ଜୀବନ ନୁହଁଇ ପ୍ରତିସ୍ପର୍ଦ୍ଧା
ଜୀବନ ନୁହଁଇ ପ୍ରତିସ୍ପର୍ଦ୍ଧା
ମାନବ ଜୀବନ ନୁହଁଇ
କେବେ ବି ଏକ ପ୍ରତିସ୍ପର୍ଦ୍ଧା
ନୁହଁଇ କେବଳ ହିଁ କେବଳ
ଜିତିବାର ଦୁର୍ବାର ଅଭିଳାଷା।
ଜୀବନ ତମାମ ଧନ ସମ୍ପତ୍ତି
ପ୍ରତିପତ୍ତିର ପଶ୍ଚାତଧାବନ କରି
କାହିଁ ପାଇଁ ଆମେ ଆମର
ଆୟୁଷ ଦେଉଛୁ ଅସାରରେ ସାରି?
କାହିଁ ପାଇଁ କରିବା ଆମ୍ଭେ
ପରର ଅନିଷ୍ଟ ଚିନ୍ତନ?
ଆନ ଲାଗି ନୁହେଁ ଆପଣା
ପାଇଁକି କରୁଅଛୁ ଗର୍ତ୍ତ ଖନନ।
ଜୀବନ ତ ଏକ ମହାର୍ଘ
ମହତ ଅଭିଯାନର କଥା
ନାନାଦି ଅନୁଭବ ଅନୁଭୂତିକୁ
ସଯତ୍ନେ ସାଉଁଟିବାର ଗାଥା।
ଚଲାପଥେ ଯାହା ବି ମିଳଇ
ଅନୁଭୂତି ସବୁ ତ ଅଟଇ ଅମୂଲ୍ୟ
ଏକ ଆରକୁ ବଳି ମହନୀୟ
ଆପଣା ଆପଣା ଗୁଣରେ ଅତୁଲ୍ୟ।
ପୁସ୍ତକରେ ଲିପିବଦ୍ଧ କରିବାର
ସୁଯୋଗ ମିଳୁ କି ନ ମିଳୁ
ହୃଦୟ କନ୍ଦରେ ଥିବ ଚିରଦିନ
ସେହି ସ୍ମୃତି ଅମ୍ଳାନ ଅମଳିନ।
ପରବର୍ତ୍ତୀ ପୀଢ଼ିର ପ୍ରିୟ ଜନେ
ସେଇ ଅନୁଭୂତି ବଖାଣିବାର
ବିମଳ ଆନନ୍ଦ ହିଁ ଜୀବନକୁ
ନିଶ୍ଚେ ଭରିଦେବ ପୂର୍ଣ୍ଣତାରେ।