ବିଦାୟୀ ବସନ୍ତ
ବିଦାୟୀ ବସନ୍ତ
ପ୍ରତିବର୍ଷ ଆସୁଥିବି ଏବେ ତ' ଯାଉଛି
ନିଦାଘ ବୈଶାଖ ଯେଣୁ ପ୍ରବେଶ ହୋଇଛି ।
ସବୁ ବର୍ଷ ପରି ନାହିଁ ମନରେ ସରାଗ
ଏଥର ମୋ ଆଗମନେ ଅକାଳ ବିୟୋଗ ।
ସମସ୍ତେ ମୋହର ସାଥୀ ଆତ୍ମ ପରିଜନ
ମନୁଷ୍ୟଠୁଁ ନେଇ ଯେତେ ପଶୁ ପକ୍ଷୀ ଗଣ ।
ମନେଭରି ଅସୁମାରୀ ଆଶା ଓ ଆକାଂକ୍ଷା
ମୋର ଆଗମନ ପାଇଁ କରନ୍ତି ପ୍ରତୀକ୍ଷା ।
ଭରିଉଠେ ବନ ପକ୍ଷୀ କାକଳି ଗୁଞ୍ଜନେ
ଏ' ସୃଷ୍ଟିକୁ ସଜାଏ ମୁଁ ବିବିଧ ସୁମନେ ।
ସଭିଙ୍କୁ ଆଦର କରି କରେ ମୁଁ ନିଜର
ଭେଦ, ଭାବ ରଖେ ନାହିଁ ମୋ ମନ ଭିତର ।
ବିବିଧ ରଙ୍ଗରେ କରେ ଧରା ରଙ୍ଗାୟିତ
ଭରି ନବ ଶିହରଣ କରି ଅଙ୍ଗିକୃତ ।
ସଜାଇ ଦିଏ ଧରଣୀ କରି ସୁଶୋଭିତ
ଭରିଦିଏ ପୁଷ୍ପ ବୃକ୍ଷେ ନବ ପଲ୍ଲବିତ ।
ଚଳ, ଚଞ୍ଚଳ ମୁଖର ହୁଅଇ ମାନବ
ଆଜି କିନ୍ତୁ ଏ' ପୃଥିବୀ ନିଷ୍ପ୍ରଭ , ନୀରବ।
ମହାମାରୀ ଘୋଟିଅଛି ସାରା ସଂସାରକୁ
ଉପୋଭୋଗ ନାହିଁ ଆଜି ବସନ୍ତ ଋତୁକୁ।
ବିଦାୟ ଦିଆଗୋ ସାଥି ଏହି ବର୍ଷ ପାଇଁ
ଭଗ୍ନ ହୃଦୟରେ ଆଜି ଫେରୁଅଛି ମୁହିଁ ।
ଯୁଗ, ଯୁଗାନ୍ତରୁ ମୁହିଁ ଆସୁଛି ଆସିବି
ଉପଯୁକ୍ତ ମୋ ସମୟେ ନିଶ୍ଚୟେ ଫେରିବି ।
ବିଦାୟୀ ବସନ୍ତ ଋତୁ ବିଦାୟ ମାଗୁଛି
ଏ' ବର୍ଷର ଦୁଃଖ ସାଥେ ନେଇ ଯାଉଅଛି।
ଦିଅଗୋ ମେଲାଣି ବନ୍ଧୁ ହେଲାଣି ସମୟ
ହେ' ଈଶ୍ୱର ଏ' ସୃଷ୍ଟିକୁ ଦିଅ ଗୋ ଅଭୟ ।
ସମୟ ହୋଇଲେ ବନ୍ଧୁ ନିଶ୍ଚେ ମୁଁ ଫେରିବି
ଆଗାମୀ ବର୍ଷରେ ଆଶା ଧରା ହସେଇବି ।
ଭରିଦେଵି ପରସରେ ନବ ଉନ୍ମାଦନା
ବିଦାୟୀ ବସନ୍ତ ମୁଁ ଯେ କରଇ କାମନା ।