ବିଦାୟ ୨୦୨୦
ବିଦାୟ ୨୦୨୦
କ୍ୟାଲେଣ୍ଡର ଓଲଟାଇଲେ
କାଇଁ ଆଉ ନୂଆ ପୃଷ୍ଠା ମିଳୁନି
ଡିସେମ୍ବର ୩୧ ୨୦୨୦
ଶେଷ ଫର୍ଦ୍ଦ ସାଜିଛି।
ଆସନ୍ତାକାଲି ର ତାରିଖରେ
ତାରିଖ ମାସ ତ ଚିହ୍ନା ଲାଗୁଛି
ହେଲେ ତା ପାଖରେ ସେଇ ବର୍ଷଟା
କାଇଁ ଅଚିହ୍ନା ଅଚିହ୍ନା ବାସୁଛି।
ଆରେ ହଁ, ନୂଆବର୍ଷ ପରା ଆସୁଛି।
ଘଣ୍ଟା କଣ୍ଟାର ବେଗଟା ବି
ଆଜି କାଇଁ ଭାରି ବଢିଲା ବଢିଲା ଲାଗୁଛି
କେବେ ସରିବ ଭାବୁଥିବା ଏ ୨୦୨୦ ଟା
ଆଜି ହାତ ମୁଠାରୁ ଖସି ଖସି ଚାଲିଯାଉଛି।
ଆରେ ହଁ, ନୂଆବର୍ଷ ପରା ଆସୁଛି।
କାଇଁ ସରୁନି ବୋଲି
ସବୁବେଳେ ଗାଳି ଶୁଣୁଥିବା ଏ ୨୦୨୦ ଟା
ଶେଷ ବେଳକୁ କେଜାଣି କାଇଁ
ଭାରି ନିଜର ନିଜର ଲାଗୁଛି।
ଆରେ ହଁ, ନୂଆବର୍ଷ ପରା ଆସୁଛି।
ଆପଣା ଲୋକଙ୍କୁ ହରେଇଛି କେବେ
ପୁଣି କେବେ ପରକୁ ଆପଣା କରିଛି
ବହୁତ କିଛି ହରେଇଲା ପରେ
ଆଜି ନିଜକୁ ମୁଁ ନିଜେ ପାଇଛି।
କେତେ ଘଟଣା ଦୁର୍ଘଟଣା ସବୁ
ମନେ ଆନ୍ଦୋଳନ ଆଣିଛି
ସୁଖ ଦୁଃଖ ହସ କାନ୍ଦ ଭିତରେ
ଏ ଜୀବନର ଗାଡି ଗଡି ଚାଲିଛି।
କିଛି କଥା ଆମେ ଯାଇଛେ ଭୁଲି
ଆଉ କିଛି ସ୍ମୃତି ହେଇ ଯାଇଛି ରହି।
ସେଇ ସ୍ମୃତି ସବୁ ଭିତରେ
ଏ ୨୦୨୦ ଟା ନିଜ ପାଇଁ ଯାଗା ଖୋଜୁଛି।
ଆରେ ହଁ, ନୂଆବର୍ଷ ପରା ଆସୁଛି।
ହେ ୨୦୨୦,
ଆଜି ତୁମ ପାଇଁ ମୁଁ ବଦଳି ଯାଇଛି
ନିଜକୁ ମଜବୁତ୍ କରି ଗଢିଛି ପୁଣି
ଏକା ଏକା ସଂଘର୍ଷ କରି ଶିଖିଛି।
ଭୁଲି ଆଜି ରାଗ ରୋଷ ଅଭିମାନ
ପୋଛି ଆଖି ଲୁହ ଆଉ ମନର କୋହ
ତୁମକୁ ବିଦାୟ ଦେଉଛି।
ଆଉ ଏକ ନୂଆ ସଂଘର୍ଷର କାହାଣୀକୁ
ନେଇ ନୂଆବର୍ଷ ପରା ଆସୁଛି।
ଆରେ ହଁ, ନୂଆବର୍ଷ ପରା ଆସୁଛି।
ଆପଣ ସମସ୍ତଙ୍କୁ ନବବର୍ଷର ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା...। ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶା ଓ ଢେର୍ ସାରା ଖୁସି ନେଇ ଆସୁ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ।
