ବକ ପଞ୍ଚକ
ବକ ପଞ୍ଚକ
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ
ପଞ୍ଚକ ଭାବରେ ଗଣା
ପୁଣ୍ୟ ପବିତ୍ର ଧର୍ମ କାର୍ତ୍ତିକ ମାସେ
ପଞ୍ଚକ ନୁହେଁ ଅଜଣା
ଭିନ୍ନ ଭିନ୍ନ ନାମ ଜଡ଼ିତ ରହିଛି
ପଞ୍ଚକ ନାମ ସହିତ
ବକ ପଞ୍ଚକ ହିଁ ଅତି ପରିଚିତ
ପ୍ରାୟ ସର୍ବତ୍ର ବିଦିତ
ଯୋଡ଼ି ହୁଏ ବିଷ୍ଣୁ ଭୀଷ୍ମ ବକ ନାମ
ପଞ୍ଚକ ନାମ ପୂର୍ବରୁ
ପୂର୍ବାପର ପ୍ରସଙ୍ଗ ସାଥେ ରହିଛି
ବେଦ ପୁରାଣ କାଳରୁ
କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଠୁ
ପୂର୍ଣ୍ଣମୀ ତିଥି ପର୍ଯ୍ୟନ୍ତ
ବିଧିବଦ୍ଧ ଭାବେ ପଞ୍ଚକ ପାଳନ
ନିଷ୍ଠା ଓ ଭକ୍ତି ସହିତ
ପୌରାଣିକ ତଥ୍ୟ ଅନୁଯାୟୀ ପୁଣ୍ୟ
ଧର୍ମ କାର୍ତ୍ତିକ ମାସରେ
ପ୍ରତ୍ୟହ ପୁଣ୍ୟ ନ ହେଲେ ସମ୍ଭବ
ହୁଏ ବକ ପଞ୍ଚକ ରେ
ଲୋକ କଥା ଅବା ପୌରାଣିକ କଥା
ରହିଅଛି ସମାଜରେ
ମୀନ ପ୍ରିୟ ବକ ମୀନ ଛୁଏଁ ନାହିଁ
ପଞ୍ଚକ ପାଞ୍ଚ ଦିନରେ
ପିତାମହ ଭୀଷ୍ମ ପାଣ୍ଡବ ମାନଙ୍କୁ
କହି କାର୍ତ୍ତିକ ମାହାତ୍ମ୍ୟ
ଗଙ୍ଗା ଜଳ ପାଇ ହେଲେ ମୋକ୍ଷ ପ୍ରାପ୍ତି
ଭୀଷ୍ମ ପଞ୍ଚକ ନାମିତ
ବିଷ୍ଣୁଙ୍କର ଅନ୍ୟ ନାମ ଦାମୋଦର
ରାଧା ଦାମୋଦର ପୂଜା
ଚଉରା ନିକଟେ ତୁଳସୀ ପୂଜନ
ହବିଷ ସହିତ ପୂଜା ।।
ପାଞ୍ଚ ବେଶ ହୋଇଥାଏ ପାଞ୍ଚ ଦିନ
ଶ୍ରୀକ୍ଷେତ୍ର ଶ୍ରୀ ମନ୍ଦିରରେ
ଶ୍ରୀଜୀଉ ଦର୍ଶନ ରତନ ବେଦୀରେ
ମହା ପଞ୍ଚକ ତିଥିରେ
ଲକ୍ଷ୍ମୀ ନାରାୟଣ ପ୍ରଥମ ଦିନରେ
ଠିଆକିଆ ବେଶ ହୋଇ
ବାଙ୍କ ଚୁଡ଼ା ବେଶ ଦ୍ଵାଦଶୀ ତିଥିରେ
ବାମନ ବେଶ ହୁଅଇ
ତ୍ରିବିକ୍ରମ ବେଶ ତ୍ରୟୋଦଶୀ ଦିନ
ଅନ୍ୟ ନାମ ଆଡ଼କିଆ
ଚତୁର୍ଦ୍ଦଶୀ ରେ ଲକ୍ଷ୍ମନୃସିଂହ ବେଶ
ବେଶ ହୁଏ ଡାଳକିଆ
ପୂର୍ଣ୍ଣମୀ ରେ ବେଶ ରାଜ ରାଜେଶ୍ୱର
ହୋଇଥାଏ ସୁନା ବେଶ
ବେଶ ଦର୍ଶନରେ ପୁଣ୍ୟ ଫଳ ପ୍ରାପ୍ତି
ଦେଖିବାକୁ ଭିଡ ବେଶ
ନାଗାର୍ଜୁନ ବେଶ ବିଧି ରହିଅଛି
ଯଦି ହୁଏ ମଳ ମାସ
ପୁଣ୍ୟ ବଳେ ମିଳେ ସେ ବେଶ ଦର୍ଶନ
ଧନ୍ୟ ସେ କାର୍ତ୍ତିକ ମାସ
ପିତୃ ପୁରୁଷ ଆଉ ଦେବ ଗଣ ପାଇଁ
ଜଳାଇ ଆକାଶ ଦୀପ
ମନ୍ଦିର ବେଢ଼ାରେ ଚଉରା ପାଖରେ
ଅତି ଉଚ୍ଚରେ ରଖି ଦୀପ
କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ହେଉଛି
ବୋଇତ ବନ୍ଦାଣ ବିଧି
ସାଧବ ପୁଅଙ୍କ ବାଣିଜ୍ୟ ସ୍ମୃତିରେ
ବିଧି ଅଛି ଅଦ୍ୟାବଧି
କ୍ରୋଧ କପଟ କୁଟ ବଚନ ସହ
କାମନା କୁସଙ୍ଗ ତେଜି
ପଞ୍ଚକ ପାଳନ ହେଉ ପ୍ରତି ବର୍ଷ
ଭକ୍ତି ଭାବ ସହ ମଜ୍ଜି ।।