ବନ୍ଦୀ ମୁଁ ତୁମରି ପାଖେ
ବନ୍ଦୀ ମୁଁ ତୁମରି ପାଖେ
ନିଷ୍କାମ ପ୍ରେମରେ
ବନ୍ଦୀ ମୁଁ ତୁମରି ପାଖେ !
ତୁମକୁ ବନ୍ଦିନୀ
କରିବିନି ସ୍ୱାର୍ଥୀ ହୋଇ !!
ତୁମକୁ ନେଇ ମୁଁ
ସ୍ୱପ୍ନ ସିନା ଦେଖୁଥିବି !
ଦୂରରୁ ବଞ୍ଚିବି
ଅଣଦେଖା ଅଶ୍ରୁ ହୋଇ !!
ପ୍ରମାଣ କରିବି
ପ୍ରେମ ନୁହେଁ ସ୍ୱାର୍ଥପର !
ପ୍ରେମର ବି ଅଛି
କିଛିଟା ମାନବିକତା !!
ଦୁଃଖୀଟିଏ ମୁହିଁ
ସବୁ ଥାଇ କିଛି ନାହିଁ !
ପାଇଛି ପୁଳାଏ
ତୁମରି ମହନୀୟତା !!
ଆମରି ପ୍ରେମରେ
ଯୌବନର ଛାପ ନାହିଁ !
ରହିଅଛି ତ୍ୟାଗ
ତର୍ପଣର ଆତ୍ମୀୟତା !!
ତୁମ ହୃଦୟ ବି
ବିବେକର ଅନ୍ତାକ୍ଷରୀ !
ମୋ' ବିବେକ କେବେ
ସ୍ୱାଗତେନି ବର୍ବରତା !!
ପ୍ରେମର ଅର୍ଥକୁ
ଲୋକେ କରନ୍ତି କଦର୍ଥ !
ତାଙ୍କ ନଜରରେ
ପ୍ରେମ ଶାରୀରିକ ଶୋଷ !!
ମାନସିକତାର
ଅଭାବ ଏ ଦୁନିଆରେ !
କେଉଁଠୁ ପାଇବେ
ପ୍ରେମ ଭିତରେ ପୀୟୂଷ ??
ବୃକ୍ଷଲତା ଦେହେ
ରହିଛି ଅଖଣ୍ଡ ପ୍ରେମ !
ସୁମଧୁର ପ୍ରୀତି
ଅଛି ପକ୍ଷୀ କାକଳିରେ !!
ଆକାଶର ପ୍ରେମେ
ସାଗର ସର୍ବଦା ସିକ୍ତ !
ଝରଣାରେ ପ୍ରେମ
ସ୍ରୋତସ୍ୱିନୀ ହୋଇ ଝରେ !!
ମର୍ତ୍ତ୍ୟରେ ବି ଅଛି
ସ୍ୱର୍ଗୀୟ ପ୍ରେମର ଉତ୍ସ !
ସ୍ୱର୍ଗ ତ କଳ୍ପନା
ବାସ୍ତବତାର ବାହାରେ !!
ଆଖି ବୁଜି ଥରେ
ମର୍ତ୍ତ୍ୟରେ ସ୍ୱର୍ଗକୁ ଖୋଜ !
ପାଇଯିବ ତୁମେ
ତୁମ ବିବେକ କକ୍ଷରେ !!
ତ୍ୟାଗର ପ୍ରେମରେ
ମିଳେ ଦୁର୍ଲ୍ଲଭ ଆନନ୍ଦ !
ଭୋଗର ପ୍ରେମ ତ
ଅର୍ଦ୍ଧ-ବନ୍ଧ୍ୟା ବିପର୍ଯ୍ୟସ୍ତ !!
ଯାହା କୁହ ପଛେ
ପ୍ରେମ ବିନା ପ୍ରାଣ କାହିଁ ?
ଶାଶ୍ୱତ ପ୍ରେମ ହିଁ
ଦିବ୍ୟ ଅନନ୍ତ ଅମୃତ !!

