ବୀର ଶହୀଦ୍
ବୀର ଶହୀଦ୍


ପୂଜି ଥିଲା ଭାବି ଯେହ୍ନେ ଚଳନ୍ତି ପ୍ରତିମା
ଛବି ହୋଇ ରହିଗଲେ ପିତାମାତା ଦୁହେଁ
ଜଗତରେ ଆଜି ସବୁ ଛୋଟ ଲାଗେ ତାକୁ
ଝଡପର ଛବି ଭଳି ଶୂନ୍ୟ, ଆଉ ଶୂନ୍ୟ ।
ଟଳିଗଲା ସବୁ ତକ ଭାବ ଭାବାନ୍ତର
ଠକ୍ ଠକ୍ ଶବ୍ଦ ଶୁଣି ଦୁଆର ମୁହଁରେ,
ଡାକବାଲା ଡାକଦିଏ ମାଗୁଣି ମାଗୁଣି
ଢୋଲକର ଶବ୍ଦ ଭଳି କର୍କଶ ସ୍ୱରରେ I
ତଥାକଥିତ ସେ ପତ୍ର
ଦୂର ଦୂରାନ୍ତରୁ
ଥମି ଥମି ପତ୍ନୀ ଲେଖେ କାହାଣୀ ପୁତ୍ରର
ଦରଦୀ ସୁରରେ କାଳେ ଡାକେ ବା.....ମା....
ଧନ୍ୟ ସେଇ ପିତା ,
ଯିଏ ଶୁଣେ ଏହି ଧ୍ୱନି
ଆଉ ଥାଏ ପାଶେ ପାଶେ।
ନଗର ନଗର ଘୁରି ବିଦ୍ୟାଳୟ ଖୋଜି
ପଢିଥିଲା ପାଠ ସିଏ ଭବିଷ୍ୟତ ଆଶେ
ଫସର ଫାଟିଲା ସବୁ ହିସାବ ନିକାଶ
ବନ୍ଦୀ ହୋଇ ରହିଗଲା ସୀମାନ୍ତ ବରଫେ ।
ଅନ୍ୟ ସବୁ ନାଗରିକ ଭଳି
ତାର କ’ଣ ନଥିଲା ବା ଇଚ୍ଛା ?
ପରିବାର ସହ ତାର ବିତିବ ଜୀବନ !
ଭାବି ବି ନଥିଲା ଦିନେ,
ସ୍ତ୍ରୀର ଦର୍ଶନ ହେବ
ମାଘ ମେଳା, ତୀର୍ଥ ଦର୍ଶନର ଭାଗ୍ୟ ।
ଯିବାପାଇଁ ଇଚ୍ଛା କଲେ ପ୍ରଶ୍ନର ସମ୍ଭାର
ରହିବାକୁ ଚାହିଁ ସୁଦ୍ଧା ହୁଏ ନାହିଁ ରହି
ଲାଗୁଥିଲା,
ଜୀବନର ଯାତ୍ରା ବୋଧେ
ବିତିଯିବ ଦିନପରେ ଦିନ
କର୍ତ୍ତବ୍ୟ ଆଉ ଦାୟିତ୍ୱ ବୋଧରେ ।
ୟେ କଣ ?
ସବୁ ଭାବନାରେ ଦେଇ ପୂର୍ଣ୍ଣଛେଦ,
ଷଣ୍ଢ ପରି ମାଡିଆସେ ବରଫ ପାହାଡ଼ ।
ପ୍ରକୃତି ଉପରେ ଅବା କାହାର ପ୍ରଭାବ
ହଲ୍ ଚଲ୍ ହୋଇଗଲା ସମସ୍ତ ଅଞ୍ଚଳ
କ୍ଷୟ ହେଲା ଛୋଟ ତମ୍ବୁତଳୁ ମାଟି ।
ଇଚ୍ଛା ଅନିଚ୍ଛାକୁ ଦେଇ ଚିର ବଳି
ଲକ୍ଷ୍ୟ ସାଧନାର ସଂଘର୍ଷରେ ନ୍ୟସ୍ତ ବୀର
ସାଜିଗଲା ବୀର ଶହୀଦ୍...
ଅସମ୍ପୂର୍ଣ୍ଣ ରହିଗଲା ଦାୟିତ୍ୱ ତାହାର ।