ବନ୍ଧୁ
ବନ୍ଧୁ
ପାଦ ସାଥେ ପାଦ ଥାପି ସାଥେ ଚାଲେ ଆରମ୍ଭରୁ ଶେଷ
ଶ୍ୱାସବାୟୁ ପଥ ଧାରେ ଅସ୍ବସ୍ତିର ପ୍ରଚ୍ଛନ୍ନ ପ୍ରଶ୍ୱାସ
ଯନ୍ତ୍ରଣାର ପ୍ରତିଧ୍ୱନି ଦିଗବଳୟୁ ଫେରିବା ଆଗରୁ
ଉପସ୍ଥିତ ହୁଏ ପାଶେ ଆଖିଲୁହ ଗଡ଼ିବା ଆଗରୁ
ଅବୁଝା ହୁଏନା କେବେ ଜୀବନର ଦ୍ଵନ୍ଦ ଆଲୋଡନେ
ହରେନା ସେ କେବେ ପୁଣି ଛଳନାର ଉଗ୍ର ପ୍ରଜ୍ବଳନେ
ଉଦାସୀନ ମୁଖ ଦେଖି ହୋଇଯାଏ ବିଚଳିତ ଅତି
ଜଳେନା ସେ କେବେ ଦେଖି ବନ୍ଧୁର ଯଶ ମାନ କୀର୍ତି
ବନ୍ଧୁଥିଲେ ପାଶେ କାର ବିପଦରେ ନାହିଁ କେବେ ଭୟ
ରାଜଦ୍ବାରୁ ସ୍ମଶାନ ପର୍ଯ୍ୟନ୍ତ ଥାଏ ଦେଇ ସେ ଅଭୟ
ପଥଧାରେ ଚାଲୁ ଚାଲୁ କେବେ ଯଦି ଭାଙ୍ଗିପଡ଼େ ଅଣ୍ଟା
ପ୍ରକୃତ ବନ୍ଧୁଟି ଆସି ପାଦତଳୁ କାଢିଡିଏ କଣ୍ଟା
ଆଶା ତା ମନରେ କେବେ ନଥାଏ ପ୍ରାପ୍ତିର ଆସକ୍ତି
ସାରିଦିଏ ବନ୍ଧୁପାଇଁ ନିଜର ନିଜତ୍ବ ତ୍ୟାଗର ସେ ମୂର୍ତ୍ତି
ଆସ ସର୍ବେ ବନ୍ଧୁଟିଏ ହେବା କେହି ପ୍ରିୟଜନ ସହ
ବନ୍ଧୁ ନଖୋଜି ହେବା ବନ୍ଧୁଟିଏ ଉତ୍ତମ ସସ୍ନେହ
