ବିରହୀ ରାଧିକା
ବିରହୀ ରାଧିକା
କେକୀ ନୃତ୍ୟ କରଇ ମିଳିନ୍ଦ ଯେ ଭ୍ରମଇ
କାହିଁ ଗଲେ ଶ୍ୟାମଘନ ମନ ମୋର ଚୋରାଇ
ସରୋବରେ ନଳିନୀ ଯେ ଦେଖି ଥଟ୍ଟା କରଇ
ନଟ ନାଗର ସେ କାହ୍ନୁ ଦେଲା ତତେ ଭଣ୍ଡାଇ ।
ଯଶୋଦା ନନ୍ଦନ ସେ ତ ରାସ ଦେଲା ରଚାଇ
ମନ ହରି ମନୋହର କାହିଁ ଗଲା ଦୁରେଇ
ବିରହୀ ଲଳନା ରାଧା ବସେ ଆଜି ଉଦାସେ
ମଉଳା କୁସୁମ ସମ କାହିଁ ଆଜି ସେ ଦିଶେ ।
କାଞ୍ଚନ ସମାନ ମୁହଁ ଝାଉଁଳି ଯାଇଛି ଆଜି
କାହିଁ ସେ ମୋହନ ଦୁଃଖ ଦେଲା ଯେ ବଇରୀ ସାଜି
ଶଶୀ ପରି ମୁହଁ ଗୋଟି ଦିଶେ ଆଜି ମଳିନ
କାହିଁ ଗଲେ ଏକା କରି ମୋର କଳା ବଦନ ।
ତଟିନୀ ଯାଇଛି ଶୁଖି ସମୀର ବହଇ ଧୀରେ
ଦିଶେ ନାହିଁ ଆଜି ହସ କିଶୋରୀ ରଙ୍ଗ ଅଧରେ
ଫେରିଆସ ହେ ମାଧବ ରାଧିକା ରହିଛି ଚାହିଁ
ରୋଦନ କରେ ସେ ବାଳା କୃଷ୍ଣ ମୋର ଗଲେ କାହିଁ ।
କୋଟି ସୂର୍ଯ୍ୟ ଆଭା ତେଜ ମୁଖ ଗୋଟି ଉଦାସେ
କଜଳ ପୂରିତ ନେତ୍ର ଚାହିଁ ରହେ ଆକାଶେ
ଫେରିବେ କି ମୋ ମାଧବ ହସ ହସ ବଦନେ
କୁଞ୍ଜବନେ ହଜିଯିବୁ ପ୍ରଣୟ ର ସପନେ
ହଟ କରେ ହଟିଆ ସେ ହଟ କରି ଯାଏ ଲୋ..
ରାଧିକା ବିରହ କାହିଁ ପଡୁନାହିଁ କାନେ ଲୋ..
ଲୋତକେ ଯାଏ ଯେ ବହି ସୃଷ୍ଟି କରେ ସାଗର
ସତେ କି ହୃଦୟ କେଡେ ପଥର ଲୋ କାନ୍ହୁ ର
ବାହୁନି ଯାଏ ଲୋ ରାଧା ଲାଗେ କାହିଁ ଅଧା ଅଧା
କାହୁଁ ଆଉ ପାଇବି ମୁଁ ମୋହନ ବଂଶୀ ଶରଧା...
ଆଉ କି ଫେରିବ ମୁରଲୀ ର ସେହି ମିଠା ସ୍ୱର.
ବିରହୀ ରାଧା ଯେ ଅଶ୍ରୁ ଝରାଏ ଲୋ ଝର ଝର....
ପ୍ରେମ ର ତୂଳୀ ରେ ଆଙ୍କି ଥିଲା ଛବି ଦେଇ ମନ
କାନ୍ହୁ ଛାଡି ଗଲା ଗୋପ ସତେ କି କରି ଶ୍ରୀହୀନ
ପ୍ରେମ ର ବିରହ ବହ୍ନି ଯାଉଛି ଲୋ ଜଳି ଜଳି
କଦମ୍ବ ବନେ କଦମ୍ବ ପଡିଛି ଆଜି ଝାଉଁଳି
କେଡେ ସତେ ସେ ମୋହନ ମୋହ ଦେଲା ଲଗାଇ
ମୋହ ବାନ୍ଧି ମୋହନ ସେ ମୋହ ଦେଲା ତୁଟାଇ
ଚହଟୁନି ଆଜି ଚମ୍ପା, ଗୋପ ରେ ପଡ଼େନା ହୁରି
ଆସିଲା ଲୋ କଳା କାନ୍ହୁ ଲବଣି କରିବ ଚୋରି
ଦହି, ଲବଣି ଲୋ କାହିଁ ରହିଛି ଯେ ଆଜି ଭରି
କାନ୍ହୁ ଅଇଁଠା କରିବ ମାଠିଆ କାନ୍ଦଇ ଝୁରି
କାହିଁ ଗଲ ହେ ମୁରାରୀ ଗୋପ ପୁର ଶୂନ୍ୟ କରି
ଚାହିଁ ବସେ ରାଧାରାଣୀ ଆସିବ ହେ କୃଷ୍ଣ ଫେରି...