ମହାତ୍ମା ବିଦୁର
ମହାତ୍ମା ବିଦୁର
ଭାରତବର୍ଷର ମହାଭାରତ ପୁରାଣ
ସର୍ବଶ୍ରେଷ୍ଠ ଆର୍ଷ ଗ୍ରନ୍ଥ ।
କୃଷ୍ଣଦ୍ବୈପାୟନ ବ୍ଯାସ ଶତସହସ୍ରରେ
ବର୍ଣ୍ଣିଲେ ଶାସ୍ତ୍ର ବୃହତ ।।
ମହାତ୍ମା ବିଦୁରଙ୍କର ଜନ୍ମ ବୃତ୍ତାନ୍ତ ଯେ
ଅତ୍ୟନ୍ତ ରହସ୍ୟମୟ ।
ଋଷି ମାଣ୍ଡବ୍ଯଙ୍କ ଅଭିଶାପରେ ଶମନ
ଦାସୀପୁତ୍ର ରୂପେ ଜାତ ।।
ଅଶ୍ବସେନ ନାମେ ଥିଲେ କାଶୀମହାରାଜା
ତାଙ୍କ ତିନି କନ୍ଯାରତ୍ନ ।
ଅମ୍ବା ଓ ଅମ୍ବିକା ପୁଣି ସାନ ଅମ୍ବାଳିକା
ଅତି ସ୍ନେହେ କଲେ ଯତ୍ନ ।।
ଯୌବନ ପ୍ରାପ୍ତ ହୁଅନ୍ତେ ଯେବେ କନ୍ଯାରତ୍ନ
ବିବାହର ଯୋଗ୍ଯା ହେଲେ ।
ଶୁଭ-ତିଥି-ବାର-ଲଗ୍ନ ଦେଖି କନ୍ଯାପିତା
ସ୍ବୟମ୍ବର ସଭା କଲେ ।।
ନିମନ୍ତ୍ରଣ ପାଇ ବହୁରାଜା-ମହାରାଜା
ସର୍ବେ ଉପସ୍ଥିତ ହେଲେ ।
ସ୍ବୟମ୍ବର କାର୍ଯ୍ୟର ଅୟମାରମ୍ଭ ପାଇଁ
ରାଜା ହିଁ ଆଦେଶ ଦେଲେ ।।
ଭୀଷ୍ମଙ୍କ ବିମାତା ସତ୍ଯବତୀଙ୍କ ସନ୍ତାନ
ଥିଲେ ଦୁଇ ବୀରସୁତ ।
ଜ୍ୟେଷ୍ଠ ଚିତ୍ରାଙ୍ଗଦ ଅନୁଜ ବିଚିତ୍ରବୀର୍ଯ୍ଯ
ଥିଲେ ଯେ ଅବିବାହିତ ।।
ଭ୍ରାତାଙ୍କ ନିମନ୍ତେ ବଧୂ ଅନ୍ବେଷଣେ ଭୀଷ୍ମ
ଗମିଲେ କାଶୀନଗର ।
ଶାଲ୍ବଙ୍କ ସହିତ ସମସ୍ତ ରାଜାଙ୍କୁ ଯୁଦ୍ଧେ
ପରାସ୍ତ କରିଲେ ବୀର ।।
ଶାଲ୍ବଙ୍କ ସହିତ ଅମ୍ବାଙ୍କ ବିବାହ ସ୍ଥିର
ନିଶ୍ଚିତ ଯେ ହୋଇଥିଲା ।
ଆକସ୍ମିକ ଭାବେ ବଡ ଅଘଟଣ କାର୍ଯ୍ୟ
ଘଟି ସବୁ ବିଘ୍ନ ହେଲା ।।
ଅଶ୍ବସେନଙ୍କର ତିନି କନ୍ଯାଙ୍କୁ ହରଣ
ଦେବବ୍ରତ କରିଥିଲେ ।
ମାତାଙ୍କ ସମ୍ମୁଖରେ ଉପହାର ସ୍ବରୂପ
ଉପସ୍ଥିତ କରାଇଲେ ।।
ଶାନ୍ତନୁଙ୍କର ଅଗ୍ରଜ ସନ୍ତାନ ତ ଥିଲେ
ଅତିଗର୍ବୀ ଅଭିମାନୀ ।
ଚିତ୍ରାଙ୍ଗଦ ନାମେ ଏକ ସ୍ବର୍ଗର ଗନ୍ଧର୍ବ
ଦ୍ବାରା ହେଲା ପ୍ରାଣହାନୀ ।।
ବିବାହ ପୂର୍ବରୁ ପୁତ୍ର ଚିତ୍ରାଙ୍ଗଦଙ୍କର
ଅକାଳେ ମୃତ୍ୟୁ ହୋଇଲା ।
ଅମ୍ବିକା ଓ ଅମ୍ବାଳିକା ସହ ବିଚିତ୍ରଙ୍କ
ବିବାହ ସମ୍ପନ୍ନ ହେଲା ।।
କିଛିଦିନ ପରେ ବିଚିତ୍ରବୀର୍ଯ୍ଯଙ୍କ ମଧ୍ୟ
ଅବୟସେ ହେଲା କାଳ ।
ବଂଶରକ୍ଷା ପାଇଁ ମାତା ହୋଇଲେ ଚିନ୍ତିତ
ଭୀଷ୍ମମାତା ଅସମ୍ଭାଳ ।।
ସତ୍ଯବତୀ ଜ୍ଯେଷ୍ଠାତ୍ମଜ ପରାଶର ସୁତ
ସ୍ବୟଂ ମୁନି ବେଦବ୍ୟାସ ।
ତତ୍କ୍ଷଣ ସ୍ମରଣକଲେ ପୁତ୍ରକୁ ଜନନୀ
ମନେଭରି ଅବଶୋଷ ।।
ମାତାଙ୍କ ସମୀପେ ପୁତ୍ର ହେଲେ ଆବିର୍ଭାବ
କଲେ ଭକ୍ତି ପ୍ରଣିପାତ ।
କୁଳରକ୍ଷା ଅଟେ ପୁତ୍ରର ମହାକର୍ତ୍ତବ୍ଯ
ଏ କାର୍ଯ୍ୟ ଅଟେ ମହତ ।।
ସୁସନ୍ତାନର ପ୍ରାପ୍ତି ନିମନ୍ତେ ଅମ୍ବିକାଙ୍କୁ
ବ୍ଯାସପାଶ ପଠାଗଲା ।
ବ୍ଯାସଙ୍କ ଚକ୍ଷୁର ଜ୍ଯୋତିକୁ ଦେଖି ଅମ୍ବିକା
ସ୍ବଚକ୍ଷୁ ମୁଦ୍ରିତ କଲା ।।
ତାଙ୍କର ଗର୍ଭରୁ ଚକ୍ଷୁହୀନ ପୁତ୍ରଟିଏ
ଜନ୍ମ ହୋଇଥିଲା ପୁଣ ।
ଅନ୍ଧପୌତ୍ରକୁ ଦେଖି ସତ୍ଯବତୀ ଅତୀବ
ଦୁଃଖେ ହେଲେ ମ୍ରିୟମାଣ ।।
ସେହି ଅନ୍ଧପୁତ୍ରଟି ଧୃତରାଷ୍ଟ୍ର ନାମରେ
ହୋଇଥିଲା ପରିଚିତ ।
ସେହି ପୁତ୍ର ଦିନେ କ୍ଷମତା ଲୋଭରେ ହେଲା
ସେ ହସ୍ତିନାର ସମ୍ରାଟ ।।
ଦ୍ବିତୀୟରେ ପୁଣି ଅମ୍ବାଳିକା ଯାଇଥିଲେ
ବ୍ୟାସଦେବ ସନ୍ନିଧାନ ।
ତାଦୃଶ ରୂପକୁ ଦେଖି ଶେଠା ହୋଇଥିଲେ
ରୂପ ହେଲା ପାଣ୍ଡୁବର୍ଣ୍ଣ ।।
ଅମ୍ବାଳିକା ଯେବେ ପ୍ରସବିଲେ ପୁତ୍ର ତା'ର
ଶୋଥେ ହେଲା ଧଳାବର୍ଣ୍ଣ ।
ପଣ୍ଡୁ ନାମରେ ବିଖ୍ୟାତ ହୋଇଲେ ସେ ପୁତ୍ର
ରକ୍ତହୀନ ଗୌରବର୍ଣ୍ଣ ।।
ଅକର୍ମଣ୍ୟ ଦୁଇ ପୁତ୍ରଙ୍କ ଅବସ୍ଥା ଦେଖି
ହୋଇଲେ ମାତ ବିଷର୍ଣ୍ଣ ।
ଦୁଇ ବୋହୂଙ୍କ ପ୍ରିୟଦାସୀକୁ ବଧୂ ବେଶେ
ସଜାଇ କଲେ ପ୍ରେରଣ ।।
ଦାସୀ ଯେବେ ବ୍ଯାସ ସନ୍ନିଧାନେ ପହଞ୍ଚିଲେ
ହେଲା ଉଭୟ ମିଳନ ।
ଦିବ୍ଯ ମିଳନର ସୁଫଳ ସ୍ବରୂପ ଶେଷେ
ପୁତ୍ର ଜାତ ଜ୍ଞାନ ସମ୍ପନ୍ନ ।।
ସର୍ବଗୁଣ ଯୁକ୍ତ ପ୍ରତିଭାସମ୍ପନ୍ନ ସୁସ୍ଥ
ପୁତ୍ରର ଶୁଭାଗମନ ।
ମାତାଶ୍ରୀଙ୍କ ମନ ହୋଇଲା ପ୍ରସନ୍ନ ଅତି
ପ୍ରଯତ୍ନେ କଲେ ପାଳନ ।।
ଦାସୀରପୁତ୍ରକୁ କେବେ ପିତାମହ ଭୀଷ୍ମ
ନଦେଲେ ତ ଅସ୍ତ୍ର ଶିକ୍ଷା ।
ସକଳ ବିଦ୍ଯା ଓ ଶାସ୍ତ୍ରରେ ହେଲେ ପ୍ରବୀଣ
ନେଇଥିଲେ ଗୁରୁଦୀକ୍ଷା ।।
ପ୍ରତ୍ଯୁତ୍ପନ୍ନ ମତି ସହ ବିଚକ୍ଷଣ ବୁଦ୍ଧି
ଥିଲା ଯେ ସେହି ପୁତ୍ରର ।
କୁଳୀନ ବଂଶ ଓ ରାଜ ପରିବାର ମଧ୍ଯେ
ପାଳିତ ହେଲା କୁମାର ।।
ବାଲ୍ଯକାଳୁ ପିତାମହଙ୍କ ଉଚ୍ଚ ଆଦର୍ଶେ
ହୋଇଲେ ଅନୁପ୍ରାଣିତ ।
ଗୁରୁଙ୍କରକୃପା ଓ ସଦଜ୍ଞାନ ପ୍ରାପ୍ତିରୁ
ହୋଇଲେ ମହାପଣ୍ଡିତ ।।
ସତ୍ଯ-ଧର୍ମ-ନ୍ୟାୟ-ସାଧୁ-ସଚ୍ଚୋଟତା ଜ୍ଞାନେ
ଜିତିଲେ ସଭିଙ୍କ ମନ ।
ରାଜନୀତି ପୁଣି କୂଟନୀତିରେ ନିପୁଣ
ନୀତିଶାସ୍ତ୍ରରେ ଧୁରୀଣ ।।
ବିଦୁର ନାମରେ ହୋଇଥିଲେ ସେ ନାମିତ
ସୃଷ୍ଟି କରି ସଦଭାବ ।
ସ୍ବୟଂ ଧର୍ମରାଜ ମାନବ ରୂପରେ ମର୍ତ୍ତ୍ଯେ
ହୋଇଛନ୍ତି ଆବିର୍ଭାବ ।।
ମହାମନ୍ତ୍ରୀ ଭାବରେ ରାଜା ଧୃତରାଷ୍ଟ୍ରଙ୍କ
ଦେଉଥିଲେ ପରାମର୍ଶ ।
ତଦନୁସାରେ ରାଜ୍ଯରେ ସୁଶାସନ ସେବା
ହେଲା ସୁନ୍ଦର-ସରସ ।।
ଅତି ପ୍ରିୟମିତ୍ର ଥିଲେ ଯେ ବିଦୁରଙ୍କର
ପ୍ରଭୁ ସ୍ବୟଂ ବାସୁଦେବ ।
ଶୟନେ-ସପନେ ଅବା ଜଗରଣେ ଥିଲା
ବିଦୁରଙ୍କ ଭକ୍ତିଭାବ ।।
ଶାନ୍ତିଦୂତ ହୋଇ ପ୍ରଭୁ ହସ୍ତିନାପୁରକୁ
ନେଲେ ପ୍ରସ୍ତାବ ଶାନ୍ତିର ।
ସେହି ସମୟରେ ବିଦୁରଙ୍କ ଘରେ ମିତ୍ର
ପାଇଲେ ଅତିଥି ସତ୍କାର ।।
ରାଜା ଓ ପ୍ରଜାଙ୍କୁ ଶାସ୍ତ୍ର ଚର୍ଚ୍ଚା ଦ୍ବାରା ବୁଝାଇ
ଦେଉଥିଲେ ନୀତିଶିକ୍ଷା ।
ଉତ୍ତମ ମାନବ ଚରିତ୍ର ଗଠନ ପାଇଁ
ଦେଲେ ସଦାଚାର ଶିକ୍ଷା ।।
ଅପ୍ରିୟ ସତ୍ଯର ଉପଦେଶ ବାଣୀ ସଦା
ରାଜାଙ୍କୁ ହେଲା ଅସହ୍ଯ ।
ଭର୍ତ୍ସନା କରିଣ ରାଜା ଧୃତରାଷ୍ଟ୍ର ରାଜ୍ଯୁ
କରିଲେ ଚିରବିଦାୟ ।।
ମହାଭାରତର ଯୁଦ୍ଧକୁ ଟାଳିବା ପାଇଁ
ଚେଷ୍ଟିତ ଥିଲେ ବିଦୁର
ଦୁର୍ଯ୍ୟୋଧନ ତାହାକୁ କରିଥିଲା ଅଗ୍ରାହ୍ୟ
ହୋଇଲା ମହାସମର ।।
ଶସ୍ତ୍ରାସ୍ତ୍ର ବିଦ୍ଯା ଶିକ୍ଷା ନ କରିବି ବିଦୁର
ଯୁଦ୍ଧରେ ଥିଲେ ନିପୁଣ ।
ତାଙ୍କୁ ପ୍ରାପ୍ତ ହୋଇଥିଲା 'ପରନ୍ତୁ' ଦିବ୍ଯାସ୍ତ୍ର
ରଖିଥିଲେ ସେ ଗୋପନ ।।
ଚାହିଁଥିଲେ ଯୁଦ୍ଧ ଗୋଟିଏ ଦିନରେ ସିଏ
କରିପାରିଥାନ୍ତେ ଶେଷ ।
ଅଧର୍ମରେ ରହି ଅନ୍ଯାୟ ଭାବରେ ଯୁଦ୍ଧ
କରିବି ନାହିଁ ଅବଶ୍ୟ ।।
ଦୁର୍ଯ୍ୟୋଧନର ନିନ୍ଦା-ଅପମାନ ବିଦୁର
ସହିଗଲେ ମଥାପାତି ।
ଯୁଦ୍ଧ ନ କରିବାକୁ କରିଲେ ପ୍ରତିଜ୍ଞା
ଥିଲା ତାଙ୍କ ଦୃଢନିଷ୍ପତ୍ତି ।
ପାଣ୍ଡବମାନେ ତାଙ୍କର ଥିଲେ ଅତିପ୍ରିୟ
କରିଲେ ସ୍ନେହ ଅଶେଷ ।
ସଦାଚାର ପୁଣି ନୀତିଶିକ୍ଷା ଦ୍ବାରା ତାଙ୍କୁ
ଦେଉଥିଲେ ଉପଦେଶ ।।
ଏପରି ମହାତ୍ମା ସଦା ଜଗତେ ବିରଳ
ରାଷ୍ଟ୍ରର ହିତ ସାଧକ ।
ତାଙ୍କ ଅବର୍ତ୍ତମାନରେ ରାଷ୍ଟ୍ରେ ବିଶୃଙ୍ଖଳା
ହୋଇଥାଏ ଭୟାନକ ।।
ଧନ୍ଯ ଧନ୍ଯ ତୁମେ ବିଦୁର ମହାତ୍ମା ଧନ୍ଯ
ତୁମ ସୁନୀତି-ଆଦର୍ଶ ।
ଶ୍ରଦ୍ଧା ଓ ଭକ୍ତିରେ ସଦା କରେ ପ୍ରଣିପାତ
ଚିରହେଉ ତୁମ ଯଶ ।।