ବନ୍ଧୁ ମିଳନ
ବନ୍ଧୁ ମିଳନ
ଅତି ଆଡମ୍ବର ସହ ସମାରୋହ
ବନ୍ଧୁ ମିଳନ ନାମରେ
ବନ୍ଧୁ ମିଳନର ପର୍ବ ବି ପାଳନ
ହୁଏ ପ୍ରତ୍ୟେକ କ୍ଷେତ୍ରରେ
ବନ୍ଧୁ ମିଳନର ପରିଭାଷା ପ୍ରାୟ
ଶ୍ରୀକୃଷ୍ଣ ସୁଦାମା ଧାରେ
ବନ୍ଧୁତ୍ୱର ସଂଜ୍ଞା ଜ୍ଞାତ ସହଜରେ
ବନ୍ଧୁ ମିଳନ ବ୍ୟାପାରେ
ଗୁରୁ ଆଶ୍ରମରେ ବନ୍ଧୁତା ସ୍ଥାପନ
ଥିଲା ଦୁଇ ବନ୍ଧୁଙ୍କର
ଶିକ୍ଷା ଶେଷ ପରେ ଶ୍ରୀକୃଷ୍ଣ ସୁଦାମା
ଯାତ୍ରା କଲେ ନିଜ ପୁର
ଜୀବନ ଯାତ୍ରାରେ ନିଜ କର୍ମ ପଥେ
କର୍ମ କ୍ରମେ ସମ୍ପାଦନ
ବିଚରା ସୁଦାମା ଭୋକ ଉପାସରେ
ଅସହ୍ୟ ହେଲା ଜୀବନ
ଦ୍ବାରିକା କୁ ଯାଇ ବନ୍ଧୁ ଶ୍ରୀକୃଷ୍ଣଙ୍କୁ
ଭେଟି ବାକୁ ରଖି ଆଶା
ହୃଦୟ ଭିତରେ ବନ୍ଧୁ ନାମ ଧ୍ୟାୟି
ଯାତ୍ରା କରିଲେ ସହସା
ରାଜ ଭବନର ସୁରକ୍ଷା ବେଷ୍ଟନୀ
ଭେଦ ଅସହଜ ଜାଣି
ନିଜ ବେଶ-ଭୂଷା ନିଜକୁ ଲଜ୍ଜିତ
ପ୍ରତ୍ୟୟ ହେଲା ସେ କ୍ଷଣି
ସୁରକ୍ଷା କର୍ମୀଙ୍କ ସୂଚନା ବଳରେ
ଶ୍ରୀକୃଷ୍ଣ ହେଲେ ବିଦିତ
ସ୍ଵୟଂ ଉଠି ଆସି ବନ୍ଧୁ ସୁଦାମାଙ୍କୁ
ପାଛୋଟି ନେଲେ ତ୍ୱରିତ
ଖୁଦ ଭଜା ମୁଠେ ରହିଥିଲା ସାଥେ
ଭୋକ ନିବାରଣ ପାଇଁ
ରାଜ ଉଆସରେ ବନ୍ଧୁ ଭାବ ପାଇ
ଚକିତେ ରହିଲେ ଚାହିଁ
ଖୁଦ ଭଜା ଦେଖି ଶ୍ରଦ୍ଧା ସହକାରେ
ଶ୍ରୀକୃଷ୍ଣ ନେଲେ ଛଡ଼ାଇ
ଅନ୍ତର୍ଯ୍ୟାମୀ ପ୍ରଭୁ ଜାଣିଲେ ଅନ୍ତର
ସେଇ ଖୁଦ ଭଜା ଖାଇ
ବନ୍ଧୁଙ୍କ ପାଖରୁ ବିଦାୟ ସହିତ
ଫେରିଲେ ମନ ଦୁଃଖରେ
କହି ପାରିଲିନି ନିଜ ଦୁଃଖ କଥା
ଭାବି ନିଜକୁ ନିନ୍ଦିଲେ
ନିଜ ଘର ପାଖେ ପହଞ୍ଚି ସୁଦାମା
ହେଲେ ଆଶ୍ଚର୍ଯ୍ୟ ଚକିତ
ଭଗ୍ନ କୁଟୀର ର ଅଟ୍ଟାଳିକା ରୂପ
ଭାବିଲେ ସ୍ବପ୍ନ ନା ସତ
ଘର ପରିବେଶ ଯାଇଛି ବଦଳି
ଧନ ଧାନ୍ୟେ ଭରା ଘର
ବନ୍ଧୁ ମିଳନରେ ଶାପ ଅବା ପାପ
ସାଥିରେ ଦାରିଦ୍ର୍ୟ ଦୂର ।
ବନ୍ଧୁ ଭାବ ପୁଣି ହେଲା ଉଜ୍ଜୀବିତ
ବିପଦ ବେଳେ ହିଁ ସାଙ୍ଗ
କୃଷ୍ଣ ସୁଦାମା ର ବନ୍ଧୁତ୍ୱ ସମ୍ପର୍କ
ଗାଏ ଯୁଗ ପରେ ଯୁଗ
ସୁଖ ଅବା ଦୁଃଖ ରହୁ ବନ୍ଧୁ ଭାବ
ବନ୍ଧୁ ଦୁଃଖ ଜାଣି ଥାଉ
ବନ୍ଧୁତ୍ୱ ନିକଟେ ନ ରହୁ ସଙ୍କୋଚ
ଭାବ ଉଜ୍ଜୀବିତ ରହୁ ।
ଯିଏ ରାଜ ଦ୍ୱାରେ ପୁଣି ଶ୍ମଶାନରେ
ଥାଏ ପ୍ରାୟ ଉପଲବ୍ଧ
ବନ୍ଧୁତ୍ୱର ଶ୍ରେଷ୍ଠତମ ନିଦର୍ଶନ
ଆପେ ହୁଏ ହୃଦବୋଧ
ସୁଖରେ ଦୁଃଖରେ ଅବା ବିପଦରେ
ସହଭାଗିତା ଭିତ୍ତିରେ
ବନ୍ଧୁତ୍ୱର ପରିଭାଷା ନିର୍ଣ୍ଣାୟକ
ବିଶ୍ୱାସ ଓ ଭରସା ରେ
ବିଶ୍ୱାସ କେବଳ ବନ୍ଧୁତାର ଭିତ୍ତି
ସମ୍ଭ୍ରମତା ସର୍ବୋପରି
ହୃଦୟର ଭାବ ଉନ୍ମୁକ୍ତ ସର୍ବଦା
ବନ୍ଧୁତ୍ୱ ଭାବ ଆବୋରି
ଭାବ ଗତ ନିରାପତ୍ତା ସର୍ବୋପରି
ମୁକ୍ତ ମତ ବିନିମୟେ
ନିବିଡ ସମ୍ପର୍କ ଓ ସମ୍ମାନ ବୋଧ
ବନ୍ଧୁତା ସୁଖ ବଢ଼ାଏ
ଏ ସମାଜ,ବନ୍ଧୁତା ଓ ପ୍ରେମ ପ୍ରାୟ
ନୈସର୍ଗିକ ଉପହାର
ପୁରାଣ ପୃଷ୍ଠାରେ ସ୍ଥାନିତ ହୋଇଛି
ପରିଭାଷା ବନ୍ଧୁତ୍ୱର
ବିଶ୍ୱାସ ଓ ସତ୍ୟଶୀଳତା ପ୍ରକୃତ
ବନ୍ଧୁତାର ମୂଳ ନୀତି
ବନ୍ଧୁ ପୁଣି ସଖା ପଦବାଚ୍ୟ ଆପେ
ବନ୍ଧୁ ଭାବ ହିଁ ସମ୍ପତ୍ତି
ସଖା ଅବା ବନ୍ଧୁ ମନୋଭାବ କ୍ରମେ
ସନ୍ଦିହାନ ଅବସ୍ଥାରେ
ବନ୍ଧୁ ଅଜାଣତେ ବା ବନ୍ଧୁ ନ ଜାଣି
କର୍ମ କରେ ଆଗଭରେ
ସେହି ପ୍ରଶ୍ନ ଥିଲା ଉଦ୍ଧବ ମୁଖରେ
ବନ୍ଧୁ ଶ୍ରୀକୃଷ୍ଣଙ୍କ ପ୍ରତି
ପାଣ୍ଡବଙ୍କ ସଖା ରୂପେ ପରିଚିତ
ଯୁଦ୍ଧ କିପରି ଉତ୍ପତ୍ତି ??
ପଶା ଖେଳ ଅବ୍ୟବହିତ ପୂର୍ବରୁ
ହୋଇଥାନ୍ତା ସମାଧାନ
ଅବା ପଶା ଖେଳି ପାଣ୍ଡବ ପକ୍ଷରୁ
ରଖି ପାରି-ଥାନ୍ତ ମାନ !!
ସ୍ମିତ ହସ ହସି କହିଲେ ଶ୍ରୀକୃଷ୍ଣ
ବିବେକ ହୀନ ପାଣ୍ଡବ
ବିବେକ ଖଟାଇ ମାନୀ ଦୁର୍ଯ୍ୟୋଧନ
ରଚାଇ ଦେଲେ ତାଣ୍ଡବ
ବନ୍ଧୁ କହି ମୁଖେ ଜଣାଇଲେ ନାହିଁ
ପଶା ଖେଳ ବିଷୟରେ
ପାଣ୍ଡବ ପକ୍ଷରୁ ଚାହିଁଲେନି କେହି
ମୁକ୍ତ ମତ ବ୍ୟକ୍ତ ଧାରେ
ବନ୍ଧୁତା ସହିତ ରହିଲେ ସନ୍ଦେହ
ଅବା ବନ୍ଧୁ ଅଗୋଚରେ
କର୍ମ ଫଳ ଯଦି ବିଷମ ଅବସ୍ଥା
ଦୋଷ କି ବନ୍ଧୁ ନାମରେ !!
କୁରୁ ସଭା ସ୍ଥଳେ ରକ୍ଷା କର ଡାକ
ଶ୍ରୀକୃଷ୍ଣ ଶୁଣି କର୍ଣ୍ଣ ରେ
ଲଜ୍ଜ୍ୟା ନିବାରଣ କଲେ ସେହି ସଖା
ଚର୍ଚ୍ଚିତ ଘଟଣା ଧାରେ
ହେ ଉଦ୍ଧବ, ବନ୍ଧୁତ୍ବ ବାକ୍ୟରେ ଶୁଣ
ବନ୍ଧୁଙ୍କର ଖୋଲା କଥା
ବନ୍ଧୁ ବିରୁଦ୍ଧରେ ଶୁଣ ନାହିଁ ଆଦୌ
ସେହି କାନ କୁହା କଥା
ବନ୍ଧୁ ପାଖେ,ଭାବ କୁ କର ଉଲଗ୍ନ
ବନ୍ଧୁ ଜାଣୁ ସବୁ କଥା
କେତେ ଦୂର ବନ୍ଧୁର ଅଛି ସାମର୍ଥ୍ୟ
ଅବା ନାମକୁ ବନ୍ଧୁତା !!
ବନ୍ଧୁ ପିତାମାତା,ବନ୍ଧୁ ପୁଣି ଗୁରୁ
ବନ୍ଧୁ ଈଶ୍ୱର ସମାନ
କୃଷ୍ଣ ବନ୍ଦେ ଜଗଦ୍ ଗୁରୁଂ ପ୍ରବାଦ
ବନ୍ଧୁଙ୍କର ବନ୍ଧୁ ଜାଣ
ନୈସର୍ଗିକ ଆନନ୍ଦର ଅନୁଭବ
ପ୍ରାୟ ବନ୍ଧୁ ମିଳନରେ
ବନ୍ଧୁ ନିକଟରେ ଧନୀ ଓ ଗରିବ
ଭେଦ ନ ରହୁ ମନରେ
