ବିରସ ପଙ୍କଜମୂଖ
ବିରସ ପଙ୍କଜମୂଖ


କୁହ ଚକାଆଖି ଗୁପତେ ଆସି
ମୁଖ କିମ୍ପାଇଁ ବିଷର୍ଣ୍ଣ
କେଉଁ କାରଣରୁ ତୁମ ଆଖିରୁ
ବହିଲା ଲୋତକ ଘନ।
କିବା ଦୁଃଖ ସିଏ ତୁମ ହୃଦୟ
କରିଅଛି ଭାରାକ୍ରାନ୍ତ
କି କଥା ହେଜି ବିମୂଖ ହୋଇଛ
କୁହ ହେ କମଳାକାନ୍ତ।
ମନେ ପଡିଲା ଯଶୋମତୀ କଥା
ଅବା ମନେ ପଡେ ରାଧା
କୁଞ୍ଜବନ କଥା ମନେ ଭାବୁଛ
ପିରତି ରହିଲା ଅଧା।
ମୀରା ବାଈ ଗୀତ ଶୁଭୁନି ଆଉ
ମିଳୁନି ସର ଲବଣୀ
ସବରୀ ଅଇଁଠା କୋଳି ମିଳୁନି
କୁହ ପ୍ରଭୂ ଚକ୍ରପାଣି।
ତୁମ ଲୁହ ଦେଖି ବିଦଗ୍ଧ ଚିତ୍ତେ
ରହୁନାହିଁ ଥୟ ହୋଇ
ସେ ସବୁ ଲୁହ ମୋ ନେତ୍ରରେ ଦେଇ
ମୋର ସୁଖ ଯାଅ ନେଇ।
ହରିବୋଲ କି ଶୁଭୁନି ମନ୍ଦିରେ
ଶୁଭୁନି ଗୀତ ଗୋବିନ୍ଦ
ଭକତ ଗୁହାରୀ ବାଜୁନି କାନେ
ସେଥିପାଇଁ କିବା କାନ୍ଦ।
ଚକ୍ରବ୍ୟୁହ ପରି ମନେ ମୋ ଭାବନା
ଗୁଡେଇ ତୁଡେଇ ହୁଏ
ଆହେ ରମାପତି ହେ ଅନ୍ତର୍ଯ୍ୟାମୀ
ଭାସିଲି ପ୍ରମାଦ ସୁଏ।
କହିଦିଅ ଥରେ ସପନେ ଆସି
ବିରସ କାରଣ ତୁମ
ସହି ପାରୁନାହଁ ଏଇ ଦୂରତା
ପ୍ରଭୂ ହେ ପୁରୁଷୋତ୍ତମ।
ସଭିଁଙ୍କ ବିଷାଦ ତୁମେ ବୁଝିଛ
ନିଜ ଅବଷାଦ ମାରି
ତୁମ ଅଧରେ ହସ ନ ଦେଖିଲେ
ଏ ମନ ମୋ ଯାଏ ମରି।
ମଉନେ ବସ'ନି କଳାରତନ
କୁହ ହେ କାରଣ ଥରେ
ଅକାରଣ ହେବ ଏଇ ଜୀବନ
ତୁମ ଲୁହ ଯଦି ଝରେ।