ବିଶ୍ଵାସେ କାହିଁକି ବିଷ
ବିଶ୍ଵାସେ କାହିଁକି ବିଷ
ବିଶ୍ଵାସେ ଚଳୁଛି ବିଶ୍ଵ
ସମ୍ମୁଖେ କୋମଳ ବଚନ କହି
ଦିଅ ତେବେ ବିଶ୍ଵାସେ
କାହିଁକି ବିଷ
ଆରେ ହେ ମଣିଷ ?
ଉପକାର ଭୁଲି
ଅପକାର ପାଇଁ କିଆଁ ଚିନ୍ତ
ପରୋପକାରେ ନାହିଁ ଯଦି ମତି
ମନେ ଭାଳ କିଆଁ ପର ଅହିତ
ମଣିଷ ପଣିଆକୁ କରି ଶେଷ
ମାନବିକତାକୁ କରି ନିଃଶେଷ
ନିଜ ସ୍ଵାର୍ଥେ ବୁଡି
ନିଜ ପରିବାର କଥା ଭାଳି
ଦିଅ ତେବେ ବିଶ୍ଵାସେ
କାହିଁକି ବିଷ
ଆରେ ହେ ମଣିଷ ?
ଅପାରଗ ହୋଇ
ଅନ୍ୟକୁ କର କିଆଁ ଈର୍ଷା
ଅନ୍ୟାୟ, ଅନୀତି ଉପାୟେ
କିମ୍ପା ଅବଲମ୍ବନ
କର ପଥଟି ହିଂସା
ନ କର କାହାକୁ
ସାହାଯ୍ୟ ଅବା ସହଯୋଗ
କାହା କ୍ଷତି ପାଇଁ
ନ କର ମନଯୋଗ
ଭୁଲିଯାଅ ପଛେ
କାହାର ଉପକାର
ନ କର କାହାର ଅପକାର।
ଏ ଭବର ମୂଳ ଅସ୍ତ୍ର
ଅଟେ ବିଶ୍ଵାସ
ଏ ସଂସାରର
ମୂଳାଧାର ଅଟେ ବିଶ୍ଵାସ
ମନେ ନ ଆଚର
କାହାରି ଧ୍ଵଂସ
ତେବେ ତୁମେ
ଦିଅ ବିଶ୍ଵାସେ କାହିଁକି ବିଷ
ଖଳବୁଦ୍ଧିି, ଆରେ ହେ ମଣିଷ ?
ସଭିଙ୍କ ସଂସାରେ
ପୁରି ଉଠୁ ଯେ
ଖୁସି ଓ ହସ
ଏହା ହିଁ କରନ୍ତୁ
ପ୍ରଭୁ ଜଗତ ଈଶ
ସଦା ସର୍ବଦା ଅନ୍ୟର
ମୁଖେ ଫୁଟାଅ ହସ
ସୁନ୍ଦର କରି
ଗଢି ତୋଳିବା
ଆସ ଏ ବିଶ୍ଵ
ସତ୍ୟ, ନ୍ୟାୟ, ଧର୍ମରେ
ଚଳରେ ମଣିଷ
କାହା ବିଶ୍ଵାସେ
କାହିଁକି ଦେବା ଯେ ବିଷ ?
ସଭ୍ୟତା ନାମେ
କାହା ମୁଖୁ
ନ ଛଡାଇବା ହସ
ସାହାଯ୍ୟକାରୀ, ପରୋପକାରୀ
ଜନଙ୍କୁ କିମ୍ପାଇଁ
ଦେବା ଯେ କ୍ଳେଶ
ତାଙ୍କ ନାମେ କିମ୍ପା
ରଚିବା ଅପଯଶ
ବିଶ୍ଵାସଘାତକ ସାଜି
କାହା ବିଶ୍ଵାସେ
କାହିଁକି ଦେବା ଯେ ବିଷ
ଆରେ ହେ ମଣିଷ ?