକ ଯାକର ଧର୍ମ ପୁଣ୍ୟ ସିଏ
ଶ୍ରଦ୍ଧା ଭକତିରେ ପାଇ ।
ମନେ ପକାଇଣ ଦେଉଅଛି ସିଏ
ବୋଇତ ବନ୍ଦାଣ ଉତ୍କଳର ଇଏ
ଆମରି ଓଡିଶା ଗର୍ବ ଓ ଗୌରବ
ସବୁ କ୍ଷେତ୍ରରେ ବିଜେତା ।
ବୋଇତ ବନ୍ଦାଣ ଦିଏ ବାରତା ।।