ବିନୟ ବଚନେ ବଇରୀ ବଶ
ବିନୟ ବଚନେ ବଇରୀ ବଶ
ମନ ମାଠିଆରେ ପ୍ରେମାମୃତ ଭରି
ସ୍ରଷ୍ଟା ସଂସାରେ ଛାଡ଼ିଲେ
ଶ୍ରେଷ୍ଠ ସୃଷ୍ଟି ବୋଲି କଥିତ କରାଇ
ସ୍ଵାଧୀନତା ଦେଇ ଦେଲେ ।
ପଞ୍ଚ ଇନ୍ଦ୍ରିୟ ଯେ ପଞ୍ଚ ତତ୍ତ୍ଵମୟ
ଜିହ୍ବା ପାଇଁ ଯେ ପହରା
ବତିଶ ସୈନିକ ଜଗି ବସିଛନ୍ତି
ନ ହେବାକୁ ଦିଗ ହରା ।
ଜିହ୍ଵା ହାତେ ଆମ ବଚନର ଗଣ୍ଠି
ବଚନେ ଜଗତ ତୁଷ୍ଟ
ମଧୁର ବଚନେ ଅମୃତ ଝରଇ
ଦିଏ ଶୀତଳ ପରଶ ।
ନିଷ୍କପଟ ପ୍ରେମ ମଧୁର ବଚନ
ପରକୁ ଆପଣା କରେ
ବିନୟ ବଚନ ବ୍ୟକ୍ତିତ୍ଵ ବଢ଼ାଏ
ଦେଖି ଦେଲେ ମଥା ନଏଁ ।
ବିନୟ ବଚ଼ନେ ବଇରୀ ବଶ ଯେ
ଏହା ଅଟେ ଶାସ୍ତ୍ର ବାଣୀ
ଏହି ଶାସ୍ତ୍ର ବାଣୀ ସଦା ପ୍ରମାଣିତ
ଜୀବନେ ପାରିଲେ ଭଣି ।
ଅଭିନୟ ମିଶା ବିନୟ ବଚନ
ଦୁଇ ଦିନେ ହଜି ଯାଏ
ସ୍ଵାର୍ଥୀ ବୋଲି ନିଜେ ନିଜକୁ ଚିହ୍ନାଏ
ବିନୟୀ ସେ କେବେ ନୁହେଁ ।
ଆତ୍ମାକଳ୍ପ ମଧ୍ୟୁ ପ୍ରେମକୁ ମିଶାଇ
ବଚନକୁ ସଜାଇବା
ସେ ବଚ଼ନ ହେବ ବିନୟ ବଚନ
ତାକୁ ସ୍ୱଭାବ କରିବା ।
ବିନୟ ମଧୁର ସ୍ଵଭାବରେ ପରା
ଏ ସାରା ଜଗତ ବଶ
ବଇରୀ ହୁଅଇ ଅତି ଆପଣାର
କ୍ରୋଧରେ ଉତ୍ତରେ ହ଼ସ ।
ବିନୟୀ ସନ୍ତାନ ପିତାମାତା ଗର୍ବ
ବିନୟୀ ଶିଷ୍ୟ ଗୁରୁ ର
ବିନୟୀ ମଣିଷେ ମାନବତା ବାଦ
ସବୁଠୁ ଅଟେ ପ୍ରଖର ।
ବଚନ ମଧୁରେ ରୋଗୀର ଯନ୍ତ୍ରଣା
ସତୁରୀ ଭାଗ କମଇ
କର୍କଶ ବଚନ ଯନ୍ତ୍ରଣା ବଢାଏ
ଔଷଧ କାମ ନ ଦେଇ ।
ବିନୟ ବଚନେ ପଶୁ ପକ୍ଷୀ ବଶ
ଶତ୍ରୁ ତ ମଣିଷଟିଏ
ବ୍ୟବହାର ଆଉ ବଚନ ସର୍ବଦା
ଶତ୍ରୁତାକୁ ଉପୁଜାଏ ।
ବିନୟ ବଚନ ଶ୍ରେଷ୍ଠ ଆଭୂଷଣ
ଶୁଣି ଦେଲେ ଶାନ୍ତି ଭରେ
ବିନୟ ବଚନ ଶ୍ରେଷ୍ଠ ଦାନଟିଏ
ମହାର୍ଘ ପରଶ ଦିଏ ।
ଅଭିସନ୍ଧି ହୀନ ବିନୟ ବଚନ
ନିରାଶାରେ ଆଶା ଭରେ
କୁପଥ ଗାମୀ କୁ ସୁପଥ ଦେଖାଇ
ଜୀବନ ସ୍ଵାଦ ଚଖାଏ ।
ବଚନକୁ ନେଇ ବଇରୀ ହୁଅଇ
ବିବାଦର ବହ୍ନି ଜଳେ
ବିନୟ ବଚନ ଅରୀ ନାଶ କରି
ସଂପର୍କ ର ଦୀପ ଜାଳେ ।
ବଚନ ମଧୁର ସମ୍ପର୍କ ମଧୁର
ମଧୁର ଜୀବନ ଯାତ୍ରା
ମଧୁର ସ୍ଵଭାବ ଦିଏ ଶୀତଳତା
ମଧୁର ତା ପ୍ରୀତି ଗାଥା ।
ବିନୟ ବଚନେ ସଂସ୍କାରର ବାର୍ତ୍ତା
ପରିବାରେ ଗୁଞ୍ଜରଇ
ବିନୟ ମଧୁର ବଚନ ସ୍ରୋତରେ
ଅମୃତ ବରଷୁ ଥାଇ ।
ବିନୟ ବଚ଼ନେ ଆତ୍ମାକୁ ତୋଷିବା
ତୋଷିବା ଯେ ପରିବାର
ବିନୟ ବଚନ ମଳୟ ବୁହାଇ
ତୋଷିଦେବା ଏ ସଂସାର ।
ବିନୟ ବଚନେ ଶାନ୍ତି ପରଶିବା
ପାଇବା ଆତ୍ମିକ ସୁଖ
ମଧୁର ବଚନେ ବ୍ୟକ୍ତିତ୍ଵ ଗଢିବା
ହରିବା ଅନ୍ୟର ଦୁଃଖ ।
ବଚନକୁ ଚାଲ ସମୃଦ୍ଧ କରିବା
ଶାଳୀନତା ରଙ୍ଗ ଦେଇ
ନମନୀୟ କମନୀୟ କରି ଦେବା
ବିବେକକୁ ଗୁରୁ କରି ।
ବିନୟ ବଚନ ସ୍ଫୁରୁ ସର୍ବ ମୁଖୁ
ସଂସାର ହେଉ ସରଗ
ମାଟିରେ ବୈକୁଣ୍ଠ ଉପଲବ୍ଧି ହେଉ
ମନେ ଭରୁ ଅନୁରାଗ ।
