ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ମାତୃଭୂମି ମୋର ଉତ୍କଳର ଭୂଇଁ
ପୂଣ୍ୟ ସ୍ଥାନ ପୁଣ୍ୟମୟୀ
ମୋ ରାଇଜ ସମ ସରି ନୁହେଁ କେହି
ସୌନ୍ଦର୍ଯ୍ୟ ତା ଚିରସ୍ଥାୟୀ ।
ଖଣିଜ ସମ୍ପଦ ଭରା ଗଦଗଦ
ଉତ୍କଳର ମାଟି ତଳେ
ଉର୍ବର ତା ଦେହ ସବୁଜ କ୍ଷେତରେ
ଅମୂଲ୍ୟ ରତନ ଫଳେ ।
ବାର ମାସେ ତେର ଯାତରା ହୁଅଇ
ରଥ ଯାତ୍ରା ଅନ୍ୟତମ
ଅଗଣିତ ଭକ୍ତ ବଡ଼ ଦାଣ୍ଡେ ଠିଆ
ନୀଳାଚଳ ତାର ନାମ ।
ତିନି ରଥେ ତିନି ଦିଅଁ ବସିଥାନ୍ତି
ଭକତେ ମାରନ୍ତି ତାଳି
ନ ଚାଲିଲେ ରଥ ସଭିଏଁ ଦିଅନ୍ତି
ପ୍ରେମ ପ୍ରୀତି ଭରା ଗାଳି ।
ବଡ଼ ତା'ର ନେତ ବଡ଼ ତା'ର ରଥ
ବଡ଼ ବଡ଼ ତା'ର ଆଖି
ବଡ଼ ତା ଦେଉଳ ବଡ଼ ତା ଭକତ
ବଡ଼ ତା'ର ନାମ ସଖି ।
ବଡ଼ ତା'ର ଦାଣ୍ଡ ବଡ଼ ତା'ର ଭୋଗ
ବଡ଼ ତାର କୋଠ ଘର
ବଡ଼ ତା'ର ଚକ୍ର ବଡ଼ ତା'ର ଶଙ୍ଖ
ବଡ଼ ମହିମା ଅପାର ।
କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଉତ୍କଳ ମାତାର ସୂତ
ଓଡ଼ିଆ ଭାଷାର ଅଳଙ୍କାର ଦେଇ
ଲେଖିଲେ ରାଇଜ ଗୀତ ।
କର ହେ ବନ୍ଦନ ଜ୍ଞାନୀ ଗୁଣି ଜନ
ଭାଈ ବନ୍ଧୁ ମୋ ଭଗିନୀ
ଟେକ ରଖିଯିବା ଆସ ଆମେ ଗାଇ
ବନ୍ଦେ ଉତ୍କଳ ଜନନୀ ।