ବିବର୍ତ୍ତନ
ବିବର୍ତ୍ତନ
ପ୍ରବେଶ କଲି ମୁଁ ଏକ ଭୁବନରେ
ଯାହା ଥିଲା ଜ୍ୟୋତିର୍ମୟ
ଦିବ୍ୟ ଆତ୍ମାଙ୍କର ନିବାସ ତହିଁରେ
ନିଶ୍ଚଳ ସେହି ନିଳୟ ।
ଦେଖିଲି ସେଠାରେ ଦର୍ପଣ ଗୋଟିଏ
ଥିଲା ଯେ ସ୍ଫଟିକାକାର
ପ୍ରତିବିମ୍ବଟିଏ ହେଉଥିଲା ସୃଷ୍ଟି
ନିକଟେ ଆସିଲେ ତା'ର।
ଶକ୍ତି ତହିଁ ଏକ କରଇ ଗମନ
ଉର୍ଦ୍ଧ୍ବରୁ ନିମ୍ନକୁ ସୁଖେ
ଲାଗୁଥିଲା ପୁରାତନ,ପରିଚିତ
ଯେବେ ନିରେଖି ମୁଁ ଦେଖେ।
ମନ୍ଥର ଗତିରେ ଆସୁଥିଲା ତାହା
କୁଣ୍ଡଳାୟିତ ରୂପରେ
ଅନନ୍ତ ପଥର ଯାତ୍ରୀଟିଏ ଭଳି
ଚାଲୁଥିଲା ଧୀରେ ଧୀରେ।
ଏ ପୃଥିବୀ ଥିଲା ଚିର ସହଚର
ଦେବତାଙ୍କ ଲୀଳା ଭୂମି
ଲୀଳା ଖେଳା ସାରି ଯାଆନ୍ତି ବାହୁଡ଼ି
ରହିଛି ଏ ତପୋଭୂମି ।
ବଦଳିନି କିନ୍ତୁ ମଣିଷ ପ୍ରକୃତି
ଯାହା ଅର୍ଦ୍ଧ ଆଲୋକିତ
ପଶୁତ୍ଵ ଯେଉଁଠି, ଦେବତ୍ଵ ସେଇଠି
ନୁହେଁ ପୂର୍ଣ୍ଣ ବିକଶିତ।
ଭଗବତ ଶକ୍ତି ଅଛି ତା' ମଧ୍ୟରେ
ପରଦା ଆଢୁଆଳରେ
ମଧ୍ୟବର୍ତ୍ତୀ ଏକ ଜୀବଟିଏ ସେହି
ଦିବ୍ୟ ଜ୍ଞାନଠାରୁ ଦୂରେ।
ନିଶ୍ଚେତନା ମଧ୍ୟେ ଶୋଇ ରହିଛି ସେ
ସହି ସହି କେତେ ଦୁଃଖ
ଶୋକରେ ଅଧିର, ପାଏ ନାହିଁ ବାଟ
ନ ଦେଖିଲା ସୁଖ ମୁଖ।
ଅଜ୍ଞାନତା ଭରା ,ମୃତ୍ୟୁ କବଳିତ
ସହୁଛି କେତେ କଷଣ
ଆତ୍ମଜ୍ୟୋତି କେବେ ହେବ ପ୍ରଜ୍ବଳିତ
ପାଇଵ ନୂଆ ସନ୍ଧାନ।
ମୁକ୍ତ ହୋଇ ମନ, କରି ବିଚରଣ
ଜ୍ୟୋତିର୍ମୟ ଜଗତରେ
ଔଜ୍ଜଲ୍ୟ,ପ୍ରଶାନ୍ତି ମଧ୍ୟେ ଅବଗାହି
ଲେଉଟିବ ସେ ସୁଖରେ।
ଲଭିବ ନିଷ୍କୃତି ପ୍ରାଣଟି ତାହର
ଏଡି ଯେତେ ଅବସାଦ
ମଳିନ,ବିଷାଦ ଭାବ ଅପସରି
ଆସିବ ଜ୍ୟୋତି,ଆନନ୍ଦ ।
ଜଡରେ ଦେଖଇ ପୂର୍ବ ନିଶ୍ଚେତନା
ଯାହା ଏବେ ଉଜ୍ଜୀବିତ
ହୋଇନି ସମାପ୍ତ ଏତେ ଯୁଗ ପରେ
ତଥାପି ରହିଛି ସେ ତ।
ଅନୁଭବ କରି ପାରେ ଆତ୍ମା ଯଦି
ଅସୀମ ବିସ୍ତୃତି ରୂପ
ଦେଇପାରେ ଢାଳି ନିଜକୁ ତହିଁରେ
ଲଭିବ ଅନନ୍ତ ସୁଖ ।
କାଳାତୀତ ସେହି ଶାଶ୍ଵତ,ଈଶ୍ୱର
ହୋଇବେ ଯଦି ସଦୟ
ଆଶିଷେ ତାଙ୍କର ରକ୍ତିମ ଆଭାରେ
ରଞ୍ଜିତ ହେବ ହୃଦୟ ।
