ଭୋକ
ଭୋକ
ବଞ୍ଚିବା ପାଇଁ ଖାଇବା
କି ଖାଇବା ପାଇଁ ବଞ୍ଚିବା
ଉଭୟର ପେଟ ଭିତରେ
ଛପି ରହିଛି ଭୋକ,
ସମୟାନ୍ତରେ ଖାଇ
କରିହୁଏ ତାର ଉପସମ।
କ୍ଷୁଧାର ଜ୍ଵାଳା ସହି ନ ପାରି
ଛଟପଟ ହୁଏ ଭୋକିଲା ପ୍ରାଣ,
ବରଂ ଖାଉ ଶାଣିତ ଅସ୍ତ୍ରର ହାଣ
ମୁଠାଏ ଦାନା ଲାଗି
ମଣିଷ ହୁଏ ପଶୁଠୁ ହୀନ।
ସଂସାରେ ଅନ୍ନ ଚିନ୍ତା ଚମତ୍କାର
ଖାଦ୍ୟ ବିନା ହାହାକାର
ଜୀବନ ବିକଳେ ଖାଏ ଜହର,
ଭୋକର ଦାରୁଣ ଯନ୍ତ୍ରଣା
ନିଷ୍ଠୁର ପାଷାଣ କରିଦିଏ ହୃଦୟ।
ନ ଥିଲେ ଭୋକଗର ତାଡ଼ନା
ଦୁନିଆଁରେ କେହି କିଛି
କରନ୍ତେ ନାହିଁ କର୍ମ,
ଭୋକ ପାଇଁ ହିଁ ସବୁ ସଂଘର୍ଷ
କରୁଛନ୍ତି କୀଟ ପତଙ୍ଗଠାରୁ
ସଚେତନଶୀଳ ମାନବ।
ଖଟି ଖାଇବା କି ଲୁଟି ଖାଇବା
ସ୍ଵଭାବ ନେଇ ଜୀବନ ବଞ୍ଚାଏ,
ତଥାପି ଅଭାବ ହୁଏନା ଦୂର
ଚରିତ୍ରକୁ କରେନା ସଂଶୋଧନ।
ଅଭାବେ ଥାଏ ଯିଏ
ଆସିଲେ ସ୍ୱାଭାବିକତା
ଆଚରଣ ତାର ହୁଏ ପରିବର୍ତ୍ତନ,
ସ୍ୱଭାବ ଯା'ର ଲୁଟି ଖାଇବା
ସୁଧୁରେନା ସେ କେବେ
ଏ ନୀଚ ରୁଚି ରଖିଥାଏ
ସବୁଦିନ ମରିବା ପର୍ଯ୍ୟନ୍ତ।
ପେଟର ଭୋକ ହୁଏ ପୂରଣ
ମନର ଭୋକ ହୁଏନା
କେବେ ବି ଶାନ୍ତ...,
ସଦା ସର୍ବଦା ଚଳାଇ ଥାଏ
ଆଢୁଆଳେ ତାର ଉପଦ୍ରବ।
ମାରିବାର ନିଶାରେ ବଢେ ହିଂସା
କ୍ରୂର ବୁଦ୍ଧି କରି ବୃଦ୍ଧି
ଚାହେଁ ସଂସାରକୁ ରଖିବାକୁ
ତା' ହାତ ମୁଠାରେ,
ଅର୍ଥ ହୁଏ ଅନର୍ଥର କାରଣ
ଏ ଭୋକର ହୁଏନା ଶେଷ।