ବନ୍ଧୁ ଭାବ
ବନ୍ଧୁ ଭାବ
କହିବାକୁ ତୋତେ ଆସିଥିଲି ଦୁଃଖ
ମନେ ଭାବୁଥିଲି ସଖା
ମାଗିଦେବି କାଳେ ସମ୍ପତ୍ତି ତୋହର
ସେ ପାଇଁ ଦେଲୁନି ଦେଖା
ବନ୍ଧୁ ବୋଲି ତୋତେ ଭାବେ ମୁଁ ନିଜର
ତୁ ତ କଲୁ ସାତ ପର
ଦିନ ରେ ଆଲୁଅ ଦେଖେଇ କହିଲୁ
ଚାଲି ଯାଆ ନିଜ ଘର
ସମଦର୍ଶୀ ତୋତେ କୁହନ୍ତି ରେ ପରା
ନାହିଁ ପାତରଅନ୍ତର
ଆଜି ମୁଁ ଜାଣିଲି ଗୁମର ତୋହର
ତୁଚ୍ଛା ଏ ମିଥ୍ୟା ପ୍ରଚାର
ଦୁଃଖୀଟିଏ ଦେଖି ଖିଲିଖିଲି ହସୁ
ଲାଗେ ତୋତେ ଭାରି ମଜା
ଦୀନଜନ ବନ୍ଧୁ ଆରତ ନାଶନ
ମିଛରେ ବଜାଉ ବାଜା
ବଳିୟାର ଭୁଜ ଦେଖି ଭାବିଥିଲି
ଡାକୁଛୁ କି ତୁହି ମୋତେ
ମୋ ପରି କାଙ୍ଗାଳ ବନ୍ଧୁ ଟିଏ ଦେଖି
ଲାଜ ତ ଲାଗିଲା ତୋତେ
ତଥାପି କାଳିଆ ବନ୍ଧୁ ଭାବ ମୋର
ହୋଇନାହିଁ କେବେ ଉଣା
ଦେବା ନେବା ଭାବ ରଖିନି ମୁଁ କେବେ
ଜାଣି ତୁ ହେଉ ଅଜଣା
ବନ୍ଧୁ ବୋଲି ମୋତେ ନ ଭାବିଲେ ନାହିଁ
ମୋର କିବା ଯାଏ ଆସେ
ବନ୍ଧୁ ବନ୍ଧୁ ଡାକି ଶରଣ ପଶିଲି
କାଳିଆ ତୋହରି ପାଶେ ।
