ବିଶ୍ବ ମୈତ୍ରୀ
ବିଶ୍ବ ମୈତ୍ରୀ
ମିତ୍ରତାର ଭାବ ମୈତ୍ରୀ ଯୁଗ୍ମ ଅକ୍ଷରୁ ନିଷ୍ପନ୍ନ ।
ବିଶ୍ବ ସାହିତ୍ଯାର୍ଣ୍ଣବର ଅଟଇ ଅମୂଲ୍ୟ ରତ୍ନ ।।
ଶବ୍ଦ ଉଚ୍ଚାରଣ ମାତ୍ରକେ ମନ ହୁଏ ପ୍ରସନ୍ନ ।
ମାନବିକ ମୂଲ୍ୟବୋଧକୁ କରିଥାଏ ବର୍ଦ୍ଧନ ।।
ଜନ୍ମରୁ ତ କିଏ କାହାର ନ ଥାଏ ଶତ୍ରୁ-ମିତ୍ର ।
ବ୍ଯବହାରେ ସୃଷ୍ଟି ହୁଅନ୍ତି ସଦା ଉଭୟେ ମାତ୍ର ।।
ମିତ୍ରତାର ପରିପନ୍ଥୀ ଯେ କୂଟ-କପଟ ଭାବ ।
ଉତ୍ତମ-ସାଧୁତା ଗୁଣରେ ପ୍ରାପ୍ତି ମିତ୍ର ସ୍ବଭାବ ।।
ସମଧର୍ମୀ ଖ୍ୟାତିସମ୍ପନ୍ନ ଅଟେ ସଖା ଲକ୍ଷଣ ।
ବେନି ସମଗାତ୍ର ସଂଜ୍ଞାଟି ସଙ୍ଗାତ ଅଟେ ପୁଣ ।।
ବିରଳ ରତ୍ନଟି ମଇତ୍ରୀ ସଂସାରରେ ସେ ସାର ।
ଏକତା ରଜ୍ଜୁରେ ସଭିଙ୍କୁ କରଇ ଆପଣାର ।।
ସ୍ନେହ ବନ୍ଧନରେ ଆବଦ୍ଧ ବିଶ୍ବ ପ୍ରାଣୀ ସକଳ ।
ମୈତ୍ରୀର ପବିତ୍ର ବନ୍ଧନ ସଦା ଦୃଢ ନିଶ୍ଚଳ ।।
ମନୁଷ୍ୟ-ଇତର ପ୍ରାଣୀଏ ଅଟନ୍ତି ଯେ ଅଜ୍ଞାନ ।
ତଥାପି ଏକତା ସୂତ୍ରରେ ସର୍ବେ ବଞ୍ଚନ୍ତି ପୁଣ ।।
ମିତ୍ରତା ବଳରେ ପୃଥିବୀ ହୋଇବ ମଧୁମୟ ।
ପ୍ରାଣୀଏ ଶାନ୍ତିରେ ବଞ୍ଚିବେ ସର୍ବେ ହୋଇ ନିର୍ଭୟ ।।
ସମ୍ପ୍ରତି ଦେଶ ଓ ବିଦେଶେ ମୈତ୍ରୀ ଭାବ ଅଭାବ ।
ଅଶାନ୍ତିରେ ହୋଇ ହତାଶ ବଢାନ୍ତି ହିଂସା ଭାବ ।।
କୃଷ୍ଣ-ସୁଦାମା ଙ୍କ ମିତ୍ରତା ଥିଲା ଦ୍ବାପର ଯୁଗେ ।
ଦୀନ ସୁଦାମାଙ୍କୁ ଆତିଥ୍ୟ ଦେଲେ ବଡ ସରାଗେ ।।
ବନ୍ଧୁଙ୍କର ଖୁଦଭଜା ତ ଅତିପ୍ରିୟ ତାଙ୍କର ।
ଶ୍ରଦ୍ଧାରେ ତାହାକୁ ଭକ୍ଷଣ କଲେ ଶ୍ଯାମସୁନ୍ଦର ।।
ଶ୍ରୀ ରାମଙ୍କ ସଙ୍ଗେ ସୁଗ୍ରୀବ ବାନ୍ଧିଥିଲେ ମିତ୍ରତା ।
ବାଳିର ନିଧନ ହୋଇଲା ଭ୍ରାତ୍ରେ କରି ଶତ୍ରୁତା ।।
ମହାଭାରତର ଏ ଗାଥା ଶ୍ରେଷ୍ଠ ନିଦରଶନ ।
କର୍ଣ୍ଣ-ଦୁର୍ଯ୍ୟୋଧନ ମିତ୍ରତା ଥିଲା ଚିର ଅକ୍ଷୂର୍ଣ୍ଣ ।।
ଏକ ଆତ୍ମା ଦୁଇ ଶରୀର ଥିଲା ଦୁଇ ମିତ୍ରର ।
ବନ୍ଧୁ ହିଁ ସର୍ବସ୍ବ ମୋହର ପ୍ରତିଜ୍ଞା ଯେ କର୍ଣ୍ଣର ।।
ଯୁଦ୍ଧେ ହେଲେ ସେନାପତି ଯେ ପିତାମହଙ୍କ ପରେ ।
ମିତ୍ର ପାଇଁ ପ୍ରାଣ ଆହୁତି ଦେଲେ ଧର୍ମଯୁଦ୍ଧରେ ।।
ମିତ୍ର ରୂପେ ରାମ ଅତିଥି ହେଲେ ବନବାସରେ ।
ଶବର ଗୁହକ ପ୍ରଭୁଙ୍କୁ ସେବା କଲେ ଭକ୍ତିରେ ।।
ଭକ୍ତ ଶ୍ରେଷ୍ଠ ବିଭୀଷଣ ଯେ ଥିଲେ ରାମଙ୍କ ସଖା ।
ଭକ୍ତ ଭାବଗ୍ରାହୀ ଶ୍ରୀରାମ କଲେ ମିତ୍ରର ରକ୍ଷା ।।
ରାବଣକୁ କରି ନିଧନ ସୀତାଙ୍କୁ ଉଦ୍ଧାରଣ ।
ବିଭୀଷଣଙ୍କୁ ଯେ ରାଜନ କରି ଦେଲେ ସମ୍ମାନ ।।
ବିଶ୍ବରେ ମିତ୍ରତା ଦିବସ ହେଉଅଛି ପାଳନ ।
ମିତ୍ରତା ନାମରେ କପଟ ହୃଦେ କରି ସ୍ଥାପନ ।।
କପଟ-ବ୍ଯାଜରେ ମିତ୍ରତା ଦେଶେ ଦେଶେ ହୁଅଇ ।
ତେଣୁ ପ୍ରତି ଦେଶେ ଶତ୍ରୁତା ହିଂସା ଭାବ ବଢଇ ।।
ନିଷ୍କପଟ ମିତ୍ର ଭାବନା ବିଶ୍ବେ ହେଲେ ସମ୍ପନ୍ନ ।
ବିଶ୍ବେ ସୁଶାନ୍ତି ପ୍ରତିଷ୍ଠା ହେବ ନିଶ୍ଚୟ ଜାଣ।।
ମୁଖେ ମିଷ୍ଟଭାଷା ଭାଷଇ ମନେ ଵହି କପଟ ।
ପରୋକ୍ଷେ ଅନିଷ୍ଟ ଯେ କରେ ସେ ତ ଅଟଇ ଦୁଷ୍ଟ ।।
ସେହି ବ୍ଯକ୍ତି ସହ ମିତ୍ରତା ନ କର କଦାଚନ ।
ଅବଶ୍ଯ ଅନିଷ୍ଟ ହୋଇବ ଏହା ସତ୍ୟ ବଚନ ।।
ବନ୍ଧୁ ମାହାନ୍ତିଙ୍କ ପରମ ବନ୍ଧୁ ଶ୍ରୀଜଗନ୍ନାଥ ।
ମିତ୍ରପଣେ ପ୍ରଭୁ ବନ୍ଧୁଙ୍କ ସେବା କଲେ ତୁରିତ ।।
ସ୍ବୟଂ ସମର୍ପିତ ବନ୍ଧୁ ସେ ଜଗବନ୍ଧୁଙ୍କ ପଦେ ।
ଭକ୍ତଙ୍କର ଦୁଃଖ ମୋଚନ କଲେ ପ୍ରଭୁ ଆନନ୍ଦେ ।
ଜଗବନ୍ଧୁ ନାମେ ସୁଖ୍ଯାତି ପ୍ରଭୁ ସେ ଦୀନବନ୍ଧୁ ।
କୃପାକରି ସର୍ବ ପ୍ରାଣୀଙ୍କୁ ହୋଇଲେ କୃପାସିନ୍ଧୁ ।।
ମୈତ୍ରୀ ଭାବନାର ସ୍ଥାପନା ହେଉ ସାରାବିଶ୍ବରେ ।
ସର୍ବେ ନିରାମୟ ହୁଅନ୍ତୁ ରହି ସୁଖଶାନ୍ତିରେ ।।