ବିକ୍ଷିପ୍ତ ବ୍ୟଞ୍ଜନବର୍ଣ୍ଣ
ବିକ୍ଷିପ୍ତ ବ୍ୟଞ୍ଜନବର୍ଣ୍ଣ
ଅଭିମାନ ତୁମ ମୋ' ବର୍ଣ୍ଣବୋଧର
ସ୍ୱର୍ଣ୍ଣାକ୍ଷରୀ ସ୍ୱରବର୍ଣ୍ଣ !
ମୁଁ ତ ମତ୍ସ୍ୟଜୀବୀ ତୁମ ସାଗରର
ବିକ୍ଷିପ୍ତ ବ୍ୟଞ୍ଜନବର୍ଣ୍ଣ !
ତୁମ ଅଭାବରେ ମୋ' ଭାଵ ତରଙ୍ଗ
ଆତ୍ମାହୀନ ଅନ୍ତାକ୍ଷରୀ !
ସ୍ୱର ଯୋଖୁ ଯୋଖୁ ସ୍ୱର ହଜିଯାଏ
ଉଦ୍ଭଟ ହୁଏ ଲହରୀ !
ସପନମାନେ ବି ଏତେ ସ୍ୱାର୍ଥପର
ଚହଲାଇ ସୂକ୍ଷ୍ମ ମନ !
କ୍ଷଣିକ ଭିତରେ ଆସ୍ଥା ବାଢ଼ିଦେଇ
ହୋଇଯାନ୍ତି ଆସ୍ଥାହୀନ !
ସୁଖର ସଂଜ୍ଞା ମୁଁ ଖୋଜି ବି ପାଉନି
ତା' ରଙ୍ଗ ବହୁଚର୍ଚ୍ଚିତ !
କେତେବେଳେ ସାଜେ ଆଶା ଇନ୍ଦ୍ରଧନୁ
କେବେ ତା' ରଙ୍ଗ ଲୋହିତ !
କେତେବେଳେ ତୁମେ ପଦ୍ମାଳୟା ,ପୁଣି
କେବେ ବାଣୀ ଆବାହନୀ !
ସଂସାରର ନାମ ତୁମରି ନାମରେ
ଖଞ୍ଜିରଖିଛି ବିନ୍ଧାଣି !
ମୁଁ ମାତ୍ର ମଣିଷ ଅତି ଅଳ୍ପାୟୂଷ
ତୁମରି ସାନ୍ନିଧ୍ୟ ଖୋଜେ !
ତୁମ ନିରୀହତା ତୁମ ସରଳତା
ମୋ' ମନ ଉଦ୍ୟାନେ ହଜେ !
ବଞ୍ଚିବାକୁ ଯେବେ ଇଚ୍ଛା ଅପସରେ
ସଜାଇ ସାଗର କନ୍ୟା !
ତୁମ ଚିତ୍ରଲିପି ହୃଦୟରେ ଆଙ୍କି
ଖୋଜେ ଆଶ୍ରୟ-ଅନନ୍ୟା !
ତୁମ ନୀରବତା ଦିଏ ମନେ ବ୍ୟଥା
ତଥାପି ମୁଁ ମହାଭୀଷ୍ମ !
ତୁମେ ନୁହଁ କୁରୁସଭାର ଦ୍ରୌପଦୀ
ମୁଁ ନୁହେଁ କପଟୀ କୃଷ୍ଣ !
ସେଦିନର ସେଇ କୁରୁସଭା ଥିଲା
କଳଙ୍କର କଳା ଛାଇ !
ଦ୍ଵିତୀୟ କଳଙ୍କ ଆଙ୍କିବ କାହିଁକି
ମିଛର ଦ୍ରୌପଦୀ ହୋଇ !
ହେବାକୁ ଚାହେଁନି ମୁଁ ସେଇ ଶ୍ରୀକୃଷ୍ଣ
ମାୟାମିରିଗ ମଣିଷ !
ମୁଁ ଜଣେ ମାନବ ତୁମ ସାନ୍ନିଧ୍ୟର
ଖୋଜେ ସୁଦୀର୍ଘ ଆୟୁଷ !
ପ୍ରିୟତମା ଡାକି ପ୍ରଶ୍ନବାଚୀ ହେବି
ସେ ଜିଜ୍ଞାସା ମୋର ନାହିଁ !
ବରଂ ତୁମପାଇଁ ଫଗୁଣ ଫୁଲରେ
ରହିବି ବସନ୍ତ ହୋଇ !