ବିଶ୍ଵ ତ୍ରିରଙ୍ଗା
ବିଶ୍ଵ ତ୍ରିରଙ୍ଗା
ଗଗନ ପବନ ହୁଏ ପ୍ରକମ୍ପିତ
ଘରେ ଘରେ ଆଜି ଉଡ଼େ ତ୍ରିରଙ୍ଗା
ସବୁରି ମନରେ ବହିଯାଉଅଛି
ଆନନ୍ଦ ଉଲ୍ଲାସ ପୁଣ୍ୟର ଗଙ୍ଗା ।
ପଞ୍ଚସ୍ତରି ବର୍ଷ ପୂର୍ତ୍ତି ଅବସରେ
ପାଳୁଛୁ ଅମୃତ ମହୋତ୍ସବକୁ
ବୀର ଯବାନଙ୍କ ଆତ୍ମବଳି ଦାନେ
ଲଭିଅଛୁ ଯେଉଁ ସ୍ବାଧୀନତାକୁ ।
ଯା'ବୀର ରକତେ ଏ ମାଟି ଉର୍ବର
ଭରିଦିଏ ମନେ ନବ ଚେତନା
ଆମ ପରିଚୟ ଆମେ ଭାରତୀୟ
ଗୋଟିଏ ଦେଶ ଗୋଟେ ଭାବନା ।
ପ୍ରତି ଘରେ ଘରେ ଉଡ଼ଇ ତ୍ରିରଙ୍ଗା
ଆନନ୍ଦେ ଜାତୀୟତା ଅନୁରାଗେ
ସ୍ବାଧୀନତାର ଅମୃତ ମହୋତ୍ସବ
ଜାତି ଇତିହାସ ମନରେ ଜାଗେ ।
ପରାଧୀନତାର ଶୃଙ୍ଖଳରେ ବନ୍ଦୀ
ହୋଇଥିଲା ଦିନେ ଭାରତମାତା
ବିଦେଶୀ ଶାସନେ ହୋଇଣ ଅତିଷ୍ଠ
ଦେଶବାସୀ କଲେ ସ୍ୱାଧୀନ ଚିନ୍ତା ।
ଆମରି ଦେଶର ଚିନ୍ତା ନାୟକ
କେତେ ଦେଶ ପ୍ରେମୀ ମନୀଷୀଗଣ
ବୀର ଯବାନଙ୍କ ଅଦମ୍ୟ ପ୍ରଚେଷ୍ଟା
ଶେଷରେ ହୋଇଲା ଦେଶ ସ୍ଵାଧୀନ ।
ଆମରି ଶାସନ ଆମରି ହାତରେ
ଆମେ ଚଳାଉଛୁ ଦେଶ ଆମରି
ସ୍ୱାଧୀନ ଭାରତ ସନ୍ତାନ ଆମେରେ
ଆମରି ନାଆର ଆମେ ନାଉରି ।
ଯାବତ୍ ସୂର୍ଯ୍ୟ ଚନ୍ଦ୍ର ଥିବେ ଜଗତେ
ପାରିବୁନି ଭୁଲି ସେ ଆତ୍ମବଳି
ତାଙ୍କରି ମହାର୍ଘ ପ୍ରତି ରକ୍ତବିନ୍ଦୁ
ଦେଉଥିବୁ ବାଢ଼ି ଭକ୍ତି ଶ୍ରଦ୍ଧାଞ୍ଜଳି ।
ଆଜିର ଅମୃତ ମହୋତ୍ସବ ପାଇଁ
ଜାତିପ୍ରେମ ହୃଦେ ହେଉ ଉଜ୍ଜୀବିତ
ଶାନ୍ତି ମୈତ୍ରୀ ଭାତୃଭାବେ ହୋଇ ବନ୍ଧା
ଗାଇବା ଆମେରେ ଜାତୀୟ ସଙ୍ଗୀତ ।
