ବିଶ୍ୱାବସୁ
ବିଶ୍ୱାବସୁ
ଭାବିଛକି କେବେ ହୃଦୟ ବେଦନା
ବିଶ୍ୱାବସୁ ସେବକର,
କମଳାପତି ହେ କାଇଁଞ୍ଚ ମାଳିଆ
କେଉଁ ଅପରାଧେ ଦୂର ।
ଗିରୀସାର ସିନ୍ଧୁ ଆହେ ଜଗବନ୍ଧୁ
କୃପା କୈବଲ୍ୟ ର ରେଣୁ,
କିମ୍ପାଇ ନିର୍ଦ୍ଦୟ ଆହେ ଦୀନବନ୍ଧୁ
ଭକ୍ତବତ୍ସଳ ହେ ଯେଣୁ ।
ହେ ଭବନାଉରୀ ଭବସିନ୍ଧୁ ପାରି
ତରଣୀ ତାରଣ ପତି,
କେଉଁଦୋଷ ଦେଖିହେ ଜୀମୂତ କାନ୍ତି
ବେଦନା ଦେଲ ନୃପତି ।
ଅଜନ୍ମା ପୁରୁଷୋତ୍ତମ ହେ ମଣିମା
ଲୌକିକ ଭାବର ଧାରା,
ଅଛ ଓ ରହିଛ ତଥାପି ଚେତନା
ଠାରୁ ହୁଏ ଦୂର ପରା ।
ଭାବିଲ ନାହିଁ ମୋ ହୃଦୟକୁ ଥରେ
ପାଷାଣ ହୋଇଲ ଦୀନେ,
ଆତ୍ମାରୁ ଶରୀର ଅଲଗା ହୋଇଲେ
ଜୀବ କି, ରୁହେ ଏ'ପ୍ରାଣେ ।
ଆଶା ନାହିଁ କେଶବ ଅଷ୍ଟ ଐଶୁର୍ଯ୍ୟ
ମାଗିନାହିଁ କେବେ କିଛି,
କେଉଁ ଅପରାଧେ କଲ ହେ ନିଶୁର୍ଯ୍ୟ
ଶରୀରରୁ ପ୍ରାଣ ମୂର୍ଛି ।
କାହାକୁ ଉଦ୍ଧାର ପତିତପାବନ
କାହା କର୍ମହୁଏ ବାମ,
ହୃଦୟ ଦେଇ କି ଅପରାଧ ପୂର୍ଣ୍ଣ
ଯାତନା ଭରା ମରମ ।
ଧରଣୀ ମନ୍ଥିଲା ପରି ହେ ମାଧବ
ହୃଦୟ ହେଉଛି ଦହି,
ଭଜିବି କାହାକୁ ଶୁଣାଇ ଭଜନ
ନୀଳ ମାଧବ ହେ,କହି ।
ତମସା ଘୋଟିଛି ଏ'ଦୀନ ପ୍ରାଣରେ
ପ୍ରାଣ ସୂର୍ଯ୍ୟ ଗଲେ ହଜି,
ଧିରେ, ଧିରେ ରହି ହୃଦୟ ତନ୍ତ୍ରୀରେ
କୋହେ ,ଲୁହେ ଯାଏ ଭିଜି ।
କେଉଁ ଜନ୍ମଫଳେ ଝୁରିବାର ଭାଗ୍ୟ
ଲୁହରେ ଭିଜା ନୟନ,
କାହିଁ ଗଲଛାଡି ପଥବଣା ସୂର୍ଯ୍ୟ
ଉଇଁବ କି, ହୃଦବନ ।
ନୈସର୍ଗୀକ ଶୋଭା ଆଉ କି ଦିଶିବ
ବିହୁନେ ହେ, ପ୍ରଭୁ ମୋର,
ରୂପଶ୍ରୀ ରୂପର ଚାରୁ ବର୍ଣ୍ଣମୟ
ମାଧୁର୍ଯ୍ୟ ହରା ଆସ୍ଥାନର ।
ବିଦ୍ୟମାନ ହୋଇ ଆଶିଷ ଝରାଇ
ଶେଷେ କେତେ କନ୍ଦାଇବ,
କ୍ଷଣେ ହରିନେଲ ଧର୍ମରକ୍ଷା ପାଇଁ
ରମାପତି ହେ କେଶବ ।
କାମନା, ବାସନା ହୃଦରେ ବିଷୟା
ଅଧିକ ଦେଖି ମାଧବ,
ଦୂରେ ରଖି ପ୍ରଭୁ ଅନ୍ତର ହୋଇବା
ବିରହ ଅସହ୍ୟ ତଵ ।
ନୀଳକନ୍ଦର ରେ ବସିଅଛ ପ୍ରଭୁ
ନୀଳଜୀମୂତ ପରାଏ,
ନୀରବ ମନର ଦଗ୍ଧ ହୃଦୟକୁ
ଦହନ ଅନଳ ପ୍ରାୟେ ।
ତୁମେ ନିର୍ଗୁଣ, ନିର୍ମୋହ, ନିର୍ବିକାର
ମୁଁ 'ଯେ ବିଷୟାର ମୋହ,
ତୁମେ ଅନନ୍ତ, ଅସୀମ ଅଣାକାର
ମୁଁ ' ଦୁଃଖ ଦହନେ ସୁଅ ।
