STORYMIRROR

Prabodha Chandra Mudra

Others

4  

Prabodha Chandra Mudra

Others

ସ୍ଵର୍ଗାଦପି ଗରୀୟସୀ

ସ୍ଵର୍ଗାଦପି ଗରୀୟସୀ

1 min
656

   

ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ 

              ସୁନିଶ୍ଚିତ ଗରୀୟସୀ ।

ଵିଶ୍ବ ଵ୍ରହ୍ମାଣ୍ଡରେ ତା'ର ସମକକ୍ଷ

             ନାହିଁ କିଏ ମହୀୟସୀ ।।

ସକଳ ପ୍ରାଣୀଙ୍କୁ ସୃଷ୍ଟି କରି ସିଏ

              ଦେଇଛି ସ୍ନେହ ଅସୀମ ।

ଆପଣା ବକ୍ଷରେ ବାତ୍ସଲ୍ୟ ପ୍ରେମରେ

             ପାଳିଛି ସେ ମାତୃସମ ।।

କଲ୍ୟାଣମୟୀ ସେ ଜନନୀ ଆମ୍ଭର

                ଅତିପ୍ରିୟ ମାତୃଭୂମି ।

ସ୍ଥାବର-ଜଙ୍ଗମ-କୀଟ ଓ ପତଙ୍ଗ 

               ସମସ୍ତଙ୍କ ଜନ୍ମଭୂମି ।୩।

ଵହୁ ନଦ-ନଦୀ କେତେ ଯେ ଉଦଧି

               ହୃଦୟେ ଧରିଛି ଅଦ୍ରି ।

ସକଳ ଵସ୍ତୁକୁ ଧରିଅଛି ଵୋଲି

            ଧରଣୀ ନାମେ ଧରିତ୍ରୀ।।

ବିବିଧ ପାର୍ଥିବ ଵସ୍ତୁକୁ ତୋ ଅଙ୍କେ

               ଧରିଅଛୁ ମା'ଭୂଦେବୀ ।

ସେଥିପାଇଁ ମାତ ତୁମ୍ଭର ନାମଟି

             ହୋଇଅଛି ଯେ ପୃଥିବୀ ।।

କେତେ ପ୍ରାକୃତିକ ଝଡଝଞ୍ଜା ସହୁ

                ମାନଵର ଉତ୍ପୀଡନ ।

ଘାତ-ପ୍ରତିଘାତ ସହିଅଛୁ ଵୋଲି

             ସର୍ବଂସହା ହେଲା ନାମ।।

ଧନର ପ୍ରାଚୁର୍ଯ୍ଯ ଐଶ୍ୱର୍ଯ୍ୟ ସମୂହ

              ଧରିଅଛୁ ତୋ ଗର୍ଭରେ ।

ସ୍ବର୍ଣ୍ଣପ୍ରସୂ ତୁହି ରତ୍ନଗର୍ଭା ନାମେ

             ଵସୁନ୍ଧରା ଏ ମହୀରେ।।

ଜନନୀ ସଦୃଶ ସକଳ ପ୍ରାଣୀଙ୍କ

              ତୁହି ଧାତ୍ରୀ-ରକ୍ଷାକର୍ତ୍ତ୍ରୀ ।

ଶସ୍ଯ-ଫଳ-ଫୁଲେ କରୁ ପରିପୁଷ୍ଟ

              ଅଟୁ ପରା ଜଗଦ୍ଧାତ୍ରୀ।।

ସୁଧାରସ ସମ ପବିତ୍ର ସଲିଳ

               ବକ୍ଷରେ କରି ଧାରଣ ।

ସେ ଜୀବନ ଦାନେ ଉଭୟ ଜଗତ

              ବଞ୍ଚନ୍ତି ହୋଇ ପ୍ରସନ୍ନ ।।

ଗରୀୟସୀ ବୋଲି ତୋ ସେବାରେ ମାତ

               ସତତ ସୂର୍ଯ୍ୟ-ଚନ୍ଦ୍ରମା ।

ମେଘ-ନଭ-ଵାୟୁ ସେବି ଅହର୍ନିଶ

             ବଢାନ୍ତି ତୋର ଗରିମା ।।

ମଧୁ-କୈଟଭଙ୍କ ମେଦର ପ୍ରଭାବେ

             ପୃଥ୍ଵୀ ନ ହୋଇଲା ଦୃଶ୍ଯ ।

ମାତୃଶକ୍ତି ଦ୍ବାରା ହୋଇଲେ ନିହତ,

            ମେଦିନୀ ନାମେ ବିଶେଷ ।।

ପରମେଶ୍ବରଙ୍କ ସର୍ଵ ଶ୍ରେଷ୍ଠ ସୃଷ୍ଟି

               ପ୍ରକୃତି ସ୍ବରୂପା ମାତା ।

ବସୁଧା ରୂପେ ତୁ ସର୍ବତ୍ର ବ୍ଯାପକ

              ଜଗତେ ହୋଇ ସମ୍ଭୂତା ।।

ପଞ୍ଚତତ୍ତ୍ବରେ ଯେ ତୋହର ସଂସ୍ଥିତି

                ସ୍ଥୂଳରୂପେ ଦୃଶ୍ୟମାନ

ଜଡ ରୂପେ ତୁହି ହୋଇ ପ୍ରକୃତିସ୍ଥ

              ପୁଣି କେବେ ତୁ ଚେତନ ।।

ଧନ୍ୟ ତୁହି ମାତା ଧନ୍ଯ ତୋ ମାତୃତ୍ବ

                 କରେ ଭକ୍ତି ପ୍ରଣିପାତ ।

ତୋର କୃପାବଳେ ହସୁ ଏ ସଂସାର

               ସଂତାପ ହେଉ ସମାପ୍ତ ।।

              

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍