ବଣମଲ୍ଲୀର କଷଣ
ବଣମଲ୍ଲୀର କଷଣ
ବଣ ପାହାଡ଼ର
ବହଳ ଅନ୍ଧାର
ବାହୁଡ଼ା ବିହଙ୍ଗ ଶୋଭା
ଅସ୍ତମିତ ରବି
ସୁଶୋଭିତ ଛବି
ସୁନେଲି ସରଗ ଆଭା
ଅମୃତ ନିର୍ଝର
ସୁଶିତଳ ଧାର
ଶିତଳ ସମୀର ଗୀତି
ବଣମଲ୍ଲୀ ବଣା
ଅରଣ୍ୟ ଅଗଣା
ସପନ ହୋଇଛି ଇତି
ଫୁଟିଥିଲା ବଣେ
ନିଭୃତ କୋଣରେ
ଥିଲା ପରିଚୟ ହୀନ
ଭାବ ବନ୍ଧନର
ଅଭାବ ଭିତରେ
ବିଭବେ ନଥିଲା ମନ
ଆଶା ଅଭିଳାଷ
ବିଳାସବ୍ଯସନ
ନଥିଲା ଚିତରେ କିଛି
ନିଃସଙ୍ଗ ଜୀବନେ
ନିଃସ୍ଵ ଅଙ୍ଗନରେ
ସୁଖ ନେଇଥିଲା ବାଛି
କ୍ଷୁଦ୍ର କଳିକାଟି
କଳି ପାରିଲାନି
କାଳର କରୁଣ କଥା
ଦେବ ପୂଜା ଆଳେ
ଛଳରେ ତୋଳିଲା
ଦଳିଦଳି ଦେଲା ବ୍ୟଥା
ମିଛ ବନ୍ଧନର
ଅନ୍ଧ ଅନ୍ଧାରରେ
ଛନ୍ଦି ହୋଇଯାଏ ପାଦ
ନିନ୍ଦା ଅପମାନ
ଅମାପ ଯାତନା
ଲଭିଛି ହୃଦୟେ ଖେଦ
ଦରକାର ନାହିଁ
ଦେବ ପୂଜା ବିଧି
ଚନ୍ଦନ କର୍ପୁର ଥାଳି
ପ୍ରତାରଣା ପଣେ
ପୂଜକ ଦୁର୍ଗୁଣେ
ତା' ଦୁଃଖ ଗଲାଣି ବଳି
ବଣମଲ୍ଲୀ ଆଉ
ତୋଳନି ବଣରୁ
ସେମିତି ସେଇଠି ଥାଉ
ମିଛ ବାହାନାର
ସାହାନାଇ ସୁର
ଶୁଣାନାହିଁ ବନ୍ଧୁ ଆଉ