ଆଗ ଗଛ
ଆଗ ଗଛ
ମାନବ ଜୀବନ ଧାରଣ ନିମନ୍ତେ
ଆବଶ୍ୟକ ଉପାଦାନ
ପ୍ରକୃତି କୋଳରେ ଉଦ୍ଭିଦ ଜଗତ
ଯୋଗାଉଛି ପ୍ରତି କ୍ଷଣ
ଉଦ୍ଭିଦ ଜଗତ କେତେ ଉପକାରୀ
ମଣିଷ ନୁହେଁ ଅଜ୍ଞାତ
ଜୀବନ ଯାତ୍ରାର ପ୍ରତି ପାହାଚରେ
ବୃକ୍ଷ ହୋଇଛି ଜଡ଼ିତ
ଦାରୁ ଦେବତାଙ୍କ ବିଗ୍ରହ ହୋଇଛି
ବୃହତ୍ ବୃକ୍ଷ ଗଣ୍ଡିରେ
ଠାକୁରଙ୍କ ରଥ ନିର୍ମାଣ ହେଉଛି
ଆବଶ୍ୟକୀୟ କାଠରେ
ଠାକୁରଙ୍କୁ ତୁଳସୀ ଓ ବେଲ ପତ୍ର
ଅର୍ପଣ ଭୟ ଭକ୍ତିରେ
ପ୍ରସାଦ ସେବନ ବିଧାନ ରହିଛି
ସଜ କଦଳୀ ପତ୍ରରେ
ବଟ, ଓସ୍ତ,ବେଲ ,ନିମ୍ବ, ଅଁଳା ବୃକ୍ଷ
ପୂଜା ହିନ୍ଦୁ ଧର୍ମ ମତେ
ତଥାପି ମଣିଷ କରୁଛି ଛେଦନ
ନିଜ ପ୍ରୟୋଜନ ହିତେ
ଗୃହପୋକରଣ ରାସ୍ତା ସମ୍ପ୍ରସାରଣ
ଜାଳେଣି ର ଆଢ଼ୁଆଳେ
ଶହ ଶହ ଗଛ ଛେଦନ ହେଉଛି
ଆବଶ୍ୟକତା ର ବେଳେ
ପ୍ରାକୃତିକ ଘଞ୍ଚ ଜଙ୍ଗଲ ନିଶ୍ଚିହ୍ନ
ଜୀବ ଜନ୍ତୁ ଲୁପ୍ତ ପ୍ରାୟ
କ୍ଷଣିକ ହିତରେ କ୍ଷଣିକ ମଣିଷ
କ୍ଷଣିକେ କରୁଛି କ୍ଷୟ
ବୃକ୍ଷ ଅଭାବରୁ ଅମ୍ଳଜାନ ସ୍ତର
କ୍ରମାଗତ ଭାବେ ହ୍ରାସ
ଅଙ୍ଗାରକାମ୍ଲ ର ବିଷ ବଳୟରେ
କଳୁଷିତ ପରିବେଶ
ବର୍ଷା ଆଉ ଶୀତ ବେପାରୁଆ ପ୍ରାୟ
କେବେ ଅଛି କେବେ ନାହିଁ
ଖରା ର ରାଜୁତି ଚାଲୁଛି ଧରାରେ
ପ୍ରତିଦ୍ବନ୍ଦୀ ନାହିଁ କେହି
ବିଭିନ୍ନତା ସହ ଆମେ ଭାରତୀୟ
ପୂଜା କରୁ ପ୍ରକୃତିର
ବୃକ୍ଷ ନଦୀ ସୂର୍ଯ୍ୟ ଈଶ୍ୱର ମାନ୍ୟତା
ଆମ ଧାର୍ମିକ ସଂସ୍କାର
ଗଛ,ନଦୀ,ବାୟୁ,ସୂର୍ଯ୍ୟ, ମାଟି ପୂଜା
ଫୁଲ ଫଳ ଲାଗେ ଭୋଗ
ଦୁବ ଘାସ ଆଉ ବର କୋଳି ପତ୍ର
ପୂଜା ବେଳେ ଉପଯୋଗ
ଯାହାକୁ ଈଶ୍ୱର ମାନ୍ୟତା ମିଳିଛି
ଆଜି ପାଏ ଅପମାନ
ନଦୀ ପାଣି ବିଷ ପବନରେ ଧୁଆଁ
ବୃକ୍ଷ ହେଉଛି ଛେଦନ
ସୁବିଧାବାଦୀ ମଣିଷ କବଳିତ
ଅଜଣା ବ୍ୟାଧି ଗ୍ରାସରେ
ନିଜ ଧ୍ଵଂସ ନିଜେ କରି ଆମନ୍ତ୍ରଣ
ଦୂଷିତ ପରିବେଶରେ
ଜୀବନ ଦେବା ଅଧିକାର ନାହିଁ
ଏହି ଛାର ମଣିଷର
କିମ୍ପା ଅକାଳେ ବୃକ୍ଷର ଛେଦନ
ଥରେ ନୁହେଁ,ବାରମ୍ବାର??
ବୃକ୍ଷ ଥିଲେ ବର୍ଷା ହେବ ଯଥା ବିଧି
ଶୁଷ୍କ ଲଭିବ ଜୀବନ
ବୃକ୍ଷ ଏହି ମଣିଷ ସମାଜ ପାଇଁ
ଅଟେ ଭବ୍ୟ ବରଦାନ
ନିଦାଘ କାଳରେ ବୃକ୍ଷ ଛାୟା ତଳେ
ଶୀତଳ ପରଶ ପାଇଁ
ଭିନ୍ନ ଭାଷା ଭିନ୍ନ ଧର୍ମ ଭିନ୍ନ ବର୍ଗ
କିଛି ପାର୍ଥକ୍ୟ ତ ନାହିଁ !!
ସବୁ ଧର୍ମ ସବୁ ବର୍ଗର ଲୋକଙ୍କ
ଜୀବନରେ ହେଉ ପଣ
ରାସ୍ତା କଡ ଖାଲି ଜାଗା ଚରା ଭୁଇଁ
ହେଉ ବୃକ୍ଷ ରୋପଣ
ଆଗ ଗଛ ଆଉ ସବୁ ପଛ ହେଉ
ମଣିଷ ଜୀବନେ ବ୍ରତ
ଭବିଷ୍ୟତ ବଂଶଧରଙ୍କ ସୁରକ୍ଷା
ଯୋଜନା ହେଉ ତ୍ୱରିତ ।।
