ବିସର୍ଜନ - ବିଦେହ ଅଧ୍ୟାୟ
ବିସର୍ଜନ - ବିଦେହ ଅଧ୍ୟାୟ
ଝାଟି ମାଟି କୁଟାର ପୁତଳା
ତା ଉପରେ କିଛି ମାଟି ବୋଳା
ଗଢା ହେଲା ଶ୍ରୀ ଅଙ୍ଗ ସୌଷ୍ଠବ
ତାହା ହୋଇ ଗଲା ଦେହ ତବ ।
ଅଙ୍ଗେ ଅଙ୍ଗେ ଭରା ହେଲା ରଙ୍ଗ
ଚମକିଲା ଆଭୂଷଣ ସଙ୍ଗ
ବସ୍ତ୍ର ଉପଢୌକନର ଆଭା
ନାନାଦି ଅସ୍ତ୍ରରେ ହସ୍ତ ଶୋଭା ।
ଶେଷ ସ୍ପର୍ଶ ନୟନ ପିତୁଳା
ଅଙ୍ଗେ ଅଙ୍ଗେ ଦେବୀ ଭାବ ବୋଳା
ଅତ୍ରାଗଚ୍ଛ ଇହ ତିଷ୍ଠ କହି
ଭକ୍ତ ଡାକେ ଆସ ଦେହ ବହି ।
ମାଆ ଆସେ ମୂର୍ତ୍ତିର ଭିତରେ
ଶୁଣ ଯାହା କ୍ଷୋଭ ବ୍ୟକ୍ତ କରେ -
" ସୁପୁତ୍ରର ଭାବେ ଯେବେ ଡାକ
ମନେ ଏତେ ଛନ୍ଦ କିଆଁ ରଖ ।
ମୃତ୍ତିକା ଆସିବ ବେଶ୍ୟା ଘରୁ
ଏ କଥା ତୁ କିପରି ବିଚାରୁ
ସୁତା କେବେ ହେଉ ବାରାଙ୍ଗନା
କେଉଁ ମାଆ ଏପରି ଚାହେଁନା ।
ଦେଖାଉ କି ପୌଋଷର ଉର
ଧିକ ଧିକ, ଶତ ଧିକକାର
ଅସଲି ମା କରୁ ସେବା କେତେ
ଚାନ୍ଦା ଭେଦା କରି ପୂଜା ମୋତେ ।
ଡାକି ମୋତେ ଭାବ ରଖି ପୁଜ
ମାଆ ପାଶେ ସମ୍ଭ୍ରମତା ହେଜ
ମନରେ ନ ଆଣ ପାପାଚାର
ଶୁଦ୍ଧ ରହୁ ଆଚାର ବିଚାର ।
ଅତି ବେଶୀ ମୁହିଁ ଦଶ ଦିନ
ଯିଏ ଅଛି ସାଥେ ସବୁ ଦିନ
ସ୍ନେହ ପ୍ରେମ ଭକ୍ତି ଦେଇ ସଜ୍ଜା
ତାହା ହେବ ମୋର ସଚ୍ଚା ପୂଜା ।
ମୁଁ ଗଢିଛି ବ୍ରହ୍ମା ବିଷ୍ଣୁ ଶିବ
ମୋତେ ଅବା କିଏ ସେ ଗଢିବ
ଅଖିଳ ବ୍ରହ୍ମାଣ୍ଡ ମୋର ସ୍ଥିତି
ସର୍ବ ଭୂତେ ମୋର ଅବସ୍ଥିତି ।
ମହାମୟା ମାୟାରେ ଆଚ୍ଛନ୍ନ
ସର୍ବତ୍ର ହିଁ ମୋର ପଦଚିହ୍ନ
ପ୍ରେମ ଭାବେ ତୋ ହୃଦୟ ଶୁଦ୍ଧି
ଭାବ ଭକ୍ତି କର୍ମେ ହୁଏ ସିଦ୍ଧି ।
ଘଟ ବିସର୍ଜନରେ ମୁଁ ଯିବି
ମାଟି ଦେହ ମାଟିରେ ମିଶିବି
ଜାଣିରଖ ମୋ ଦେହ ବିଦେହ
ତୁମ ହୃଦେ ମୋହର ଆଶ୍ରୟ ।
ମାତୃ ଜାତି କର ସନମାନ
ସେହି ନାରୀ ମଧ୍ୟେ ମୋ ଆସ୍ଥାନ
ତା ଜୀବନ ହେଲେ ସୁଖମୟ
ବିଶ୍ବୋନ୍ନତି ନ ରଖ ସଂଶୟ ।"
ମାଆ ତୋତେ କରୁ ବିସର୍ଜନ
ମାଟିଛାଡି ଆସ ଆମ ମନ
ଅତ୍ରାଗଚ୍ଛ ଇହ ତିଷ୍ଠ ମାତ
ମୋ ହୃଦୟେ ତୁମରି ପ୍ରତୀତ ।