STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ବିଚ୍ଛିନ୍ନାଞ୍ଚଳ ମିଶ୍ରଣ

ବିଚ୍ଛିନ୍ନାଞ୍ଚଳ ମିଶ୍ରଣ

2 mins
243


କାହିଁ ଆଉ ରଟୁଛ ଦିବାରାତ୍ର

ନୂଆ ରାଇଜ ଗଢିବାର ସୂତ୍ର?

କାହିଁ ପାଳନ କରୁଛ କଳା ଦିବସ

କଳାର ଉତ୍କର୍ଷ ପାଇଁ ଏଇ

ଭୂଖଣ୍ଡ ଜଗତେ ପ୍ରସିଦ୍ଧ

ହୋଇଲା କି ତୁମ୍ଭର ପାଶୋର ?

ଭାଷା ଭିତ୍ତିରେ ତ ବୃହତ୍ତ

ଓଡ଼ିଶା ଗଠନର ସ୍ବପ୍ନ ତ

ରହିଯାଇଛି ଆଜି ବି ଅଧୁରା

ସାକାର ହେବାର ଆଶା

ରହିଛି ଆଶଙ୍କାରେ ଭରା!

କାହିଁକି ସୃଜୁଛ ବିଭାଜନର ରେଖା

ଗଢିବାକୁ ତୁମ୍ଭର ରାଜନୈତିକ ଭବିଷ୍ୟତ

ମାଆକୁ ଆଉ ଥରେ ବାଣ୍ଟି ଦେଇ

ରାଜଗାଦିରେ ବସି କି ସୁଖ ବା ଲଭିବ?

ତୁମରି ପୂର୍ବପୁରୁଷ କରିଥିଲେ ଜୟ

ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଭୂଖଣ୍ଡ

ସେଇ ଭୂଭାଗକୁ କରିଲେ ବହୁଦା ବିଭକ୍ତ

ହେବନି କି ସେମାନଙ୍କ ପ୍ରତି ଅପମାନ

ତୁମ୍ଭେ ଅର୍ଜିବ ନାହିଁ କି ଅପବାଦ?

ଯାହା ବି ଅଛି ମତାନ୍ତର ମନାନ୍ତର

ସେ ସବୁ କଥା ତ ପାଣିର ଗାର

ଜୀବନ ରେଖା ମହାନଦୀକୁ

ବଞ୍ଚାଇବାକୁ ହୁଅ ସଭିଏଁ ଆଗଭର

ବିଭାଜନର କଥା ମନୁ ପରିହାରି

ଲଢ଼ରେ ଓଡ଼ିଆ ତୁହି ବୀର ପରି!

ପାରୁଛ ଯଦି ଓଡ଼ିଆ ଭାଷୀ

ବିଚ୍ଛିନ୍ନାଞ୍ଚଳକୁ ଓଡ଼ିଶାରେ ମିଶାଇବା

ପାଇଁ କର ରଣ ଆନ୍ଦୋଳନ

ମାତ୍ର ଭାଙ୍ଗିବାର କୁଚକ୍ରାନ୍ତ କଥା

ତିଳେ ଆଉ ଚିନ୍ତା ନକର!!

ଥରେ ଦେଖ ପଡିଶା ଘର

କେମିତି ଅଛନ୍ତି ଓଡ଼ିଆ ଭାଷାଭାଷୀ

ପ୍ରତିବେଶୀ ପ୍ରଦେଶଗୁଡିକରେ

ଜୀଉଁଛନ୍ତି କି ଦୁଃଖ ଦୁର୍ଦ୍ଦଶାରେ

ଚବିଶପ୍ରଗଣା ପୁରୁଲିଆ ମେଦିନୀପୁର

ସିଂହଭୂମି ଷଢ଼େଇକଳା ଖରସୁଆଁ

ମହାସମୁନ୍ଦ ବସ୍ତର ବିଜୟନଗର

ଶ୍ରୀକାକୁଲମ ବିଶାଖାପାଟଣାଦି ଜନପଦରେ

ଓଡ଼ିଆ ଭାଷା ସଂସ୍କୃତି ଦିଶୁଛି

କି ବିଭତ୍ସ କଦାକାର ଛାରଖାର!

ନା ମଥା ଟେକି ଗର୍ବର ସହିତ

ଓଡ଼ିଆ ବୋଲି ପାରୁଛନ୍ତି ଜୀଇଁ

ନା ଆନର ଭାଷାକୁ କରି ପାରୁଛନ୍ତି

କୋଳାଗ୍ରତେ ସାଦର ସ୍ଵୀକାର

କାୟମନୋବାକ୍ଯରେ ଶୁଦ୍ଧାନ୍ତକରଣରେ

କି ବିଭତ୍ସ ଏହି ଦ୍ବିଧାଗ୍ରସ୍ତ ମାନସିକ

ଅବସ୍ଥା ବାରେ ଅନୁଭବ କର!

କୋଶଳ ସହିତ ଉତ୍କଳ

ପଶ୍ଚିମ ସାଥିରେ ଉପକୂଳ

ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର

ଉପାନ୍ତ ବିଚ୍ଛିନ୍ନାଞ୍ଚଳ ସଭିଙ୍କୁ

ନେଇ ଗଢିଉଠୁ ସମୃଦ୍ଧ କଳିଙ୍ଗ

ପୂର୍ବପୁରୁଷଙ୍କ ପ୍ରତି ଉତ୍ତରଦାୟାଦର

ଏହି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract