ଭୋକ
ଭୋକ
ପେଟର ଭୋକ ତ ସଭିଏଁ ଜାଣନ୍ତି
ଅନ୍ୟ କଥା ଭୁଲି ଯାଇ
ଗୂଢ ତଥ୍ୟ ଆଜି ଉନ୍ମୋଚନ କରେ
ଜଗତ ମଙ୍ଗଳ ପାଇଁ ।
ମୁନି ଋଷି ଭୋକ ତପସ୍ୟା ଶୁଦ୍ଧିରେ
ବିଦ୍ୟାର୍ଥୀର ଅଧ୍ୟୟନେ
ରାଜା ଭୋକ ଥାଏ ଦେଶ ଅକ୍ତିଆରେ
ତସ୍କରର ପର ଧନେ ।
ନାରୀ କ୍ଷୁଧା ଲିଭେ ସ୍ଵାମୀ ସ୍ନେହ ପାଇ
କନ୍ୟା ଯେ ସୁନ୍ଦର ବର
ପିତାମାତା ଭୋକ ସନ୍ତାନ ମଙ୍ଗଳେ
ଭକ୍ତ ବୋଲେ ଭୋଳେ ହର ।
ବିବେକହୀନର ଅହଂ ଭାବ ଭୋକ
ନ ଦେଖେ ବନ୍ଧୁ ସ୍ଵଜନ
ପ୍ରେମିକ ପ୍ରେମିକା ମିଳନ ଭୋକରେ
ନବୁଝନ୍ତି ନିଶି ଦିନ ।
କବିଙ୍କର ଭୋକ ଲେଖନୀ ଚାଳନା
ପ୍ରକୃତି ସୌନ୍ଦର୍ଯ୍ୟ ଧରି
କଣ୍ଠ ଶିଳ୍ପୀ ଭୋକ ସୁନ୍ଦର ଗାୟନେ
ଛନ୍ଦ ଅଳଂକାର ପାରି ।
ନିର୍ଦ୍ଧନର କ୍ଷୁଧା ମୁଠାଏ ଅନ୍ନକୁ
ଶିଶୁ ଲୋଡେ ମାତୃ ଦୁଗ୍ଧ
କୃଷକର ଭୋକ ସବୁଜ ଫସଲ
ନହେଲେ ତା ପ୍ରାଣ ଦଗ୍ଧ ।
ବିଜ୍ଞ ପଣ୍ଡିତଙ୍କ ଭୋକ ଆଧ୍ୟାତ୍ମିକ
ନିତି ବନ୍ଧା ତୁଣ୍ଡେ ଶ୍ଳୋକ
ଭଉଣୀର ଭୋକ ଭାଇ ସେନେହରେ
ବୁଝିବ ଜଗତ ଲୋକ ।
ବନ୍ଧୁର ଭୋକରେ ସହଯୋଗ ବାସ
ଅନଳେ କରେନା ଭୀତି
ସଂସାର ବନ୍ଧା ଯେ ବିଶ୍ଵାସ ଡୋରୀରେ
ଏହି ତ ଭୋକର ରୀତି ।