ପ୍ରାର୍ଥନା
ପ୍ରାର୍ଥନା
ହେ ବିଶ୍ବ ବିଧାତା ସ୍ୱାମୀ ! ଜଗତ କରତା
ସୃଷ୍ଟି-ସ୍ଥିତି–ପ୍ରଳୟର ତୁମେ ହିଁ ନିୟନ୍ତା ।।
ଭକ୍ତିପୂତେ ବେନି ହସ୍ତେ କରେ ପ୍ରଣିପାତ
ଏ ବିଶ୍ବ ଭୁବନେ ଶାନ୍ତି ହେଉ ପ୍ରତିଷ୍ଠିତ ||
ହେ ଜଗତ ପିତା,ମାତା,ତୁମେ ବନ୍ଧୁ-ଭର୍ତ୍ତା
ତୁମେ ବିଦ୍ୟା-ବୁଦ୍ଧି-ଜ୍ଞାନ-ଧନ ସୁଖ ଦାତା ||
କୁବୁଦ୍ଧି,କୁଦାସ ମୁହିଁ ହୀନ କୁଳାଚାର
ଦୁର୍ଗୁଣ ବିନାଶି ଦିଅ ସୁଗୁଣ ସତ୍ଵର ||
କୁପଥରୁ ନିବର୍ତ୍ତାଇ ନିଅ ସୁପଥକୁ ।
ଅଜ୍ଞାନ ତମୋ ବିଧ୍ବଂସୀ ଦେଖାଅ ଜ୍ୟୋତିକୁ ||
ମୁହିଁ ନରାଧମ ପାପୀ ଅଟଇ ଅଧର୍ମୀ
ସତ୍ୟ ପଥେ, ଧର୍ମ ପଥେ ଚଳାଅ ହେ ସ୍ବାମି !
ସଗୁଣ ସାକାର ବ୍ରହ୍ମ ପ୍ରଭୁ ନିରାକାର
ଗୁଣତ୍ରୟେ ତୁମ ସତ୍ତା ଥାଏ ନିରନ୍ତର ||
ତବ ଇଙ୍ଗିତରେ ଏହି ସୃଷ୍ଟି ଆତଯାତ
ଆଜ୍ଞା ବିନୁ ନ ଚଳଇ ଉଦଧି-ମାରୁତ ||
ଅନନ୍ତ ମହିମା ତବ କି ବର୍ଣ୍ଣିବି ମୁହିଁ
ନିର୍ବୋଧ-ଅଜ୍ଞାନ ଶକ୍ତି ହୀନ ମୁଁ ଅଟଇ ||
କାମନା-ବାସନା ସୁଖ ନାହିଁ ପ୍ରୟୋଜନ
ବିଷମ ଜଞ୍ଜାଳୁ ମୋତେ କର ପରିତ୍ରାଣ ||
ରାଷ୍ଟ୍ରଭକ୍ତି–ଦୁଃଖୀ ସେବା ପର ଉପକାର
ସୁନୀତି-ଆଦର୍ଶ-ତ୍ୟାଗ ଧ୍ଯେୟ ହେଉ ମୋର ||
ଦୟାକ୍ଷମା ଓ ଶାନ୍ତିର ଦିବ୍ୟ ଅବତାର
ସତ୍ୟ-ଶିବ-ସୁନ୍ଦର ର ତୁମେ ମୂଳାଧାର ||
ଅସୁୟା-କୁତ୍ସିତ ଭାବ ମନୁ ହେଉ ଦୂର
ସ୍ନେହ-ଶ୍ରଦ୍ଧା-ଭକ୍ତିଭାବ ରହୁ ନିରନ୍ତର ||
ସକଳପ୍ରାଣୀଙ୍କ ଦୁଃଖ ଯାଉ ଅପସରି
ବିଶ୍ବେ ସଦା ବୃଷ୍ଟି ହେଉ ପ୍ରେମସୁଧା ବାରି ||
ତବ ଶ୍ରୀ ପୟରେ ପ୍ରଭୁ ହେଲି ସମର୍ପିତ
ଏ ଭବ ବନ୍ଧନୁ ସ୍ବାମି କରିଦିଅ ମୁକ୍ତ ||
