ବନ୍ଧୁ ପରି ବନ୍ଧୁଟିଏ
ବନ୍ଧୁ ପରି ବନ୍ଧୁଟିଏ
ବନ୍ଧୁ ପରି ବନ୍ଧୁଟିଏ ସଖା ପରି ସଖାଟିଏ
ଭୁଲି ନାହିଁ କେବେ ମନ ହୃଦୟ କେହି କାହାକୁ
ନ ହୋଇଥିଲେ ବି ପରସ୍ପର ମଧ୍ୟେ ଆଳାପ
ଅବା ଦୀର୍ଘ ବର୍ଷ ଧରି ଥରେ ଦେଖା,
ପବିତ୍ର ବନ୍ଧୁତା ବାଲ୍ୟକାଳରୁ ନିବିଡ଼ ସଂପର୍କ
ପରିଣତ ବୟସ ହେବା ଯାଏଁ ଥିଲା ଅମ୍ଳାନ
ବନ୍ଧୁତ୍ବର ଏ ପରାକାଷ୍ଠା ଦିଏ ମହାଶିକ୍ଷା।
ପ୍ରଭୁ ଶ୍ରୀକୃଷ୍ଣ ଆଉ ଦରିଦ୍ର ସୁଦାମା
ବାଲ୍ୟକାଳରୁ ଥିଲେ ଦୁହେଁ ବନ୍ଧୁ ସଖା
ଏକ ମନ ଏକ ପ୍ରାଣ ଥିଲା ତାଙ୍କର ଆତ୍ମା,
ଜଣେ ସମାଜର ଶୀର୍ଷତମ ସ୍ଥାନେ ମହାରାଜା
ଅନ୍ୟ ଜଣେ ଅତି ନିମ୍ନ ସ୍ତରରେ ସାଧାରଣ ପ୍ରଜା
ଦେଖାଇଛନ୍ତି ବନ୍ଧୁତ୍ଵର ଅପାର ମହିମା।
ନିଃସ୍ବ ଗରିବ ଅସହାୟ ବ୍ରାହ୍ମଣ ବିଚରା ସୁଦାମା
ଭୋଗୀ ନା ନା ଯନ୍ତ୍ରଣାର ଦୂରବସ୍ଥା
କେବେ କରି ନାହାଁନ୍ତି ବନ୍ଧୁତ୍ଵର ଅମର୍ଯ୍ଯାଦା,
ଧନରେ ନୁହେଁ କେବଳ ମନରେ ଥିଲା
ଭାବ ଭକ୍ତିର ଅକଳନ ପ୍ରେମର ଗଭୀରତା
ହୃଦୟରେ ସ୍ପନ୍ଦିତ ହେଉଥିଲା ଯା ସର୍ବଦା।
ସେ ବନ୍ଧୁତ୍ଵ ଅନନ୍ଯ ନାହିଁ ତାର ପଟାନ୍ତର
ହୃଦୟ ହୃଦୟର ଅଚିହ୍ନା ଅତୁଟ ବନ୍ଧନ
ବନ୍ଧୁ ପରି ବନ୍ଧୁଟିଏ ସଖା ପରି ସଖାଟିଏ
ସାରା ସଂସାରରେ ଏ ଘନିଷ୍ଠତା ଅଦ୍ଵିତୀୟ,
ସୁଦାମା ହୋଇ ବି ଅଭାବ ଅନାଟନରେ ଦଗ୍ଧ
କେବେ ପାର୍ଥିବ ଐଶ୍ଵର୍ଯ୍ୟ ବିଭବ ପାଇଁ
ସଖାଙ୍କୁ ହାତ ପାତି ନାହାଁନ୍ତି ହୋଇ ବିନୟ।
ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ନର ରୂପୀ ନାରାୟଣ
ବନ୍ଧୁର ବନ୍ଧୁତ୍ଵରେ ହୋଇ ଅତ୍ୟନ୍ତ ମୁଗ୍ଧ
ପରିପୂର୍ଣ୍ଣ କଲେ ତାଙ୍କର ମନୋବାଞ୍ଛା,
ଯଶ ତାର ରହିଛି ରହିବ କାଳ କାଳ
ସୁଦାମା କୃଷ୍ଣଙ୍କର ସଖା ଭାବେ ଅମର
ଇଚ୍ଛାମୟ ପୂରଣ କରନ୍ତି ଭକ୍ତର ସବୁ ଇଚ୍ଛା।
ଏ ବନ୍ଧୁତ୍ଵ ପ୍ରେରଣା ଦିଏ ଜଗତକୁ
ଭକ୍ତି ଭାବରେ ଭଗବାନ ବି ହୁଅନ୍ତି ସଖା
ଆପଦ ବିପଦେ ହୁଅନ୍ତି ସହାୟ
ପତିତଜନଙ୍କୁ ସଦାସର୍ବଦା କରନ୍ତି ରକ୍ଷା।
ଧନ୍ଯ ସୁଦାମା ଧନ୍ୟ ତାଙ୍କର ଭକ୍ତିଭାବ
ଭକ୍ତି ଛଡା ଆଉ କିଛି ନଥିଲା ତାଙ୍କୁ ଜଣା
ଭକ୍ତ ସଖା ବନ୍ଧୁ ଭାବରେ ସେ ଶ୍ରେଷ୍ଠ ,
ଭାବ ଭକ୍ତିରେ ପ୍ରଭୁଙ୍କୁ ବାନ୍ଧି ରଖିଲେ ଅନ୍ତରେ
ଅନାବିଳ ବନ୍ଧୁ ପ୍ରୀତିର ଦେଖାଇଲେ ଆଦର୍ଶ
ଭକ୍ତିରେ ପ୍ରଭୁଙ୍କ ସାଥେ ହୋଇଥିଲେ ଘନିଷ୍ଠ
ସେ ବନ୍ଧୁ ପରି ବନ୍ଧୁଟିଏ ସଖା ପରି ସଖାଟିଏ ।