ବିଷୁବ ସଂକ୍ରାନ୍ତି
ବିଷୁବ ସଂକ୍ରାନ୍ତି
ବଢାଏ ସବିତା ପ୍ରବଳ ଉତ୍ତାପ
ବିଷୁବ ରେଖାରେ ରହି,
ମହାନ ଦିବସ ବିଷୁବ ସଂକ୍ରାନ୍ତି
ଗ୍ରୀଷ୍ମ ଋତୁ ପ୍ରବେଶଇ ।
ଚଉରା ଉପରେ ବସୁନ୍ଧରା ଠେକି
ସଜତ୍ନେ ବାନ୍ଧିଣ ଦେବା,
ତୁଳସୀ ଓ ରୁଦ୍ର ପୂଜାର୍ଚ୍ଚନା କରି
ଠେକିରେ ପଣା ଭରିବା ।
ବେଲ ଦହି ଗୁଡ ବୁଟର ଛତୁଆ
କଦଳୀ ନଡ଼ିଆ ପଣା ,
ଏହାକୁ ପିଇଲେ ପେଟ ଥଣ୍ଡା ରଖେ
ଗରମ ନପଡେ ଜଣା ।
ସ୍ଥାନରେ ସ୍ଥାନରେ ଝାମୁ ଯତ୍ରା ହୁଏ
ଭକତ ଦେଖି ଆସନ୍ତି,
ଘଟ ପଟୁଆଙ୍କୁ ଦଣ୍ଡବତ କରି
ସର୍ବ ସୁଖ ମନାସନ୍ତି ।
ପାଳୁଛନ୍ତି ଭକ୍ତ ହନୁମାନ ଜନ୍ମ
ମାରୁତି ମନ୍ଦିର ଯାଇ,
ସ୍ଥାନେ ସ୍ଥାନେ ଆମେ ଜଳ ରଖି ଦେବା
ତୃଷାର୍ତ୍ତ ଭକ୍ତଙ୍କ ପାଇଁ ।
ଶ୍ରୀମନ୍ଦିର ରଦକ୍ଷିଣ ଗୃହରୁ
ହନୁମାନ ବାହାରିବେ,
ରତ୍ନସିଂହାସନୁ ପ୍ରଭୁଙ୍କ ପାଖରୁ
ଆଜ୍ଞାମାଳ ପାଇ ହେବେ ।
ବିମାନେ ବସିବେ ପୂର୍ବ ଦ୍ଵାର ଯାଇ
ପବନ ପୁତ୍ର ଭେଟିବେ,
ଏକ ସଙ୍ଗେ ଦୁଇ ବିଗ୍ରହ ବିମାନେ
ପରିକ୍ରମା କରୁଥିବେ ।
ଜଗନ୍ନାଥ ସ୍ମରି ନୂତନ ପାଞ୍ଜିକା
ମୁକ୍ତି ମଣ୍ଡପେ ପଠନ,
ନବୀନ ବର୍ଷର ଶୁଭାରମ୍ଭ ହେବ
ପାଞ୍ଜି ହେବ ପ୍ରଚଳନ ।
ଗ୍ରାମ ମାନଙ୍କରେ କୀର୍ତ୍ତନ ଆରମ୍ଭ
ଚାଲିବ ମାସଟା ସାରା,
ସଂକୀର୍ତ୍ତନ ଶବ୍ଦ ଯେତେ ଦୂର ଯାଏ
ପାପ ନାଶ ହୁଏ ପରା ।
ଛକ ମାନଙ୍କରେ ଜଳ ରଖିଦେବା
ବୃକ୍ଷରେ ଢାଳିବା ପାଣି,
ଭୋକ ଶୋଷ ବେଳେ ଅନ୍ନ ଜଳ ପାଇ
ଖୁସି ହେବେ ବୁଲା ପ୍ରାଣୀ
ଜୀବଙ୍କ ସେବା ହିଁ ବିଭୁଙ୍କର ସେବା
ନିଜର ମଙ୍ଗଳ ହେବ,
ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା
ଦେଶେ ଦେଶେ ଗୁଞ୍ଜରିବ ।