ବିଷର୍ଣ୍ଣ ପୃଥିବୀ (ଦୁଇ ଧାର ଲୁହ)
ବିଷର୍ଣ୍ଣ ପୃଥିବୀ (ଦୁଇ ଧାର ଲୁହ)
ସ୍ୱପ୍ନର ନୀଡ଼ଟି ଭାଙ୍ଗିଗଲା ଏବେ
ସମ୍ଭାବନା ସବୁ କ୍ଷୀଣ,
ଅବୁଝା ଏ ମନ ନିଃସଙ୍ଗ ଜୀବନ
ଚିନ୍ତାକୁ ସାଉଁ ଟେ ମନ ।
ଏକାନ୍ତ ନିଜର ହୋଇଥିଲ କେବେ
ବିଭୋରିତ କରି ପ୍ରାଣ,
ଭାବ ବିମୋହିତା ମନ ମଧୁମିତା
ଅମୃତେ ଭରିଲ ମନ।
କାହିଁକି ସ୍ୱପ୍ନର ଘର ଭାଙ୍ଗିଗଲା
ପୀୟୂଷ ହୋଇଲା ବିଷ,
ନିଷ୍ଠାର ଅଭାବ ଏକାଗ୍ରତା ବିନା
ସୃଷ୍ଟି ହେଲା ଅବିଶ୍ୱାସ ।
ହତାଦର ଏବେ ଅନାଦର ହୋଇ
ବହ୍ନି ହୋଇ ଜାଳେ ମନ,
ଭ୍ରମରେ ଭୁଲାଇ ଛଳନା ଖେଳାଇ
ଦହେ ନିଷ୍କପଟ ପ୍ରାଣ ।
ଜୀବନ ନୁହଁଇ ବିଳାସ ଉତ୍ସବ
ଯିବ ରଙ୍ଗ ବଦଳାଇ,
ଜୀବନ ପାତ୍ରରେ କପଟ ଛନ୍ଦରେ
ବିଶ୍ୱାସେ ଗରଳ ଦେଇ ।
ମଦମତ୍ତ ପ୍ରାୟ ଭ୍ରମନ୍ତି ଭ୍ରମର
ସୁମନ ରେ ତାର ମନ,
ସେ କାହୁଁ ବୁଝିବ ଅଭେଦ୍ୟ ପ୍ରେମକୁ
ନିର୍ବିକାର ସମର୍ପଣ ।
ବାସ୍ତବ ରୂପ ରେ ଆକର୍ଷଣ ସହ
ଦୁଇ ଧାର ଲୁହ ଝରି,
ଅଧୁରା ସ୍ମୃତି କୁ ହୃଦୟ ସିନ୍ଧୁକେ
ରଖିଛି ସାଇତି କରି ।
ବିମର୍ଷ ହତାସ ଜୀବନେ ବତାସ
ଅସ୍ତାଚଳ ରବି ସମ,
ବିଦଗ୍ଧ ପୃଥିବୀ ଅଧିର ସ୍ପନ୍ଦନ
ଝୁରୁଛି ଶାଶ୍ଵତ ପ୍ରେମ ।
ନିଗାଡୁଛି ଆଜି ବକ୍ଷରୁ ରୁଧିର
ଯନ୍ତ୍ରଣା କୁ ଅନୁସରି,
ଦୀର୍ଘଶ୍ୱାସ ଭରି ହୃଦୟ କନ୍ଦ ରେ
ବେଦନାକୁ ଚାପିଧରି ।