STORYMIRROR

Priyabrata Mohanty

Tragedy

4  

Priyabrata Mohanty

Tragedy

ବିନାଶର ତାଣ୍ଡବ

ବିନାଶର ତାଣ୍ଡବ

1 min
393

ଉର୍ଦ୍ଧ୍ୱଗାମୀ ଆଜି     ଉସ୍ମିତ ବାଷ୍ପ

ହୋଇଛି ଲଘୁଚାପ,

ସାଗର ଗରଭେ     ଶୀତଳ ସମୀର

ନେଇଛି ଉଗ୍ର ରୂପ ।୧।


ମନ୍ଥର ଗତିରେ     କରେ ଅଗ୍ରସର

ବୌଦ ଫୁଟାଏ ତୋପ,

ଉତ୍ତାଳ ତରଙ୍ଗ     ଲଂଘେ ଉପକୂଳ

ଦିଶେ ସୂରୁଜ ଅଳ୍ପ ।୨।


ମେଘ ମଣ୍ଡଳରେ     ଲୀନ ହୋଇଅଛି

ସର୍ବ ପ୍ରକାଶ ପୁଞ୍ଜ,

ଅନ୍ଧକାରାଚ୍ଛନ୍ନ     ହୁଏ ଚତୁର୍ଦିଗ

ଯେମିତି ଲାଗେ ସଞ୍ଜ ।୩।


ସମୟ ବର୍ଦ୍ଧିତେ     ବଢ଼ଇ ବରଷା 

ସାଥେ ବଢ଼େ ପବନ,

ନଦୀ ନାଳ ଭରି     ଆସିଥାଏ ବନ୍ୟା

ସଂଗେ ଆସେ ତୋଫାନ ।୪।


ଆଖି ପିଛୁଳାକେ     ମାଡି ଆସେ ଲୁଣା

କ୍ଷେତରେ ଚରେ ବାଲୁ,

ବନ୍ଧ ବାଡ଼ ଭାଙ୍ଗି     ଭରି ଯାଏ ଜଳ

ନାହିଁ ଉଞ୍ଚା କି ଢ଼ାଲୁ ।୫।


ଅନିଳ ପ୍ରହାରେ     ସଳିଳ ତାଣ୍ଡବେ

ଉଜୁଡ଼େ ଉପବନ,

ଧରାଶାୟୀ ହୁଏ     କେତେ ତରୁ ଲତା

ସ୍ଥଳେ ଖେଳଇ ମୀନ ।୬।


ଧରଣୀ ବୁକୁରେ     ମୁହଁ ପୋତି କେତେ 

ପଡିଛି ଖୁଣ୍ଟି ତାର,

ଖଣ୍ଡ ବିଖଣ୍ଡିତ     ଗଛ ଡାଳ ପତ୍ର

ଉଡ଼େ ନଡ଼ା ଛପର ।୭।


ଜଳ ପ୍ରବାହରେ     ମରେ ଗୋରୁ ଗାଈ

ବହେ ଧନ ଜୀବନ,

ନାନା ପଶୁପକ୍ଷୀ     ହାରିଛନ୍ତି ପ୍ରାଣ

ବତାସ ଗାଏ ଗାନ ।୮।


ପ୍ରାଣ ବିକଳରେ     ପ୍ରାଣୀ ଛାଡେ ଘର

ଭଜି କେତେ ଠାକୁର,

ସୁରକ୍ଷିତ ସ୍ଥାନେ     ଲୁଚି ଯାଇ କହେ

ହେ ହରି ଦୁଃଖ ହର ।୯।


ପାଣି କାଦୁଅରେ     ରାସ୍ତା ଘାଟ ଭରା

ପଛି ଗନ୍ଧାଏ ଶବ,

ମଶା ମାଛି ଯୋଗୁଁ     ହୁଏ ଡାଇରିୟା

ଖାଦ୍ୟ ପେୟ ଅଭାବ ।୧୦।


ଶ୍ରୀହୀନ ହୋଇଛି     ଭୂମଣ୍ଡଳ ଆଜି,

ଶୁଭୁଛି ଆର୍ତ୍ତନାଦ,

କେମିତି ସଳଖି     ହୋଇବ ସେ ଠିଆ

ହାରିଛି ସବୁ ସମ୍ପଦ ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy