ବିଦାୟ ବେଳା
ବିଦାୟ ବେଳା
ଜନମ ମାଟି ଦେଇଛି ଭେଟି
ବିଦାୟ ସମ୍ବର୍ଦ୍ଧନା,
ହେ ଗୁରୁଦେବ ସାର୍ଥକ ପ୍ରାଣ
ବିନତୀ କର ଘେନା ।
ଆର୍ଯ୍ୟ କୂଳର ଆଚାର୍ଯ୍ୟ ତୁମେ
ଶିକ୍ଷା ସଂସ୍କାର ପାଇଁ,
ମଧ୍ୟ ଓଡ଼ିଶା ବରେଣ୍ୟ ପ୍ରିୟ
ପାରିଛ ହୃଦ ଛୁଇଁ ।
କଣ୍ଟକିତ ଏ ନର ଜୀବନ
କେତେ ଯେ ପ୍ରତିଘାତ,
ନ ମାନି କେବେ ଆପଣା ସ୍ବାର୍ଥ
ଜଳିଛ ଅବିରତ ।
ଜୟରାଟ ରୁ ବିଜୟ ଧ୍ବନି
ହେଉଛି ପ୍ରକମ୍ପିତ,
କେତେ ଯେ ଚାଟ କଢାନ୍ତି ବାଟ
ଚାଲେ ଜୀବନ ରଥ ।
କର୍ମ ଆଦରି ଶିକ୍ଷା କ୍ଷେତ୍ରରେ
ହୋଇଛ ମହାଗୁରୁ,
ମଧ୍ୟ ଓଡ଼ିଶା ଚିହ୍ନିଛି ବୋଲି
ବିଦାୟ ଯାତ୍ରା କରୁ ।
ବିରଳ ଦେଖ ଏ ପରମ୍ପରା
ସତେ ଅବା ଗୁରୁକୁଳ,
ଅବସର ବୋଲି କର୍ମ ପଥରୁ
ଆଖି ଲୁହ ଛଳଛଳ ।
ଶତ ସହସ୍ର ବିଦ୍ୟାର୍ଥୀ ମେଳେ
ବୁଦ୍ଧିଜୀବୀ ଗ୍ରାମବାସୀ,
ତୁମ ପଛରେ ପଟୁଆର ରେ
ଧାଆଁନ୍ତି ସର୍ବେ ମିଶି ।
ସରି ତ ନାହିଁ ଜୀବନ ଯାତ୍ରା
ଆହୁରି ଅଛି ବାକି,
କରମ କ୍ଷେତ୍ର ଭାରି ପ୍ରଶସ୍ତ
ଦୁନିଆ ତା'ର ସାକ୍ଷୀ ।
ବାକି ଜୀବନ ଜଞ୍ଜାଳ ମୟ
ଖୁସି ରେ ଯାଉ ଦିନ,
ଜଗତ ନାଥ କଳା ସାଆନ୍ତ
ଚରଣେ ନିବେଦନ ।
ସେ ନମ୍ର ହସ ବାଢେ ବିଶ୍ବାସ
ପ୍ରତିଟି ଅନ୍ତରରେ,
ଆଶା ଆକାଙ୍କ୍ଷା ପ୍ରତିଭା ପୂଜା
ସମାଜ ତା'ରେ କରେ ।
ତୁମରି ସେହି ଅମୃତ ବାଣୀ
ବିଶ୍ବାସ ସଞ୍ଜିବନୀ,
ପ୍ରାଣ ରୁ ପ୍ରାଣ ଢାଳୁ ପୀଉଷ
ଗାଇ ଜ୍ଞାନ ର ବାଣୀ ।
ହାରିବା ଯା'ର ଜାତକେ ନାହିଁ
ହରାଇବ ବା କିଏ ?
ଗୁରୁ ହିଁ ଶ୍ରେଷ୍ଠ ଏଇ ଜଗତେ
ଜ୍ଞାନ ବିତରେ ଯିଏ ।
ଅବସର ଯେ ନ କରୁ ବଶ
ବିକଶି ଉଠୁ ପ୍ରଜ୍ଞା,
ଜ୍ଞାନ ବିଜ୍ଞାନ ସାଥେ ପ୍ରଜ୍ଞାନ
ଗାଉ ଜୀବନ ସଂଜ୍ଞା ।
